ଶ୍ରୀମଦ୍‌ ଭାଗବତ ପଞ୍ଚମ ସ୍କନ୍ଧ

 

 

 

 

 

 

 

 

 

ଶ୍ରୀମଦ ଭାଗବତ

(ପଞ୍ଚମ ସ୍କନ୍ଧ)

ଜଗନ୍ନାଥ ଦାସ

 

ପ୍ରଥମ ଅଧ୍ୟାୟ

 

ନାରାୟଣଂ ନମସ୍କୃତ୍ୟ ନରଂ ଚୈବ ନରୋତ୍ତମଂ

ଦେବୀ ସରସ୍ୱତୀଂ ବ୍ୟାସଂ ତତୋଜୟମୁଦୀରୟେତ୍‌ ।

ମୁକଂ କରୋତି ବାଚାଳଂ ପଙ୍ଗୁଂ ଲଘଂୟତେ ଗିରିଂ

ଯତ୍‌କୃପା ତମହଂ ବନ୍ଦେ ପରମାନନ୍ଦ ମାଧବଂ ।

ନିଗମ କଳ୍ପତରୋର୍ଗଳିତଂ ଫଳଂ ଶୁକମୁଖାଦମୃତଦ୍ରବସଂଯୁତଂ ।

ପିବତ ଭାଗବତଂ ରସାମାଳୟଂ ମୁହୁରହୋ ରସିକାଭୁବିଭାବୁକାଃ װ

 

ପରମ-ପୁରୁଷ ଗୋବିନ୍ଦ

ତାହାଙ୍କ ଚରଣାରବିନ୍ଦ

ତହୁଁ ଗଳଇ ମକରନ୍ଦ

ତାହା ଯେ ପିବନ୍ତି ଆନନ୍ଦ

ତାହାଙ୍କ ଚରଣେ ବନ୍ଦଇ

ପଞ୍ଚମସ୍କନ୍ଧେ ଗୀତ ଗାଇ

ପରୀକ୍ଷିତ ଉବାଚ

ଭୋ ମୁନି କିମ୍ପା ପ୍ରିୟବ୍ରତ

ସେ ଆତ୍ମାରାମ ଭାଗବତ

ଗୃହେ ରମିଲା ତାଙ୍କ ମନ

ପ୍ରାରବ୍‌ଧ କର୍ମରେ ବନ୍ଧନ

ନିଶ୍ଚୟ ମୁକ୍ତ ସଙ୍ଗ ଯେହୁ

ଏମନ୍ତ ପ୍ରାଣୀମାନେ କେହୁ

କିମ୍ପା ଏ ଗୃହେ ମନ ରହେ

ଭୋ ମୁନି ଫେଡିବା ସଂଶୟେ

ନିଶ୍ଚୟ ତବ ଲୋକଙ୍କର

ଉତ୍ତମ ଶ୍ଳୋକ ଯେବା ସାର

ନିବୃତ୍ତ ଚିତ୍ତ ଯେ ହୁଅଇ

ସେ କିମ୍ପା ବ୍ୟର୍ଥ ଆଚରଇ

ଏ ମୋତେ ସଂଶୟ ବହୁତ

ଯେ ପ୍ରାଣୀ ଗୃହ ମୋହେ ଚିତ୍ତ

ତା ମତି ବିଷ୍ଣୁ ବିଷୟରେ

ହୋଇଲା କେମନ୍ତେ ସଂସାରେ

ଶ୍ରୀଶୁକ ଉବାଚ

ନିଶ୍ଚୟ କହିବା ତା ଶୁଣ

ଧନ୍ୟ ଜୀବନ ତୋ ରାଜନ

ଉତ୍ତମ ଶ୍ଳୋକ ଯେ ଗୋବିନ୍ଦ

ତାହାଙ୍କ ଚରଣାରବିନ୍ଦ

ତହୁଁ ଅମୀୟ ରସ ବହେ

ତାହା ଯେ ପ୍ରାଣୀ ନିତ୍ୟ ପିଏ

ଭକତ ସାଧୁ ସେହୁ ଜନ

ପରମହଂସ ଦିବ୍ୟଜ୍ଞାନ

ତାହାର ବିଷ୍ଣୁ କଥା ବିନେ

କେବେହେଁ ଆନ ନୁହେଁ ମନେ

ଅନ୍ୟ ଯେ ଗୁଣ କଥାମାନ

ଇଚ୍ଛା ନ କରନ୍ତି ସେ ଜନ

ଯେଣୁ ଏ ନୃପ ପ୍ରିୟବ୍ରତ

ଗୁଣରେ ହୋଇଲା ପୂଜିତ

ମୁନି ପରମ ଭାଗବତ

ନାରଦ ଲୋକରେ ବିଖ୍ୟାତ

ସେ ମୁନି ଚରଣ ସେବାରେ

ସର୍ବ କଳ୍ମଷ ଗଲା ଦୂରେ

ତକ୍ଷଣେ ସ‌ତ୍ୟଗୁଣ ବହି

ବ୍ରହ୍ମ ମନ୍ତ୍ରରେ ଦୀକ୍ଷା ପାଇ

ପିତାର ଆଜ୍ଞା ପାଳିକରି

ଅବନୀ ପାଳନେ ବିଚାରି

ଉତ୍ତମ ସ‌ତ୍ତ୍ୱଗୁଣ ତାର

ପ୍ରଜା ପାଳନେ ନୃପବର

ଅଖିଳ ଲୋକଙ୍କ ଜୀବନ

ଅନାଦି ନାଥ ନାରାୟଣ

ତାହାଙ୍କ ଚରଣାରବିନ୍ଦେ

ଚିତ୍ତ ନିବେଶି ଅପ୍ରମାଦେ

ପ୍ରବର୍ତ୍ତି ସଂସାର ବେଭାର

ମନକୁ ତହୁଁ କଲା ଦୂର

ନୀଚ ଲୋକର ପରାଭବ

ସହିଲା ଆପଣା ସ୍ୱଭାବ

ଏଥୁ ଅନ୍ତରେ ଭଗବାନ

ଦେବଙ୍କ ଆଦି ଯେ କାରଣ

ରାଜାର ମନ ଗୁଣ ଘେନି

ଜନ କୁଶଳେ ଆତ୍ମଯୋନି

ନିଗମ ନିଜ ଗୁଣେ ଥୋଇ

ଭୁବନୁ ଅଇଲେ ଗୋସାଇଁ

ଗଗନ ତଳେ ଚନ୍ଦ୍ର ଯେହ୍ନେ

ବିରାଜମାନ ତାରାଗଣେ

ଅପୂର୍ବ ଶୋଭାକୁ ବିସ୍ତାରି

ବିଜୟ ପ୍ରଭୁ ନରହରି

ନିର୍ମଳ ପୂଜା ଉପହାରେ

ପୂଜିଲେ ତାହାଙ୍କୁ ବେଦରେ

ପଛରେ ଯୂଥ ଯୂଥହୋଇ

ସିଦ୍ଧ ଗନ୍ଧର୍ବେ ଗୀତ ଗାଇ

ଚାରଣ ମୁନିଙ୍କ ସହିତେ

ଗମନ କଲେ ଯେ ସମସ୍ତେ

ଗନ୍ଧମାଦନ ଗିରି ତଳେ

ସଭା କରାଇ ବିଜେକଲେ

ବୃଷ ବାହନେ ପଞ୍ଚାନନ

ହିରଣ୍ୟଗର୍ଭ ଜନାର୍ଦ୍ଦନ

ସେଠାରେ ଥାଇଣ ନାରଦ

ବନ୍ଦିଲେ ପିତାମହ ପାଦ

ତକ୍ଷଣେ ଉଠି ମୁନିବର

ସାନନ୍ଦେ ଯୋଡି ବେନିକର

ପିତାମହକଙ୍କୁ ସେ ବନ୍ଦିଲା

ଚରଣେ ଶିର ଲଗାଇଲା

ପ୍ରିୟବ୍ରତର ପୂଜା ଘେନି

କୋମଳ ବାକ୍ୟେ ପଦ୍ମଯୋନି

ବିସ୍ମୟେ ଚାହିଁ ବେଦବର

ରାଜାଙ୍କୁ କହନ୍ତି ଉତ୍ତର

ବ୍ରହ୍ମୋବାଚ

ହେ ପ୍ରିୟବ୍ରତ କହୁଁ ତୋତେ

କ୍ରୋଧ ନ କର ତୋର ଚିତ୍ତେ

ଆମ୍ଭେ ନାରଦ ଆଦି ଯେତେ

ଯାହାର ଭାଗ୍ୟ ଚିନ୍ତେ ଚିତ୍ତେ

ତପସ୍ୟା ବିଦ୍ୟା ଯୋଗ କରି

ପଣ୍ତିତପଣେ ଯେ ଆଚରି

ନୁହଇ ଧର୍ମରେ ତତ୍ପର

କର୍ମ ନାଶନେ ଅଧିକାର

ଜନ୍ମ ମରଣେ କର୍ମ ବହି

ଜୀବନ ଶରୀର ଯେ ଦେହୀ

ଶୋକ ମୋହକୁ ନିତ୍ୟ ପାଇ

ପୁଣି ଯେ ଦୁଃଖକୁ ଭୁଞ୍ଜଇ

ଯାହାର ବାକ୍ୟ ଗୁଣମାନ

ହେ ବତ୍ସ ଦୁସ୍ତର ଏ କର୍ମ

ଦ୍ୱିପାଦ ଚତୁଷ୍ପଦ ଯେତେ

ସର୍ବେ ବନ୍ଧନ ମୋହଗତେ

ଦୁଃଖ ସୁଖ ଗୁଣ କର୍ମରେ

ଏମାନ ଘେନି ସଙ୍ଗତରେ

ଈଶ୍ୱର ସୃଷ୍ଟିର କରତା

ସକଳେ ତାହାଙ୍କୁ ସେବନ୍ତା

ସେ ଯେ ଈଶ୍ୱର ବଶ ଦେହୀ

ଅନ୍ଧର ପ୍ରାୟ ଭ୍ରମୁଥାଇ

ଦେଖୁ ଦେଖୁ ସେ ଭ୍ରମୁଥାଇ

ଏକଥା ପ୍ରାଣୀ ନ ଜାଣଇ

ନିଦ୍ରାକୁ ପାଇ ଯେହ୍ନେ ନରେ

ଅନ୍ୟ ଦେହରେ ଭୋଗ କରେ

ଗୃହସ୍ଥ ପ୍ରାଣୀମାନଙ୍କର

କେବେହେଁ ଭୟ ନୁହେଁ ଦୂର

ଲୋଭାଦିମାନଙ୍କରେ ଯୁକ୍ତ

ତେଣୁ ହୁଅନ୍ତି ଅବିରତ

ଯେ ବୁଦ୍ଧି ଜିଣେ ଇନ୍ଦ୍ରମାନ

ତାହାକୁ ହିତ ଗୃହକର୍ମ

ନାଶ ନ କରଇ ତାହାରେ

ଯେଣୁ ଏ ରମେ ଗୃହାନ୍ତରେ

ଏ ଆଦି ଜାଣେ ଯେବା ଜନ

ଗୃହେ ନ ରହେ ତାର ମନ

ଏହାକୁ ଜାଣି ବୁଦ୍ଧ ନରେ

ଆନନ୍ଦେ ଭ୍ରମନ୍ତି ସଂସାରେ

ଯେ ପଦ୍ମନାଭ ସଦାଶ୍ରିତ

ସର୍ବ ସଂସାରୁ ସେହି ମୁକ୍ତ

ସଂସାର ସାରକୁ ଭଜଇ

ଅନ୍ତେ ପରମ ଗତି ପାଇ

ଏମନ୍ତେ ତ୍ରିଭୁବନ ଗୁରୁ

ଭକ୍ତଙ୍କ ପ୍ରଭୁ ମହାମେରୁ

ନାମ ତା ଭଗବାନ ଦାସ

ସ୍ୱକାର୍ଯ୍ୟେ କରେ ସେ ଯେତେ

ନାରଦ ରାଇ ପ୍ରିୟବ୍ରତେ

ପୁଚ୍ଛିଲେ ଧର୍ମକଥା ଯେତେ

ନାରଦ ବାକ୍ୟେ ମନଦେଇ

ମନୁ ଆତ୍ମଜ ବିଚାରଇ

ବିଷୟା ରସକୁ ସେ ତେଜି

ରହେ ସା‌ତ୍ତ୍ୱିକ ମତେ ଭଜି

ଏଥୁ ଅନ୍ତରେ ପୃଥିବୀରେ

ନିଯୁକ୍ତ ହୋଇଲା କୁମରେ

ଅଖିଳ ଜଗତ ବନ୍ଦନ

ନିବେଶି ଭଗବାନ ମନ

ଆଦି ପୁରୁଷ ପଦେ ଧ୍ୟାୟି

ମନ ନିବେଶି ନିତ୍ୟେ ତହିଁ

ପୃଥିବୀ ପରିପାଳନରେ

ଚିତ୍ତ ନିବେଶି ନିରନ୍ତରେ

ସେ ବିଶ୍ୱକର୍ମା ପ୍ରଜାପତି

ତାର ଦୁହିତା ବହିଷ୍ମତି

ଏଥି ଉତ୍ତାରେ ମହୀପତେ

ବିଭା ହୋଇଲା ଯଥୋଚିତେ

ଦଶ ଆତ୍ମଜ ତାର ତହିଁ

ଜନ୍ମିଲେ ଯଥା ଗୁଣ ବହି

ଜନ୍ମ ହୋଇଲେ କନ୍ୟା ଦୁଇ

ପୁତ୍ରଙ୍କ ନାମ ଶୁଣ ତୁହି

ଆଗ୍ନିଧ୍ର ଇନ୍ଦ୍ର ଜିହ୍ୱାବଳି

ହିରଣ୍ୟରେତା ମହାବଳୀ

ଯଜ୍ଞବାହୁ ଯେ ମହାବୀର

ମେଧାତିଥି ଯେ ସବନର

ଘୃତପୁଷ୍ଟ ଯେ ବୀତିହୋତ୍ର

କବି ସହିତେ ଦଶ ପୁତ୍ର

ଏ ଦଶ ନାମ ପୁତ୍ରଙ୍କର

ଏଥିର ମଧ୍ୟେ ଯେବା ସାର

ବନ କବି ଯେ ମହାବୀର

ଉର୍ଦ୍ଧ୍ୱରେତା ଯେ ଏ ମଧ୍ୟର

ବାଲ୍ୟକାଳରୁ ଏହିମାନେ

ଶ୍ରେଷ୍ଠ ଅଧ୍ୟାତ୍ମ୍ୟ ବିଦ୍ୟାଜ୍ଞାନେ

ପରମହଂସ ଦୀକ୍ଷା ଧରି

ସକଳ ଚେଷ୍ଟା ପରିହରି

ସର୍ବ ଜୀବରେ କୃପା ବହେ

ଭଗବାନରେ ଚିତ୍ତ ଥାଏ

ଭୃତ୍ୟ ଆରତ ପ୍ରାଣୀଙ୍କର

ଶରଣ ରକ୍ଷଣ ଶ୍ରୀଧର

ସେ ପାଦପଦ୍ମ ଆଶ୍ରୟରୁ

ନିରତେ ନାମ କୀର୍ତ୍ତନରୁ

ପରମ ଭକ୍ତି ପ୍ରଭାବରେ

ଦୟା ବହିଲେ ପ୍ରାଣୀଠାରେ

ଭାବେ ନିର୍ମଳ ଚିତ୍ତ ହୋଇ

ସର୍ବ ଭୂତେରେ ଆତ୍ମା ସେହି

ସେ ପ୍ରଭୁ ପଙ୍କଜ ଚରଣେ

ରତ ଭକତ ଦାସପଣେ

ଦ୍ୱିତୀୟ ପତ୍ନୀ ଗର୍ଭେ ତାର

ହେଲେ ସେ ତିନୋଟି କୁମର

ଉତ୍ତମ ତାମସ ରୈବତ

ମନୁରେ ହୋଇଲେ ଅଧୀତ

ଏମନ୍ତେ ପୁତ୍ରମାନ ଘେନି

ଚିରକାଳେ ସେ ରାଜା ପୁଣି

ପୁରୁଷାର୍ଥର ଆଶ୍ରାନେଲେ

ପୃଥିବୀ ନିଷ୍କଣ୍ଟକ କଲେ

ଧର୍ମ ପଣକୁ ନ ଆଚରେ

ରାଜାର ପତ୍ନୀ ବିଷୟରେ

ପ୍ରତି ଦିନରେ ସ୍ନେହଭରେ

ବିହରେ ସେ ଯେ ନୃପବରେ

ଯାହାର ନବୀନ ଯୌବନେ

ମନ୍ଦହାସ ଅବଲୋକନେ

ଆବେଶ ହୋଇ ଦଣ୍ଡଧାରୀ

ନାରୀ ସ୍ୱଭାବେ ବଶକାରୀ

ମେରୁକୁ ସୂର୍ଯ୍ୟାଲୋକ ପ୍ରାୟେ

ରାଜାର ତେଜ ବୀର୍ଯ୍ୟ ଦେହେ

ତେଜେ ସୂର୍ଯ୍ୟ ତେଜ ରହିତ

ତପସ୍ୟାବଳୁ ପ୍ରିୟବ୍ରତ

ପ୍ରତାପ ଦେଖାଇବା ଅର୍ଥେ

ଆରୋହୀ ଜ୍ୟୋତିର୍ମୟ ରଥେ

ରଜନୀ ଦିବସେ ଭ୍ରମଇ

ଦ୍ୱିତୀୟ ସୂର୍ଯ୍ୟ ପ୍ରାୟ ହୋଇ

ଏମନ୍ତ ଦେଖି ରାଜା ବ୍ରତ

ମନୁ ମିଳିଲେ ରାଜାଗ୍ରତ

ଏ ତୁମ୍ଭ ଅଧିକାର ନାହିଁ

ନିଷେଧ କଲେ ରାଜା ତହିଁ

ସେ ରାଜା ରଥର ଚକ୍ରର

ହୋଇଲା ଯେତେକ ବିସ୍ତାର

ତେଣୁ ସାତସିନ୍ଧୁ ହୋଇଲା

ପୃଥିବୀ ସପ୍ତଭାଗ କଲା

ଶାକ ଶାଳ୍ମଳୀ ଜମ୍ବୁ ପ୍ଳକ୍ଷ

କୁଶ ପୁଷ୍କର ଆଉ କ୍ରୌଞ୍ଚ

ଏପରି ସାତ ଭାଗ ହେଲା

ସେ ରାଜା ଆନନ୍ଦେ ବୁଡିଲା

ଆନନ୍ଦମନ ଦଣ୍ତଧାରୀ

ଏହା ସେ କର୍ମରେ ବିଚାରି

ପୁତ୍ରଙ୍କୁ ଅନୁଗ୍ରହ କଲେ

ଯଥା ବିଭାଗ କରିଦେଲେ

ଦୁହିତା ଉର୍ଜ୍ଜସ୍ୱତୀ ନାମ

ତାହାକୁ କଲେ ଶୁକ୍ର ଦାନ

ତାହାର ଗର୍ଭେ ଦେବଯାନୀ

ଜନ୍ମ ହୋଇଲା ଏ ଧରଣୀ

ଏଥୁ ଅନ୍ତରେ ରାଜା ଚିତ୍ତେ

ସୁନିନ୍ଦା କଲା ସେ ବହୁତେ

କୁସଙ୍ଗେ ଆସକ୍ତ ସେ ହେଲା

ବଡ଼ ଅସାଧୁପଣ କଲା

ଏଣୁ ଇନ୍ଦ୍ରିୟ ବଶ ହୋଇ

ଅବିଦ୍ୟା ବିଷୟରେ ମୋହି

ଏଣୁ ଏ ଧିକ ମୋ ଜୀବନ

ବିଶ୍ୱାସ ମନରେ ପ୍ରସନ୍ନ

ଈଷ୍ଟ ଦେବତା ପ୍ରସନ୍ନରେ

କ୍ରୋଧ ଜନ୍ମିଲା ରାଜାଠାରେ

ବିଷୟ ଚେଷ୍ଟା ସେ ଛାଡ଼ିଲା

ଇନ୍ଦ୍ରିୟ ମାନ ନିରୋଧିଲା

ରାଜା ସମ୍ପଦ ନ ଇଚ୍ଛିଲା

ଯଥା ବିଭାଗେ ପୁତ୍ରେ ଦେଲେ

ସପତ୍ନୀ ତେଜେ ମୃତପ୍ରାୟେ

ମୃତ ହେଲା ଶରୀର ମୟେ

ମହାନ୍ତ ଭାଗ ଭଗବାନ

ନାରଦ ବ୍ରହ୍ମାର ନନ୍ଦନ

ତାହାଙ୍କ ପଥ ଆଶ୍ରେ କଲା

ନିଶ୍ଚୟେ ନିବୃତ୍ତ ହୋଇଲା

ଯେଉଁ ରାଜାର ଏତେ କୃତ୍ୟ

ଗାୟନ କରନ୍ତି ଜଗତ

ପ୍ରିୟବ୍ରତର କଲା କର୍ମ

ଏହା କେ କରିବାକୁ କ୍ଷମ

ଏହାର ରଥ ଚକ୍ର ମାର୍ଗେ

ସାତ ସମୁଦ୍ର ମହୀଭାଗେ

ଭାଗ ବିଭାଗ ମହୀ କରି

ଦିଗ ଉପଦିଗ ବିଚାରି

ଯେ କଲା ମନୁର କୁମର

ପୃଥିବୀ ମଧ୍ୟେ ଅଗୋଚର

ସେ ପ୍ରିୟବ୍ରତର ମହିମା

ତ୍ରୈଲୋକ୍ୟେ କେ ଦେବ ଉପମା

ପ୍ରିୟ ଅଖିଳ ଲୋକଙ୍କର

ମହୀ ମହିମା ନୃପବର

ପ୍ରିୟବ୍ରତ ରାଜା ଚରିତ

କହଇ ବିପ୍ର ଜଗନ୍ନାଥ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ପଞ୍ଚମସ୍କନ୍ଧେ ପ୍ରିୟବ୍ରତ ରାଜା ଚରିତେ
ନାମ ପ୍ରଥମୋଽଧ୍ୟାୟଃ ।

•••

 

ଦ୍ୱିତୀୟ ଅଧ୍ୟାୟ

 

ଶ୍ରୀଶୁକ ଉବାଚ

ଏମନ୍ତେ ପିତାର ଅନ୍ତରେ

ପିତାର ଆଜ୍ଞା ଘେନି ଶିରେ

ଜମ୍ବୁଦ୍ୱୀପର ପ୍ରଜାଜନ

ଅଗ୍ନିଧ୍ର କରଇ ପାଳନ

ଏମନ୍ତେ କେତେ ଦିନ ଗଲା

ଅଗ୍ନିଧ୍ର ମନେ ବିଚାରିଲା

ସନ୍ତୋଷେ ପିତୃ ଲୋକଙ୍କର

ଏମନ୍ତେ ହୋଇଲା ବାହାର

ଏମନ୍ତ ମନେ ବିଚାରିଲା

ମନ୍ଦର ଗିରିରେ ମିଳିଲା

ସୁର ବନିତା କ୍ରୀଡାସ୍ଥାନେ

ତହିଁର ନିଗମ ଯେ ବନେ

ସଂସାର କର୍ମକୁ ଯେ ଧ୍ୟାୟି

ବସିଲା ସ୍ଥିରମନ ହୋଇ

ତାହା ଜାଣିଲେ ଭଗବାନ

ଯେ ପ୍ରଭୁ ସୃଷ୍ଟିର କାରଣ

ଅତି ସୁନ୍ଦରୀ ଅପସରୀ

ପୂର୍ବଚିତ୍ତି ନାମ ତାହାରି

ତାହାର ଉପବନ ଲାଗେ

ମିଳିଲା ଅପସରୀ ବେଗେ

ଅତି ମଞ୍ଜୁଳ ମନୋହାରୀ

ବିବିଧ ବିଟପୀ ଆଚରି

ଘନ କାନନ ଲତାମାନ

ଅଛନ୍ତି ନାନା ପକ୍ଷୀଗଣ

କର୍ଣ୍ଣାଭିରାମ ଧ୍ୱନିମାନେ

କରନ୍ତି ହରଷିତ ମନେ

ସ୍ୱଚ୍ଛ ନିର୍ମଳ ସ୍ୱାଦୁ ବାରି

ବିବିଧ ଜଳାଶୟ ପୂରି

କୁକ୍‌କୁଟ କାରଣ୍ତବ ହଂସ

କରନ୍ତି ଋତୁରେ ବିଳାସ

କାନନେ ନାନା ପୁଷ୍ପସାର

ପଦ୍ମ ପୂରିତ ସରୋବର

ମଧୁପବନ ବହେ ନିତ୍ୟେ

ତା ଦେଖି କନ୍ୟା ତୋଷଚିତ୍ତେ

କରଇ ଲଳିତେ ଗାୟନ

ବିନ୍ୟାସେ ପାଦଗତିମାନ

ଚରଣେ ନୂପୁର ତାହାର

ଧ୍ୱନି ଉଠଇ ନିରନ୍ତର

ଅତି ମଞ୍ଜୁଳ ତାହା ଶୁଣି

ନୃପକୁମର ଶିରୋମଣି

ସମାଧି ଯୋଗରୁ ତାହାର

ନୟନ କମଳ ଯୁଗଳ

ଈଷିତେ ବିକଶିତ ହେଲା

ମଧୁ ମଧୁରେ ସେ ହସିଲା

ନିକଟେ ତାର ମୁଖ ଦେଖି

ପିଛାଡି ନ ପାରଇ ଆଖି

ଭ୍ରମର ପତ୍ନୀ ସେ ଯେସନ

ପୁଷ୍ପ ଲୋଡଇ ବନେ ବନ

ଦେବତା ଆଦିକରି ଯେତେ

ଉଲ୍ଲାସ ହୁଅନ୍ତି ଜଗତେ

ବିହାର ଅବଲୋକନରେ

ଶରୀର ବଚନ ମଧୁରେ

ପ୍ରାଣୀର ମନକୁ ସେ ନେଇ

ଅନଙ୍ଗେ ଅସ୍ଥିର କରାଇ

ସେ ଯେତେବେଳେ ବାକ୍ୟକହି

ବଦନୁ ସୁଗନ୍ଧ ବାସଇ

ତେଣୁ ଲୁବ୍‌ଧକ ଭୃଙ୍ଗଗଣ

ଭ୍ରମନ୍ତି ତାର ସନ୍ନିଧେଣ

ଯେଣୁ ନପାରେ ବେଗେ ଯାଇ

ପବନେ ବସନ ଚଳଇ

ତା ଦେଖି ନୃପତି ନନ୍ଦନ

ହୋଇଲା ଅନଙ୍ଗେ ବନ୍ଧନ

ଜଡର ପ୍ରାୟ ସେ ହୋଇଲା

କାହୁଁ ତୁ ଅଇଲୁ ବୋଇଲା

ବନ ଦେବତା ମାୟାକରି

ବନେ ଖେଳିବ ବନ ହେରି

କାମର ଅସ୍ତ୍ରମାନ ଯୋଖି

କି ଅର୍ଥେ ବୁଲୁ ତୁ ମୃଗାକ୍ଷୀ

ମୋ ଆଗେ କହ ତୁ ବଚନ

ମୃଗକୁ ଲୋଡୁ କି କାରଣ

ତୋ ବେନି କମଳଲୋଚନ

ନିଶ୍ଚୟ ଅନଙ୍ଗର ବାଣ

କାହାକୁ ବିନ୍ଧିବୁ ସୁନ୍ଦରୀ

କହ ତୁ ମାୟା ଦୂରକରି

ଯେଉଁ ଲୋକରେ ଦୟା କରି

ଅନଙ୍ଗ ଅନଳେ ନ ମାରି

ଚରଣ ପଙ୍କଜେ ତୋହର

ମଧୁର ବାଜଇ ନୂପୁର

ଶରୀର ପୁଲକ ତୋହର

ଉତ୍ପଳ ଘନ କୁଚଭାର

କି ଅବା ଚକ୍ରବାକ ବେନି

ଶରୀରେ ବହିଛୁ କାମିନୀ

ମଧ୍ୟଭାଗ ଯେ ଜାଣ ତୋର

ଅଟଇ ଅତି ମନୋହର

ତହିଁ ମୋ ନୟନ ଯୁଗଳ

ଆଶ୍ରୟ କଲାକ ନିଶ୍ଚଳ

ଏ ମୋର ତପୋବନ ଭୂମି

ଅତି ସୁନ୍ଦର କଲୁ ପୁଣି

ଯାହାର ନୟନ ଗୋଚର

ହୋଇବ ରୂପଗୁଣ ତୋର

ଅନଙ୍ଗ ବଶ ହୋଇ ସେ କି

ରହିବ ଏମନ୍ତ ହୋଇ କି

ଅଭୁତ ସୁଧାରସ ସାର

ଆନନ୍ଦ କରଇ ଅଧର

ସୁରଙ୍ଗ ଦିଶଇ ତାହାର

କି ଅବା ଦେବା ପଟ୍ଟାନ୍ତର

ବିଷ୍ଣୁ କଳାକୁ ତୁ କି ଧରି

ମର୍ତ୍ତ୍ୟକୁ ଅଇଲୁ ସୁନ୍ଦରୀ

ମକର କୁଣ୍ଡଳ ତୋ କର୍ଣ୍ଣେ

ଚଞ୍ଚଳ ମୀନ କି ନୟନେ

ଏ ତୋର ଦନ୍ତପନ୍ତୀ ଦୁଇ

ଡାଳିମ୍ୱ ମଞ୍ଜିକୁ ଗଞ୍ଜଇ

ଏ ବନ ସରୋବରେ ମୁହିଁ

କଷ୍ଟେ ତପସ୍ୟା ଆଚରଇ

ତପସ୍ୟା ପୂର୍ଣ୍ଣ ହେଲା ମୋର

ଯେଣୁ ତୁ ନୟନ ଗୋଚର

କିବା ପ୍ରଭୁଙ୍କ ପ୍ରସନ୍ନରେ

ସୁନ୍ଦରୀ ମିଳିଲୁ ମୋହରେ

ପ୍ରସନ୍ନ ହୁଅ ମୋତେ ତୁହି

ମିତ୍ର ଭାବରେ ମୁଁ ଭଜଇ

ତୋତେ ତ ନ ଜାଣଇ ମୁହିଁ

ବ୍ରହ୍ମା କି ଦେଲେ ପଠିଆଇ

ତୋ ରୂପ ଦେଖି ମୋର ମନ

ରହିଲା ନିଶ୍ଚଳ ନୟନ

ହେ ପୀନସ୍ତନା ଶୁଭ୍ରକେଶୀ

ତୁ ମୋତେ ଭଜ ଗୋ ବିଶେଷି

ବ୍ରତ ମୋହର ତୋର ପାଇଁ

ସୁଫଳ ହୋଇଲାକ ସହି

ସୁଫଳ କର ସଖି ଏହା

ସ୍ୱଭାବେ ତୁହି ପୁଣ୍ୟଦେହା

ଏମନ୍ତେ ସେହି ନୃପମଣି

କହି ବିବିଧ ଚାଟୁବାଣୀ

ମଧୁର କୋମଳ ବଚନ

କହି ହରିଲା କନ୍ୟାମନ

ନୃପକୁମର ରୂପ ଗୁଣ

ବିଦ୍ୟା ଯୌବନ ଶୂରପଣ

ଏମନ୍ତ ଗୁଣେ କନ୍ୟା ମନ

ତକ୍ଷଣେ ହୋଇଲା ବନ୍ଧନ

ଅଗ୍ନିଧ୍ର ସହିତେ ସୁନ୍ଦରୀ

ଲକ୍ଷେ ବରଷ ଭୋଗକରି

ଜମ୍ୱୁଦ୍ୱୀପରେ ରାଜା ହୋଇ

ବିବିଧ ଭୋଗ ସେ ଭୁଞ୍ଜଇ

ପୂର୍ବଚିତ୍ତି ଗର୍ଭୁ ସମ୍ଭୁତ

ହୋଇଲେ ଅଗ୍ନିଧ୍ରର ସୁତ

ଇଳାବୃତ୍ତ ଯେ ହରି ବର୍ଷ

ନାଭି ରମ୍ୟକ କିଂପୁରୁଷ

ଭଦ୍ରାଶ୍ୱ କୁରୁ ହିରଣ୍ମୟ

କେତୁମାଳ ଯେ ନ’ ଜନୟ

ବରଷ ବରଷକେ ତାର

ହୋଇଲା ଏ ନବକୁମର

ଗୃହକୁ ତେଜି ପୂର୍ବଚିତ୍ତି

ବ୍ରହ୍ମାର ଚରଣେ ସେବନ୍ତି

ମାତାର ପୁଣ୍ୟବଳୁ କରି

କୁମରେ ଧର୍ମକୁ ଆଚରି

ପିତା ବିଭାଗ ଅନୁମତେ

ଜମ୍ୱୁଦ୍ୱୀପକୁ ଯଥୋଚିତ୍ତେ

ଭୋଗ ଯେ କଲେ ଏ କୁମରେ

ପିତାର ଆଜ୍ଞାଘେନି ଶିରେ

ଏଥୁ ଅନ୍ତରେ ପୁଣ ପୁଣ

ହୋଇଲା ଅଗ୍ନିଧ୍ର ରାଜନ

କିଛି ଦିନର ସେ ଅନ୍ତରେ

ରାଜାଧିକାର ପାଇ ତାରେ

ପିତା ପିତୃଲୋକ ଅନ୍ତରେ

ପୁତ୍ର ତା ବିଭା ଏ ସଂସାରେ

ମେରୁର କନ୍ୟାମାନେ ଯେତେ

ବିଭାହୋଇଲେ ବେଦମତେ

ମେରୁ ଦେବୀ ଯେ ପ୍ରତି ରୂପା

ଲତା ରମ୍ୟା ଯେ ଉଗ୍ରଦଂଷ୍ଟ୍ରା

ବେଦାଧିପତି ନାରୀ ଶ୍ୟାମା

ଭଦ୍ରା ସହିତେ ନବକନ୍ୟା

ଏ ନବକନ୍ୟା ବିଭାହେଲେ

ବେଦୋକ୍ତମତେ ସେ ରହିଲେ

କହଇ ବିପ୍ର ଜଗନ୍ନାଥ

ଅଗ୍ନିଧ୍ର ସୁତଙ୍କ ଚରିତ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ପଞ୍ଚମସ୍କନ୍ଧ ଆଗ୍ନୀଧ୍ର ସୁତ ଚରିତେ

ନାମ ଦ୍ୱିତୀୟୋଽୟଃ

•••

 

ତୃତୀୟ ଅଧ୍ୟାୟ

 

ଶ୍ରୀଶୁକ ଉବାଚ

ଅଗ୍ନିଧ୍ରସୁତଙ୍କ ମଧ୍ୟରେ

ନାଭିର ପୁତ୍ର ନୋହିବାରେ

ଇଚ୍ଛା ହୁଅଇ ପୁତ୍ରଠାରେ

ପତ୍ନୀ ମେରୁ ଦେବୀରଠାରେ

ଭଗବାନ ଯଜ୍ଞ ପୁରୁଷେ

ତାହାଙ୍କୁ ଭଜିଲା ବିଶ୍ୱାସେ

ନାଭି ଯେ ଶୁଦ୍ଧଭାବ ଧରି

ମନ୍ତ୍ରେ ଆହୁତି ହବି ଭରି

ତାହାର ଶ୍ରଦ୍ଧାଭାବୁଁ କରି

ଯଜ୍ଞେ ପ୍ରସନ୍ନ ନରହରି

ଭଗବାନ ଭକ୍ତ ଲକ୍ଷଣ

ଯେ ଧର୍ମ ଆତ୍ମାର କାରଣ

ରାଜାର ସନ୍ତୋଷ ନିମନ୍ତେ

ସ୍ୱଇଚ୍ଛା ଅତି ସୁଖ ଚିତ୍ତେ

ମନ ନୟନ ହୃଦ ଦେଶେ

ଆନନ୍ଦକଲେ ଯେ ପ୍ରକାଶେ

ତେଜେ ବିରାଜମାନ ହୋଇ

କୌସ୍ତୁଭମଣି ବିରାଜଇ

ବିରାଜେ ମର୍କତ କୁଣ୍ଡଳ

ନିର୍ମିତ ମୁକୁଟ ଶିରର

ଯେ ଯଜ୍ଞବ୍ରତ ବିପ୍ରଙ୍କର

ଉତ୍ସବ ହୋଇଛି ହୃଦର

ନିର୍ଦ୍ଧନ ଗୃହେ ପାଇ ଧନ

କୋଟିନିଧି ପ୍ରାପ୍ତ ଯେସନ

ତେମନ୍ତ ହୋଇ ଦ୍ୱିଜଗଣେ

ଯଜ୍ଞରେ ଥିଲେ ଯଜମାନେ

ପରମ ବ୍ରହ୍ମକୁ ସେ ପାଇ

ନମିଲେ ଶିରେ କର ଦେଇ

ଭୋ ନାଥ ପରମ କାରଣ

ତୁମ୍ଭର ଆମ୍ଭେ ଭୃତ୍ୟଗଣ

ସର୍ବ ପୂଜିତ ତୁ ଠାକୁର

ସେବା ଯେ ଘେନ ତୁ ଆମ୍ଭର

ଏ ତୋର ଚରଣାରବିନ୍ଦେ

ନମିବୁ ମନର ଆନନ୍ଦେ

ତୋର ଭିଆଣ ଏ ଜଗତ

ପ୍ରକୃତି ପୁରୁଷ ସଂଜାତ

ତ୍ରିଗୁଣେ ଜୀବ ବନ୍ଦୀ ହୋଇ

ଏ ଜୀବ ସଂସାରେ ଭ୍ରମଇ

ସୃଷ୍ଟିର କର୍ତ୍ତା ଯେତେ ଜନ

ସେ ସର୍ବ ତୋହର ଅଧୀନ

ଭୋ ନାଥ ତୋହର ମହିମା

ସଂସାରେ କେ କରିବ ସୀମା

ସାକ୍ଷାତେ ନୁହଇ ଗୋଚର

ଭୋ ପ୍ରଭୁ ରୂପ ଗୁଣ ତୋର

ତୋହର ନାମ ଉଚ୍ଚାରଣ

ସକଳ ପାପ ବିଧ୍ୱଂସନ

ଅଖିଳ ବ୍ରହ୍ମାଣ୍ତ ଠାକୁର

ତୁ ନାଥ କରୁଣା ସାଗର

ମଲ୍ଲିକା ଦୁର୍ବାଦଳ ସାର

ପୂଜନ୍ତି ତୋହର ପୟର

ତେଣେ ତୁ ପରମ ସନ୍ତୋଷ

ପ୍ରସନ୍ନ ହୁଅ ହୃଷୀକେଶ

ଶିଶୁଙ୍କ ବୁଦ୍ଧି ଯେ ଯେସନେ

ତେମନ୍ତ ପ୍ରାୟ ଆମ୍ଭେମାନେ

ପରମ ଦୟାଳୁ ସାଗର

ରାଜାଙ୍କୁ ପ୍ରଭୁ ଦୟାକର

ଏମନ୍ତ ସ୍ତୁତି ଶୁଣି ତୋଷ

ଜଗତ ପ୍ରଭୁ ଯେ ଅଶେଷ

ରାଜାର ଚକ୍ଷୁ ଯେ ଗୋଚରେ

ହୋଇଲେ ଅତି ମନୋହରେ

ପୁଣି କହନ୍ତି ଋଷିଗଣ

ଭୋ ନାଥ ସାବଧାନେ ଶୁଣ

ଜ୍ଞାନ ଆନନ୍ଦେ ପାପ ବହି

ତୋ ପାଦ ପଦ୍ମ ଯୁଗ ଧ୍ୟାୟି

ଯେ ଆତ୍ମାରାମ ମୁନିଗଣେ

ସେବନ୍ତି ତୋହର ଚରଣେ

ଏ ତୋର ଗୁଣ ଜ୍ଞାନମାନ

କରନ୍ତି ଅବିରତେ ଧ୍ୟାନ

ତୁ ନାଥ ଅଖିଳ ଠାକୁର

ପରମ ମଙ୍ଗଳର ଘର

ଆମ୍ଭେ କିଙ୍କର ହୀନଜନ

କରିବୁ କାହିଁ ତୋ ସ୍ମରଣ

ସକଳ କଳୁଷ ନାଶନ

ନିର୍ମଳ ତୋ ଗୁଣ ଗାୟନ

ଆମ୍ଭର ମରଣ ଦଶାରେ

ତୋ ନାମ ହେବ କି ମନରେ

ଏମନ୍ତ କୃପା ପ୍ରଭୁକର

ଅଖିଳ ବହ୍ମାଣ୍ତ ଠାକୁର

ଏବେ ତୁ ଶୁଣି ଭାବଗ୍ରାହୀ

ଏ ରାଜା ପୁତ୍ରକାମୀ ହୋଇ

ତୋର ପ୍ରସାଦେ ଏ କୁମରେ

ମାଗଇ ତୋର ସଦୃଶରେ

ଏ ସର୍ବ ଭୋଗ ଯେ ମୋକ୍ଷପଦ

ସକଳ ଦେଉ ତୁ ଗୋବିନ୍ଦ

ନିର୍ଦ୍ଧନ ପ୍ରାଣୀ ଯେ ଯେସନେ

ମାଗନ୍ତି ଧନବନ୍ତ ଜନେ

ଏଥୁ ଅନ୍ତରେ ସେ ରାଜନ

ନିଶ୍ଚଳ ଚିତ୍ତେ କରି ଧ୍ୟାନ

ଈଶ୍ୱର ମୁଖକୁ ସେ ଚାହିଁ

ହରଷେ ବଚନ ବୋଲଇ

ଭୋ ନାଥ ପରମ ମଙ୍ଗଳ

ପ୍ରସନ୍ନ ହୁଅ ଆଦିମୂଳ

ଏ ତୋର ଚରଣାରବିନ୍ଦ

ଆଶ୍ରୟ ନ କରି ଗୋବିନ୍ଦ

ଏ ଭବ ସାଗରୁ ଯେସନ

ଯାହାରେ ନୁହନ୍ତି ଅଭିନ୍ନ

ତୋର ଚରଣେ ନ ଭଜନ୍ତି

ଅଜ୍ଞାନେ ସଂସାରେ ପଡନ୍ତି

ସକଳ ଭର୍ତ୍ତା ତୁ ଈଶ୍ୱର

ତୋର ଭିଆଣ ଏ ସଂସାର

ଅଖିଳ ବୃନ୍ଦାରକଗଣ

ସେବନ୍ତି ସେ ପ୍ରଭୁ ଚରଣ

ଏମନ୍ତ ନାଭିସ୍ତୁତି ଭଣି

ଦେବାଧିଦେବ ଶିରୋମଣି

ସଦୟେ ଚାହିଁ ଭଗବାନ

କହନ୍ତି କୋମଳ ବଚନ

ଶ୍ରୀ ଭଗବାନୋବାଚ

ହେ ସର୍ବମୁନିଜନ ଯେତେ

ସ୍ତୁତିରେ ବଶ କଲ ମୋତେ

ମୋହର ରୂପ ତ ଅପାର

କି ରୂପେ ହୋଇବି କୁମର

ତପସ୍ୟା-ବ୍ରହ୍ମ ବାକ୍ୟମାନ

ବିଅର୍ଥ ହୋଇବ କେସନ

ବ୍ରହ୍ମାର କୁଳ ଏ ହୁଅଇ

ମୋହର ପାଳିବା ଯୋଗାଇ

ଏବେ ମୁଁ ପୁତ୍ର ରୂପ ହୋଇ

ଅଂଶରେ ଅବତରିବଇଁ

ରାଜାର ହିତେ ମୁନିଗଣ

ଶୁଣିଲେ ଏମନ୍ତ ବଚନ

ଏତେ କହିଣ ନାରାୟଣ

ଅଗ୍ନିରେ ହେଲେ ଅନ୍ତର୍ଦ୍ଧାନ

ଏମନ୍ତେ ମୁନିଗଣ ହେରି

ପ୍ରସନ୍ନ କରାଇଲେ ହରି

ରାଜାର ପ୍ରିୟଭାବ ହୋଇ

ସେ ପ୍ରଭୁ ମେରୁ ଦେବୀଠାଇଁ

ସଂସାରେ ଧର୍ମ ଆଚରଣ

ଅବତରିଲେ ନାରାୟଣ

କହଇ ବିପ୍ର ଜଗନ୍ନାଥ

ରାଜା ଯଜ୍ଞ ସ୍ତୁତି ଚରିତ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ
ବୈୟାସିକ୍ୟାଂ ପଞ୍ଚମସ୍କନ୍ଧେ ରାଜା ଯଜ୍ଞ ସ୍ତୁତି ଚରିତେ

ନାମ ତୃତୀୟୋଽଧ୍ୟାୟଃ ।

•••

 

ଚତୁର୍ଥ ଅଧ୍ୟାୟ

 

ଶ୍ରୀ ଶୁକ ଉବାଚ

ଏଥୁ ଅନ୍ତରେ ଶୁଣ ରାୟେ

ନାଭିରେ ହୋଇଲା ତନୟେ

ଯେତେ ଲକ୍ଷଣ ବିଷ୍ଣୁଠାରେ

ସକଳ ଅଛି ସେ କୁମରେ

ଶାନ୍ତି ବୈରାଗ୍ୟ ଗୁଣ ଯେତେ

ଐଶ୍ୱର୍ଯ୍ୟ ଆଦି ଏ ସମସ୍ତେ

ଅତି ସମ୍ପତ୍ତି ବହୁ ଧନେ

ପାଳିତ ହୁଏ ପ୍ରତିଦିନେ

ବଢଇ ସୁତ ଅନୁଦିନେ

ଶୁକ୍ଳ ପକ୍ଷରେ ଚନ୍ଦ୍ର ଯେହ୍ନେ

ଅମାତ୍ୟ ପ୍ରିୟଜନ ଯେତେ

ଦେବତା ବ୍ରାହ୍ମଣ ସହିତେ

ଅବନୀତଳେ ଯେତେ ଜନ

ସାନନ୍ଦ ହେଲେ ସର୍ବେ ମନ

ତାହାର ବଳ ବୀର୍ଯ୍ୟ ଗୁଣ

ଅତି ଅଭୁତ ଯେ ଲକ୍ଷଣ

ଦେଖି ତା ରୂପ ଯଉବନ

ପିତା ଋଷଭ ଦେଲେ ନାମ

ପୂର୍ବେ ତାହାଙ୍କ ସଙ୍ଗତରେ

ବିବାଦ କଲେ ପୁରନ୍ଦରେ

ଯେ ଭଗବାନ ଯୋଗେଶ୍ୱର

ଋଷଭ ନାମଟି ଯାହାର

ଆପଣା ମାୟା ଯୋଗବଳେ

ଇନ୍ଦ୍ରଙ୍କୁ ନିଧନ ସେ କଲେ

ନାଭି ସେ କର୍ମମାନ ଦେଖି

ଲୋତକେ ପୂର୍ଣ୍ଣ କଲା ଆଖି

ବିକଳେ ଗଦଗଦ ହୋଇ

ମନ୍ଦ ମଧୁରେ ସେ ବୋଲଇ

ଯେ ଭଗବାନ ଯୋଗେଶ୍ୱର

ପୁରାଣ ପୁରୁଷ ଠାକୁର

ମାୟାର ଅଂଶେ ରୂପ ହୋଇ

ଯେ ଲୀଳା ଶରୀରେ ବହଇ

ତାହାଙ୍କୁ ପୁତ୍ରଭାବ କରି

ବଦନେ ବଚନ ଉଚ୍ଚାରି

ସ୍ନେହ ଭାବରେ ସେ ଭଜିଲା

ପରମ ସୁଖ ସେ ପାଇଲା

ଏଥୁ ଅନ୍ତରେ ନୃପମଣି

କୁମର ବୁଦ୍ଧି-ବଳ ଜାଣି

ଆତ୍ମୀୟ ବ୍ରାହ୍ମଣଙ୍କୁ ରାଇ

ରାଜାର ପଣ ପୁତ୍ରେ ଦେଇ

ସେ ମେରୁ ଦେବୀ ପତ୍ନୀ ତାର

ସଙ୍ଗତେ ଘେନି ନୃପବର

ବଦରି ଆଶ୍ରମେ ରହିଲା

ପରମ ତପ ଆଚରିଲା

ସୁହୃଦ ଭାବେ ସେ ରାଜନ

ଚିନ୍ତଇ ପ୍ରଭୁ ଭଗବାନ

କେତେହେଁ ଦିନ ତପ କଲା

ଅନ୍ତେ ସେ ମୁକତି ଲଭିଲା

ତାହାର ଯେତେ ପୁଣ୍ୟାନ୍ତରେ

ଗାୟନ କରନ୍ତି ସଂସାରେ

ଏମନ୍ତ ସଂସାରେ କେ ହେବ

ନାଭିର ପୁଣ୍ୟ ଆଚରିବ

ଯାହାର ଶୁଦ୍ଧଭାବୁ କରି

ପୁତ୍ର ହୋଇଲେ ନରହରି

ସେ ରାଜା ବିପ୍ରେ ଭକ୍ତି ବହି

ଯଜ୍ଞେ ପୂଜିଲେ ଭାବଗ୍ରାହୀ

ଯଜ୍ଞରେ ପ୍ରଭୁ ଚକ୍ରଧର

ହୋଇଲେ ନୟନ ଗୋଚର

ଏଥୁ ଅନ୍ତରେ ନୃପଶୁଣ

ସେ ଯେ ଋଷଭ ଭଗବାନ

ଗୁରୁକୁଳଙ୍କୁ ବଶ କଲେ

ଲୋକରେ ଧର୍ମ ଦେଖାଇଲେ

ସମସ୍ତ ବିଘ୍ନ ପୂର୍ଣ୍ଣ କରି

ଗୁରୁଙ୍କ ଆଜ୍ଞା ଶିରେ ଧରି

ଗୃହସ୍ଥ ଧର୍ମ ଆଚରଣ

କରନ୍ତି ସଂସାର କାରଣ

ଗୁରୁ ସନ୍ତୋଷେ ଦେଲେ ବର

ହୋଇବ ଶତେକ କୁମର

ଏମନ୍ତ ଗଲା କେତେ ଦିନ

ଋଷଭ ରୂପେ ଭଗବାନ

ବେଦ ଉଚିତ କର୍ମ ରୂପେ

ବିଭା ହୋଇଲେ ଯଥୋଚିତେ

ପୂର୍ବରେ ଇନ୍ଦ୍ରର ଦୈବତ

ଐଶ୍ୱର୍ଯ୍ୟ ଆଦି ଯେ ରହିତ

ତହିଁ ବିବିଧ ଭୋଗ କରି

ଆନନ୍ଦେ ସଂସାରେ ବିହରି

ଯଥାକାଳରେ ତାହାଙ୍କର

ହୋଇଲେ ଶତେକ କୁମର

ଏହାଙ୍କ ମଧ୍ୟେ ମହାବୀର

ଶ୍ରେଷ୍ଠ ଯେ ଭରତ କୁମର

ଏ ଭୂମି ଯାହାର ନାମରେ

ଭାରତ ହୋଲାଇ ସଂସାରେ

ଏ ନବ ତାର ଯେ ଅନ୍ତରେ

ହୋଇଲେ ଋଷଭ କୁମରେ

ଯେ ଇଳାବର୍ତ୍ତ କୁଶାବର୍ତ୍ତ

ଇନ୍ଦ୍ରସ୍ପୁକ ଯେ ବ୍ରହ୍ମାବର୍ତ୍ତ

ମଳୟ କେତୁ ଯେ ନନ୍ଦନ

ବିଦର୍ଭ ଆର ଭଦ୍ରସେନ

ବିକଟ ଆଦି ନବ ପୁତ୍ର

ପଛେ କହିବା ତା ଚରିତ

ଭରତ ଅନୁଜ ସେ ନବ

ଶୁଣ କହିବା ରାଜଦେବ

ପ୍ରବୃଦ୍ଧ ଯେ ପିପ୍‌ପଳାୟନ

ଦ୍ରାବିଡ଼ ଆବିର୍ହୋତ୍ର ନାମ

ଚମସ ଅନ୍ତରୀକ୍ଷ କବି

କରଭାଜନ ଆଉ ହବି

ଏ ନବ ଶ୍ରେଷ୍ଠ ଭାଗବତ

ପବିତ୍ର କଲେ ଏ ଜଗତ

ପୂର୍ବେ ବସୁଦେବ ନାରଦ

ଦେଇ ଅଛନ୍ତି ଯେ ସମ୍ବାଦ

ସେଠାରେ ବର୍ଣ୍ଣିବା ସମସ୍ତ

ଶୁଣ ରାଜନ ପରୀକ୍ଷିତ

ଏକାଶୀ ପୁତ୍ରଙ୍କ ଚରିତ

ଶୁଣ କହିବା ଏକଚିତ୍ତ

ଶ୍ରୋତ୍ରିୟ ସୁଶୀଳ ମହାନ୍ତ

ପିତାର ଆଜ୍ଞାରେ ସେ ରତ

ସାତ୍ତ୍ୱିକ କର୍ମରେ ନିପୁଣ

ସଂସାରେ ହୋଇଲେ ବ୍ରାହ୍ମଣ

ଏ ଅନନ୍ତରେ ଯେ ଈଶ୍ୱର

ଋଷଭ ନାମେ ଯୋଗେଶ୍ୱର

ସେ ନିତ୍ୟ ଅବୟ ଅନନ୍ତ

ପରମାନନ୍ଦ ଯେ ନିବୃତ୍ତ

ମାୟାର ବଳେ ଦେହ ଧରି

ଅନେକ କାଳ ସେ ବିହରି

ଧର୍ମ ଆଚରି ଶିକ୍ଷାଗୁଣ

ଦିଅନ୍ତି ପ୍ରଜାଗଣେ ଦାନ

ପରମ ଦୟାଳୁର ଗୁଣ

ସର୍ବଭୂତରେ ମିତ୍ର ପଣ

ପ୍ରତି ପାଳନ୍ତି ପ୍ରଜା ଜନ

ପୁତ୍ରକୁ ପିତାହିଁ ଯେସନ

ସେହି ପ୍ରକାରେ ନୃପବର

ପାଳନ କରନ୍ତି ସଂସାର

ଉତ୍ତମ କାଳେ ଶୁଦ୍ଧଜଳେ

ନାନା ସମ୍ଭାରେ ସେ ନିଶ୍ଚଳେ

ଅତି ସମ୍ପତ୍ତି ଅନୁକ୍ରମେ

ଯଜ୍ଞ କରନ୍ତି ଶୁଦ୍ଧମନେ

ଏମନ୍ତ କଲେ ଯଜ୍ଞ ଶତ

ବେଦ ଉଚିତ ଯଥୋଚିତେ

ଋଷଭ ପରିପାଳେ ମହୀ

ଏମନ୍ତେ କେ ଅବା ଅଛଇ

ଦରିଦ୍ର ହିଂସା ଖଳ ଆଦି

ଅବିଦ୍ୟାବନ୍ତ ଯେ ପ୍ରସିଦ୍ଧି

ବିଦ୍ୟା ପ୍ରାର୍ଥନା ଯେ କରଇ

ଏମନ୍ତ ଜନ କେହି ନାହିଁ

ଭକ୍ତି ବିଭିନ୍ନ ବିନୁ ଆନ

ଅନ୍ୟ ନ ବାଞ୍ଛନ୍ତି ସେ ଜନ

ଏବେ ହୋ ଶୁଣ ସାବଧାନେ

ଋଷଭ ବୁଲି ଏକଦିନେ

ବ୍ରହ୍ମଋ ସଭା ମଧ୍ୟେ ଯାଇ

ତନୟମାନ ଛନ୍ତି ଯହିଁ

କୋମଳ ମଧୁରବଚନ

ଶିକ୍ଷା ଲଭନ୍ତି ସେ ରାଜନ

କହନ୍ତି ହିତ ବାକ୍ୟମାନ

ଶୁଣନ୍ତି ଯେତେ ସଭାଜନ

କହଇ ଜଗନ୍ନାଥ ଦାସ

ଋଷଭ ନାରାୟଣ ଅଂଶ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ
ବୈୟାସିକ୍ୟାଂ ପଞ୍ଚମସ୍କନ୍ଧେ ଋଷଭ ଚରିତେ

ନାମ ଚତୁର୍ଥୋଽଧ୍ୟାୟଃ װ

•••

 

ପଞ୍ଚମ ଅଧ୍ୟାୟ

 

ଋଷଭ ଉବାଚ

ହେ ପୁତ୍ରମାନେ ସାବଧାନେ

ଶୁଣ ହୋ ଆମ୍ଭର ବଚନେ

ଯେ ପ୍ରାଣୀ କଷ୍ଟେ କର୍ମମାନ

ନିର୍ଭରେ କରେ ଆଚରଣ

ସେ ପ୍ରାଣୀ ବ୍ୟର୍ଥ ଏ ସଂସାରେ

ପଡେ ନରକ ମହାଘୋରେ

ଏ ବ୍ରହ୍ମ କର୍ମ ସତ ଗୁଣ

ତେଜେ ଅନନ୍ତ ଆରାଧନ

ନିର୍ବାଣ ମାର୍ଗେ ଏ ବିଦିତ

ଶୁଣ କହିବା ପୁତ୍ରେ ସତ୍ୟ

ସ୍ତ୍ରୀସଙ୍ଗମ ଆଦି ଯେତେ

ଏ ଘୋରତମ ସତ ସୁତେ

ଯେ ଅବା ସତ୍ୟ ଶାନ୍ତ ଚିତ୍ତେ

ପ୍ରଶାନ୍ତ ସାଧୁ ସେ ଜଗତେ

ଯେ ଜନ୍ମ କ୍ରୋଧ ବିବର୍ଜିତ

ତାହାର ସୁହୃଦ ଜଗତ

ଯେ ପ୍ରାଣୀ ମୋର ପଦ୍ମପାଦେ

ମନ ଅର୍ପଇ ଅପ୍ରମାଦେ

ତାବତ ଗୁଣମୟ ଧର୍ମ

ନୁହଇ ମାୟାରେ ସେ ଭ୍ରମ

ଯାବତ ମୋତେ ନ ଭଜଇ

ଭ୍ରମଇ ମାୟା ଭ୍ରମେ ସେହି

ଅନିତ୍ୟ ଦେହେ ନିତ୍ୟ କରେ

ସେ ସାଧୁ ନୁହଇ ସଂସାରେ

ତାବତ ପରାଭବ ଥାଇ

ଯାବତ ମୋତେ ନ ଚିହ୍ନଇ

ଯାବତ ନାନା କର୍ମ କରେ

ମନ ବଢ଼ଇ ନିରନ୍ତରେ

ତେଣୁ ସେ କର୍ମବଶ ହୋଇ

ନାନା ଶରୀର ସେ ବହଇ

ଅବ୍ୟୟ ବାସୁଦେବ ମୁହିଁ

ମୋହର ସେବା ସ୍ନେହବହି

ସେ ହୁଏ ଗୃହବନ୍ଧୁ ପାର

ଯେଣୁ ଚିହ୍ନଇ ସେ ଈଶ୍ୱର

ସ୍ୱପ୍ନର ପ୍ରାୟେ ଦେହେ ନର

କରଇ ନାନା ଅହଂକାର

ନିଦ୍ରାରେ ଯେହ୍ନେ ସୁଖ ଭୋଗ

ଜାଗ୍ରତେ ପାଇ ଲାଭାଲାଭ

ଗୃହ ବନ୍ଧନର କାରଣେ

ନାନା ସଙ୍ଗତ ବନ୍ଧୁ ଜନେ

ସ୍ତିରୀ ପୁରୁଷ ଭାବ ହୋଇ

ତହିଁରେ ମନକୁ ବାନ୍ଧଇ

ମୋହର ଗୃହ ମୋର ଧନ

ବୋଲି ମାୟାରେ ହୋଇଛନ୍ନ

ଯାବତ କର୍ମ ବନ୍ଧମାନ

ନୁହଇ ତାହାର ଖଣ୍ତନ

ଯାବତ ପାଦପଦ୍ମେ ଧ୍ୟାନ

ଆଶ୍ରୟ ନ କରନ୍ତି ଜନ

ପାଦପଲ୍ଲବ କରେ ଧରି

ତରନ୍ତି ଏ ଭବ ଲହରୀ

ଅଖିଳ ଗୁରୁ ମୁଁ ଯେ

ମୋତେ ଭଜିବେ ସ୍ନେହକରି

ନିବୃତ୍ତେ ତୁଷ୍ଟହୋଇ ନରେ

ଭକ୍ତି କରିବେ ମୋହଠାରେ

ବେଶ ବସନହିଁ ଛାଡିବେ

ଭକ୍ତିରେ ମୋତେ ଆରାଧିବେ

ମୋହର ଗୁଣ କର୍ମମାନ

ନିରତେ କରିବେ କୀର୍ତ୍ତନ

ଇନ୍ଦ୍ରିୟ ଗୁଣକୁ ନିବାରି

ଅଧ୍ୟାତ୍ମ୍ୟ ବିଦ୍ୟାକୁ ବିଚାରି

ଶ୍ରଦ୍ଧାରେ ବ୍ରହ୍ମଚର୍ଯ୍ୟ କରେ

ପ୍ରଶାନ୍ତ ସତ୍ୟ ବଚନରେ

ମୋହର ଭାବ ଅନୁକ୍ଷଣେ

ଚିତ୍ତେ ଅର୍ପିବ ସୁଲକ୍ଷଣେ

ଭବଜଳରୁ ସେ ତରଇ

ତାହାର ଗୃହବନ୍ଧ କାହିଁ

କର୍ମ କରିବ ଯେ ସଂସାରେ

ଅର୍ପିବ ମୋହର ପୟରେ

ତାହାର କର୍ମ ବନ୍ଧ ମୁହିଁ

ଅକ୍ଳେଶେ ନିଶ୍ଚୟ ଛେଦଇ

ଆତ୍ମାର ଶ୍ରେଷ୍ଠ କର୍ମଠାରେ

ଶ୍ରଦ୍ଧା ନ କରନ୍ତି ଯେ ନରେ

ଅଳପ ସୁଖେ ମୋଦ ଭରି

ଅନ୍ୟୋନ୍ୟେ ହିଂସାକୁ ଆଚରି

ଅଶେଷ ଦୁଃଖର କାରଣ

କରନ୍ତି ହୋଇ ମତିଭ୍ରମ

ଦୃଷ୍ଟି ତାହାର ତହିଁ ରହି

ଅବିଦ୍ୟା ସମୂହ ଦେଖଇ

ଅନ୍ଧ ଯେସନେ ପଥ ଥାଇ

କଣ୍ଟକ ଦୁର୍ଗମେ ଗମଇ

ସେ ନୁହେଁ ଗୁରୁ ମିତ୍ରହିତା

ସୁହୃଦ ଜନ ଆତ୍ମା ମାତା

ନିୟତେ ମୃତ୍ୟୁ ନ ବିଚାରେ

ଏମନ୍ତ ଅଛି ଏ ସଂସାରେ

ମୃଢ଼େ ଜାଣିବେ ଅବା କାହିଁ

ଅନିତ୍ୟ ମାୟାରେ ଭ୍ରମଇ

ଭୋ ପୁତ୍ର ଶୁଣ ମୋ ଉତ୍ତର

ଏ ଯେ ମୋହର କଳେବର

ଅଷ୍ଟାଙ୍ଗ ଯୋଗ ଧ୍ୟାନମତେ

ମୁନି ଚିନ୍ତନ୍ତି ଅବିରତେ

ଯେଣୁ ଆମ୍ଭର ତୁମ୍ଭେ ସୁତ

ପରମ ଶ୍ରେଷ୍ଠ-ଭାଗବତ

ଏବେ ଏମନ୍ତ ତୁମ୍ଭେ କର

ମନକୁ ସମର୍ଥେଣ ଧର

ଅକ୍ଳେଶ ବୁଦ୍ଧିରେ ସମସ୍ତେ

ମୋ ରୂପ ଭଜ ଯଥୋଚିତେ

ମୋର ବଚନ ଧରି ଚିତ୍ତେ

ସୁଖେ ବିହର ଏ ଜଗତେ

ସର୍ବ ଭୂତରେ ମୁହିଁ ଥାଇ

ସୁଖ ଦୁଃଖାଦି ମୁଁ ଭୁଞ୍ଜାଇ

ଭୂତ ଗନ୍ଧର୍ବ ସେ ମାନବ

ପ୍ରମଥ ଗଣ ମହାଦେବ

ସେ ବ୍ରହ୍ମସୁତ ଦୈତ୍ୟ ଆଦି

ମୋର ଶରୀରେ ଏ ପ୍ରସିଦ୍ଧି

ସର୍ବେ ଦେହର ମଧ୍ୟେ ସାର

ସଂସାରେ ବିପ୍ର କଳେବର

ଶ୍ରଦ୍ଧାରେ ଶୁଦ୍ଧମନେ ଯେହି

ଯେ ଦ୍ରବ୍ୟ ବିପ୍ରଙ୍କୁ ଦିଅଇ

ସନ୍ତୋଷେ ଭକ୍ଷଇ ମୁଁ ତାହା

ଯଜ୍ଞେ ସନ୍ତୋଷ ନୋହେ ଯାହା

ଯମ ନିୟମ ବେଦମତେ

ପୂଜନ୍ତି ଯଥୋଚିତେ

ସକଳ ପରଙ୍କ ଅପର

ମୁହିଁ ଅନନ୍ତ ଯେ ଈଶ୍ୱର

ସର୍ବ ମୋକ୍ଷାଦି ଦାତା ମୁହିଁ

ମୋ ବିନୁ ଅନ୍ୟ କେହି ନାହିଁ

ଯେ ପ୍ରାଣୀ ଅକିଞ୍ଚନ ଦେହି

ମୋହର ପାଦେ ମନଦେଇ

ତାହାର ଯେତେ କର୍ମମାନ

ସକଳ କରଇ ଗ୍ରହଣ

ମୋହର ପୂଜା ତୁମ୍ଭେମାନେ

କଲେ ଯେ ଯଥାର୍ଥ-ବିଧାନେ

ସଶ୍ରଦ୍ଧା ଅବଲୋକନରେ

ସ୍ଥିରମନ ବାକ୍ୟ ବୁଦ୍ଧିରେ

ମୋହର ଅନୁଗ୍ରହ ହେଲେ

ସଂସାରେ ପ୍ରାଣୀ ଥାନ୍ତି ଭଲେ

ଶମନ ପାଶ ବନ୍ଧନରୁ

ତରନ୍ତି ମହା ସଂକଟରୁ

ଶ୍ରୀଶୁକ ଉବାଚ

ଏମନ୍ତ ଶିକ୍ଷା ପୁତ୍ରେ ଦେଇ

ଋଷଭ ପ୍ରଭୁ ଭାବଗ୍ରାହୀ

ପ୍ରାଣୀଙ୍କ ନିସ୍ତାର କାରଣ

ଧର୍ମ ବିସ୍ତାରିଲେ ଆପଣ

ତନୟ ଶତମଧ୍ୟେ ସାର

ଶ୍ରେଷ୍ଠ ଯେ ଭରତ କୁମର

ପରମ ଭାଗବତ ସେହି

ନିରତେ ପ୍ରଭୁଙ୍କୁ ଭଜଇ

ସାଧୁ ସଙ୍ଗତେ ଅବିରତ

ତାହାଙ୍କ ଗୁଣ ଯେ ବହୁତ

ଅବନୀ ପାଳନର ପାଇଁ

ରାଜତ୍ୱପଣ ତାଙ୍କୁ ଦେଇ

ଯେ ମୁକ୍ତ ଧର୍ମ ମହାମୁନି

ଜ୍ଞାନ ବିଜ୍ଞାନ ଭକ୍ତି ଘେନି

ତାହାଙ୍କ ଲକ୍ଷଣ ଆଚରି

ଋଷଭ ପ୍ରଭୁ ନରହରି

ବାହ୍ୟେ ଶରୀର ମାତ୍ର ଧରି

ଉନ୍ନତ ଭାବକୁ ଆଚରି

ବିକୀର୍ଣ୍ଣ କରି କେଶ ବାସ

ଉଲଗ୍ନ କରି କଟିଦେଶ

ସେ ଯେ ବଧିର ଜଡ଼ ମୂକ

ତମ୍ୱାର ପ୍ରାୟ କେଶଯାକ

ଏମନ୍ତ ଅବଧୂତ ବେଶ

ଧରି ସେ ବ୍ରହ୍ମାଣ୍ତର ଈଶ

ପ୍ରାଣୀଙ୍କି ବଚନ ନ କହି

ମୌନବ୍ରତକୁ ସେ ଘେନଇ

ସକଳ ପୁର ଗ୍ରାମ ଗିରି

ପୁର କାନନ ଆଦି କରି

ଦୁର୍ଜ୍ଜନ ଦୁଷ୍ଟର ବଚନ

ମୂତ୍ର ପୁରୀଷ ପ୍ରକ୍ଷେପଣ

ଏ ପରାଭବ ସେହୁ ବହି

ସୁଖେ ଭ୍ରମନ୍ତି ଏହା ମହୀ

ଆପଣାଠାରେ ମନ ଦେଇ

ନିତ୍ୟ ଆନନ୍ଦମନା ହୋଇ

ଅତି କୋମଳ ସୁକୁମାର

ଚରଣ ଯୁଗ ବେନିକର

ବିପୁଳ ଉଚ୍ଚ ବକ୍ଷସ୍ଥଳ

ମଞ୍ଜୁଳ ବଦନ କମଳ

ଅତି ସୁନ୍ଦର ସେ ଶରୀର

ଈଷତ ହାସ୍ୟ ବିମ୍ବାଧର

ନବ ନଳିନ ଦଳ ଯେହ୍ନେ

ଲୋଚନ ଯୁଗଳ ତେସନେ

ସୁବର୍ଣ୍ଣସୁସଞ୍ଚ କପୋଳ

ନିଗୂଢ଼ କଣ୍ଠ ଯେ ମଞ୍ଜୁଳ

ସେ ରୂପ ଦେଖିଣ ନୟନେ

ଭାବେ ସେ ସୁରପତ୍ନୀମାନେ

କୁସୁମ ଗନ୍ଧବାସେ ମନ

ତକ୍ଷଣେ ହୋଇ ଛନ୍ନ ଛନ୍ନ

ଯେ ବ୍ରତ ଅତି ଭୟଙ୍କର

ଅଜଗରର ଯେ ଆଚାର

ସେ ଅଜଗର ପ୍ରାୟ ହୋଇ

ରହିଲେ ନିଜରୂପ ଧ୍ୟାୟି

ଏମନ୍ତେ କହିବଇଁ ତୋତେ

ଅଷ୍ଟାଙ୍ଗ ଯୋଗ ନାନାମତେ

କରି ସେ ବଇବଲ୍ୟ ଦାତା

ଯେ ପ୍ରଭୁ ଯୋଗ୍ୟ ଇଷ୍ଟପିତା

ଏମନ୍ତେ ନାନା ଯୋଗ ଚିନ୍ତି

ସେ ହରି ଭକତର ଗତି

ସକଳ ଆତ୍ମା ଭୂତେ ସେହି

ଋଷଭ ଅଂଶେ ଦେହ ବହି

ପରମ ପ୍ରଭୁ ଯୋଗେଶ୍ୱର

ଯୋଗ ସାଧିଲେ ଅପାର

ସେ ପ୍ରଭୁ ଚରଣେ ମୋ ଚିତ୍ତ

ନିଶ୍ଚଳେ ରହୁ ଅବିରତ

କହଇ ବିପ୍ର ଜଗନ୍ନାଥ

ଜନ ନିସ୍ତାରେ ଭାଗବତ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ପଞ୍ଚମସ୍କନ୍ଧେ ଋଷଭ ରାଜପୁତ୍ର ଧର୍ମାଚରଣେ

ନାମ ପଞ୍ଚମୋଽଧ୍ୟାୟଃ

•••

 

ଶ୍ରୀମଦ୍‌ ଭାଗବତ ପଞ୍ଚମ ସ୍କନ୍ଧ

ଷଷ୍ଠ ଅଧ୍ୟାୟ

 

ଶ୍ରୀଶୁକ ଉବାଚ

ସେ ସର୍ବଭୂତ ଆତ୍ମା ଧାର

ଋଷଭ ଅଂଶେ ଅବତାର

ଯାହାର ନାମ ଯୋଗେଶ୍ୱର

ଯୋଗ ସାଧିଲେ ସେ ଅପାର

ରାଜୋବାଚ

ମୋର ସଂଶୟ ହୃଦଗତେ

ଭୋ ମୁନି କହ ତୋଷଚିତ୍ତେ

ଯେ ଇଚ୍ଛାବିହାରୀ ପୁରୁଷ

ସକଳ କର୍ମରେ ଯେ ଈଶ

ଏରୂପେ କିବା କାର୍ଯ୍ୟ ତାର

ସଂଶୟ ଫେଡ ମୁନିବର

ଅଷ୍ଟ ଐଶ୍ୱର୍ଯ୍ୟ ଦାତା ହୋଇ

ଏଡ଼େ କ୍ଲେଶ ଯେ କାହିଁ ପାଇଁ

ଶ୍ରୀଶୁକ ଉବାଚ

ଯେ ପ୍ରଶ୍ନ କଲ ହୋ ରାଜନ

କହଇ ଶୁଣ ସାବଧାନ

ଐଶ୍ୱର୍ଯ୍ୟ ଆଦି ଧନ ଯେତେ

ନିତ୍ୟେ କଦର୍ଯ୍ୟ ମହୀପତେ

ଯାହାର ମୂଳ ଲୋଭ ଜ୍ଞାନ

ଶୋକ ହରଷ ଆଦି କାମ

ଏ ସର୍ବ ଯାର ମୂଳ ହୋଇ

ପ୍ରାଣୀଙ୍କି ବନ୍ଧନ କରଇ

କେ ଏହା ସାଧ୍ୟ କରୁ ମନେ

ମୂଢ଼ ପାମର ହୀନଜନେ

ଏବେ ହୋ ଶୁଣ ମହୀପାଳ

ରାଜା ଋଷଭ ମହାବଳ

ଯାର ଅଖିଳ ଲୋକପାଳ

ବହନ୍ତି ଚରଣ ଯୁଗଳ

ସେ ଦେବ ନାନାଦି ଲକ୍ଷଣେ

ଜଡ଼ର ପ୍ରାୟ ଆଚରଣେ

ଭ୍ରମନ୍ତି ନାନା ଦେଶ-ଗ୍ରାମେ

ଯୋଗ ଶିଖାଇ ଯୋଗୀଗଣେ

ଏମନ୍ତେ ଗଲା କେତେଦିନ

ଶୁଣ ରାଜନ ଏକମନ

ଋଷଭ ମନେ ବିଚାରିଲେ

ଏ ଦେହ ଛାଡିବୁ ବୋଇଲେ

ଆତ୍ମାରେ ମନକୁ ବୁଡାଇ

ନିଶ୍ଚଳ ଧ୍ୟାନେ ମନ ଦେଇ

ଏମନ୍ତେ ମୁକ୍ତି ଫଳରୂପ

ହୋଇ ସେ ଈଶ୍ୱର ସ୍ୱରୂପ

ମୃତ୍ୟୁର ପ୍ରାୟ ଦେହମନ

ଇଚ୍ଛା ଜିହ୍ୱାରେ ମହାଜ୍ଞାନ

ଦକ୍ଷିଣ କର୍ଣ୍ଣାଟ ସହରେ

ମିଳିଲେ କୁକ୍‌କୁଟ ନଗରେ

ତହିଁର ଉପବନେ ସେହି

ବୁଲନ୍ତି ମୁକ୍ତବେଶ ହୋଇ

ଏମନ୍ତେ ପବନ ବେଗରେ

ଅଗ୍ନି ଜଳିଲା ଅତି ଖରେ

ବନସ୍ତ ଜୀବ ବୃକ୍ଷମାନ

ଶୀଘ୍ର ସେ କରଇ ଦହନ

ସେ ଜଡ଼ ରୂପ ଯୋଗେଶ୍ୱର

ପଶିଲେ ଅଗ୍ନିର ଭିତର

ପବନ ବେଗେ ଅଗ୍ନିଖରେ

ଦହିଲା ତାହାଙ୍କ ଶରୀରେ

ପାଷାଣ୍ତ ପଣ ଯେଣୁ ହୋଇ

କୁପଥମାନ ସେ ଲଭଇ

କଳିଯୁଗରେ ନରନାଥ

ହୋଇବେ ମାୟା ବିମୋହିତ

ଶୌଚ ପବିତ୍ର ଦୂର କରି

ଦେବତା ନିନ୍ଦା ସେ ଆଚରି

କଳିର ଆଚର ଯେସନ

ତହିଁରେ ହୋଇ ମତିଭ୍ରମ

ଦେବ ବ୍ରାହ୍ମଣ ଯଜ୍ଞମାନ

ନିନ୍ଦା କରିବେ ଅନୁକ୍ଷଣ

ସ୍ୱପଥ କର୍ମ ଯେ ହୁଡ଼ିବେ

କୁ ମାର୍ଗ ପଥ ଆଚରିବେ

କହିବା ଶୁଣ ନୃପବର

ଏ ଯେ ଋଷଭ-ଅବତାର

ରାଜସ ଗୁଣରେ ଏ ଯୁକ୍ତ

ଭକତି କଲେ ସେ ବିଖ୍ୟାତ

ଯାହାର ଗୁଣ ଏ ସଂସାରେ

ଗାୟନ କଲେ ସାଧୁନରେ

ସପତ ସିନ୍ଧୁ ଆଦିକରି

ଆବର ଯେତେ ବସୁନ୍ଧରୀ

ଦ୍ୱୀପ ବରଷ ଭଦ୍ରସେନ

ଯହିଁର ଜନ୍ମ ପ୍ରାଣୀମାନ

ଅଖିଳ ଜନ ଯେ ଠାକୁର

ତାହାର ଜନ୍ମ ଅବତାର

ଗାୟନ କରନ୍ତି ହରଷେ

କେବା ଅଜ୍ଞାନ ପାପ ନାଶେ

ଧନ୍ୟ ସେ ପ୍ରିୟବ୍ରତ ବଂଶେ

ଯହିଁ ଜନ୍ମିଲେ ବିଷ୍ଣୁ ଅଂଶେ

ଧନ୍ୟ ସେ ରାଜା ମଧ୍ୟେ ଶ୍ରେଷ୍ଠ

ଭକ୍ତ ମଧ୍ୟରେ ସେ ଗରିଷ୍ଠ

ଏହାର ତୁଲେ କେ ଆଚରି

ସେ ବଂଶେ ବିଷ୍ଣୁ ଅବତରି

ଦେବ ବ୍ରାହ୍ମଣ ଗୋରୁ ଆଦି

ଦେବତା ନର ଯେ ପ୍ରସିଦ୍ଧି

ସେ ସର୍ବ ଗୁରୁ ଭଗବାନ

ଋଷଭ ପରମ କାରଣ

ତାହାଙ୍କ ଅଭୁତ କରମ

ବିଶୁଦ୍ଧ ଯେତେ ଆଚରଣ

ପ୍ରାଣୀମାନଙ୍କ ପାପ ହରେ

ପରମ ମଙ୍ଗଳ ମନ୍ଦିରେ

ଶ୍ରଦ୍ଧାରେ ଶୁଣନ୍ତି ଯେ ନରେ

ହରଷେ ଗାବନ୍ତି ସୁସ୍ୱରେ

ଚଞ୍ଚଳ ମନ ସ୍ଥିର କରି

ଯେ ଅବା ବଦନେ ଉଚ୍ଚାରି

ବିଷୟ ନାବେ ବୁଡ଼ିଥାଇ

ଭକ୍ତି ଭେଳାରେ ସେ ତରଇ

ପୁରୁଷୋତ୍ତମକୁ ସେ ପାଇ

ଯାର ପ୍ରସାଦୁ ରକ୍ଷା ହୋଇ

ଶୁଣ କହିବା ନୃପବର

ଯେ ଯଦୁ ବଂଶର ଠାକୁର

ତାହାର ଭୃତ୍ୟକୁ ଭାଜନ

ସେ ଯେ ଅନାଦି ଭଗବାନ

ନାନା ଅବତାରକୁ ବହି

ସଂସାର ପ୍ରାଣୀଙ୍କି ତାରଇ

ଭକ୍ତିରେ ତାଙ୍କୁ ଯେ ଭଜଇ

ସେ ପ୍ରଭୁ ତାକୁ ମୋକ୍ଷ ଦେଇ

ଯେ ନିତ୍ୟେ ଆନନ୍ଦ ଶରୀର

ଯାହାର କୃଷ୍ଣମତି ଦୂର

ପରମ କଲ୍ୟାଣ କାରଣ

ପରଲୋକରେ ପରାୟଣ

ସେ ଯେ ରଷଭ ପ୍ରାଣୀଙ୍କର

ତାହାଙ୍କୁ ମୋର ନମସ୍କାର

କହଇ ବିପ୍ର ଜଗନ୍ନାଥ

ପଞ୍ଚମସ୍କନ୍ଧେ ଭାଗବତ

ସେ ପ୍ରଭୁ ଋଷଭ ଚରଣେ

ମୋ ମନ ରହୁ ଅନୁକ୍ଷଣେ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ପଞ୍ଚମସ୍କନ୍ଧେ ଋଷଭ ଚରିତେ

ନାମ ଷଷ୍ଠୋଽଧ୍ୟାୟଃ ।

•••

 

ସପ୍ତମ ଅଧ୍ୟାୟ

 

ଶ୍ରୀଶୁକ ଉବାଚ

ଭରତ ମହା ଭାଗ୍ୟବନ୍ତ

ଋଷଭେ ହୋଇଣ ସମ୍ଭୁତ

ତାହାଙ୍କ ଆଜ୍ଞା ଶିରେ ଘେନି

ଆନନ୍ଦେ ପାଳନ୍ତି ଅବନୀ

ବିଶ୍ୱ ରୂପାର କନ୍ୟା ସେହି

ବେଦ ବିଧିରେ ବିଭା ହୋଇ

ପଞ୍ଚକୁମରେ ତା ଉଦରେ

ହୋଇଲେ ଅତି ମନୋହର

ଧୂମକେତୁ ସୁଦରଶନ

ସୁମତି ରାଷ୍ଟ୍ରଭୃତ୍ୟ ନାମ

ଅପରେ ଆବରଣ ନାମ

ହୋଇଲେ ଅତି ଅନୁପମ

ଏ ଦେଶ ଅଜ ନାମ ଥିଲା

ଭରତୁ ଭାରତ ହୋଇଲା

ଏମନ୍ତେ ଶୁଣି ପରୀକ୍ଷିତ

ବିଷ୍ଣୁର ଭକ୍ତ ସେ ଭରତ

ବେଦ ପ୍ରମାଣେ ପ୍ରଜାଜନ

ଆଦରେ କରଇ ପାଳନ

ଯେ ଯାହା କର୍ମବିନୁ ନର

ଆନ୍ୟ ନ କରନ୍ତି ଆଚାର

ଯେ ଦଶମାସ ପୂର୍ଣ୍ଣ ଆଦି

ଚତୁର ମାସ ଯେ ପ୍ରସିଦ୍ଧି

ଯେ ଅଗ୍ନିହୋତ୍ର ପଶୁଯାଗ

ବିଶେଷ କରି ସୋମଯାଗ

ଏ ଆଦି ଯେତେ ଯଜ୍ଞମାନ

ବିଧିରେ କରି ସମାଧାନ

ପ୍ରକୃତି ବିକୃତି ଯେ କରି

କହନ୍ତି ସେ ନୃପକେଶରୀ

ଯଜ୍ଞେ ସକଳ ଦେବ ତୋଷି

ଯେ ଯାହାମତେ ରାଜଋଷି

ନାନା ଯଜ୍ଞରେ ସେ ରାଜନ

ସୁଦୃଢେ ପୂଜି ଭଗବାନ

ସେ ଦେବ ସର୍ବମୂଳ ଯେହି

ଅଶେଷ ପ୍ରଭୁ ଭାବଗ୍ରାହୀ

ଅଖିଳ ଦେବଙ୍କର ପର

ସକଳ ବ୍ରହ୍ମାଣ୍ତ ଠାକୁର

ତାହାଙ୍କ ଚରଣାରବିନ୍ଦେ

ମନ ନିବେଶି ଅପ୍ରମାଦେ

ସକଳ ଯଜ୍ଞ ଅବସାନେ

ଦେବେ ସନ୍ତୋଷହେଲେ ମନେ

ପରମକଲ୍ୟାଣ ସେ କରି

ହରଷେ ଗଲେ ଯେଝା ପୁରୀ

ସୁକର୍ମ ପ୍ରସାଦ ରାଜାର

ନିର୍ମଳ ହୋଇଲା ଶରୀର

ସ‌ତ୍ତ୍ୱ ଗୁଣରେ ନୃପମଣି

ଏମନ୍ତେ ଚିନ୍ତି ଚକ୍ରପାଣି

ଆକାଶ ପ୍ରାୟ ଯେ ଶରୀର

ଶୁଦ୍ଧ ନିର୍ମଳ ସ‌ତ୍ୟସାର

ପରମ ବ୍ରହ୍ମ ବାସୁଦେବ

ଅନାଦି ପୁରୁଷ ମାଧବ

ନାନାଲକ୍ଷଣେ ବିରାଜିତ

ଚତୁରଭୁଜଅବିରତ

ଶ୍ରୀବତ୍ସ କଉସ୍ତୁଭ ମଣି

ଗଦା କମଳ ଚକ୍ରପାଣି

ଶଙ୍ଖ ଶୋଭିତ ଏକ କରେ

ପନମାଳାଏ ଲମ୍ବେ ଉରେ

ଏ ଆଦି ଯେତେ ନାନା ଚିହ୍ନ

ଅବନୀ କରିଣ ପାଳନ

ସକଳ କର୍ମ ସାଧ୍ୟ କଲେ

ପୁତ୍ରଙ୍କୁ ରାଇ ଆଜ୍ଞା ଦେଲେ

ନାନା ସମ୍ପଦେ ଯଥୋଚିତେ

ବିଭାଗ କରି ଯେଝାମତେ

ଦେଇ ସେ ଋଷଭକୁମର

ଆପଣେ ହୋଇଲେ ବାହାର

ପୁଲହ ମୁନିଙ୍କ ଆଶ୍ରମ

ତହିଁକି କଲେ ସେ ଗମନ

ଅଦ୍ୟାପି ଭଜି ଭଗବାନ

ଯହିଁ ଅଛନ୍ତି କରି ସ୍ଥାନ

ତହିଁ ଗଣ୍ଡୁକୀ ନଦୀ ନାମ

ସ୍ପରଶେ ପାପ ବିନାଶନ

ପୁଲହାଶ୍ରମ ଉପବନେ

ବିବିଧ ବିଟପୀ ଗହନେ

ନାନା କୁସୁମ ପରିମଳ

ନିର୍ମଳ ସୁଶୀତଳ ଜଳ

ମନ୍ଦ ପବନ ଅବିରତେ

ତହିଁ ଭରତ ଶୁଦ୍ଧ ଚିତ୍ତେ

କୋମଳ ତୁଳସୀର ଦଳ

ଶୀତଳ ପକ୍ୱ ଫଳମୂଳ

ଅନ୍ୟ ଯେ ବନ ଉପହାର

ନିବେଶି ଗୋବିନ୍ଦ ପୟର

ଇନ୍ଦ୍ରିୟଗଣଙ୍କୁ ନିବାରି

ବିଷୟ ରସ ଦୂରକରି

ନିତ୍ୟେ ଗୋବିନ୍ଦ ଆରାଧନ

କରଇ ହରଷେ ରାଜନ

ମହାପୁରୁଷ ସେବା ବିନେ

ଅନ୍ୟ ନ ଭାବଇ ସେ ମନେ

ଭଜଇ ପ୍ରଭୁ ନାରାୟଣେ

ଶ୍ରଦ୍ଧା କରଇ ଅନୁକ୍ଷଣେ

ଲୋମ ପୁଲକ ଅଶ୍ରୁପାତ

ହରଷ ହୁଏ ଅବିରତ

ଏମନ୍ତ ପ୍ରଭୁ ଯେ ଗୋବିନ୍ଦ

ତାହାଙ୍କ ଚରଣାରବିନ୍ଦ

ସୂର୍ଯ୍ୟମଣ୍ତଳେ ସେ ରାଜନ

ବ୍ରହ୍ମରୂପକୁ କରି ଧ୍ୟାନ

ଏମନ୍ତ ବାକ୍ୟ ଅନୁମାନେ

କହଇ ଆନନ୍ଦିତ ମନେ

ଯେ ପରାପର ବ୍ରହ୍ମ ରୂପ

ତାକୁ ଚିନ୍ତଇ ନିତ୍ୟ ନୃପ

ଭକ୍ତଙ୍କ କର୍ମ ଅନୁସରି

ସୁହୃଦ ଚିତ୍ତ ଦୃଢେ ଧରି

ସେ ପ୍ରଭୁ ଚରଣାରବିନ୍ଦେ

ମନ ନିବେଶି ଅପ୍ରମାଦେ

କହଇ ବିପ୍ର ଜଗନ୍ନାଥ

ଭାଷା ପ୍ରବନ୍ଧେ ଭାଗବତ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ପଞ୍ଚମସ୍କନ୍ଧେ ଭରତ ତପସ୍ୟା ଗମନେ

ନାନା ସପ୍ତମୋଽଧ୍ୟାୟଃ װ

•••

 

ଅଷ୍ଟମ ଅଧ୍ୟାୟ

 

ଶ୍ରୀଶୁକ ଉବାଚ

ଶୁଣ ରାଜନ ସାବଧାନେ

ମହାନଦୀରେ ଏକ ଦିନେ

ସ୍ନାନଦି ନିତ୍ୟକର୍ମ ସାରି

ଭରତ ଗୋବିନ୍ଦ ସୁମରି

ମୁହୂର୍ତ୍ତେ ଶୀତଜଳେ ରହି

ଏକାନ୍ତେ ବିଷ୍ଣୁଙ୍କୁ ଭଜଇ

ତକ୍ଷଣେ ଦେଖେ ମହୀପାଳ

ହରିଣୀ ହୋଇ ତୃଷାକୁଳ

ମିଳିଲା ଜଳାଶୟ ତୀରେ

ଜଳ ପିଅଇ ସେ ସଧୀରେ

ଏମନ୍ତ ସମୟେ ରାଜନ

ଶୁଣି ହରିଣୀ ସିଂହ ସ୍ୱନ

ଡେଇଁଣ ମୃଗେନ୍ଦ୍ର ଭୟରେ

ପଳାଏ ଅତି ଦୁରାନ୍ତରେ

ଲୋକେ ପୁଚ୍ଛିଲେ ଯେଉଁ କ୍ଷଣେ

ଥିରେ ରହିଲା ସେ ଯେ ବନେ

ସେ ମୃଗବଧୂ ଯେ ଗର୍ଭିଣୀ

ଜଳ ପିଅନ୍ତେ ଛନ୍ନ ପୁଣି

ଜଳ ପାନରେ ତୃଷା ତାର

ପୂର୍ଣ୍ଣ ହୋଇଲା ନୃପବର

ଚାରିଦିଗରେ ସେ ନୟନ

ବୁଲାଇ ଅତି ଘନ ଘନ

ଜଳୁ ଉଠିଣ ଧାତିକାରେ

ଡେଇଁଲା ମରଣ କାତରେ

ସ୍ୱଭାବେ ଗର୍ଭ ହୋଇଥିଲା

ସେ ଗର୍ଭ ଜଳରେ ପଡିଲା

ଗର୍ଭ ନିପାତେ ଖେଦମତି

ପ୍ରାଣ ତେଜିଲା ମୃଗସ୍ୱତୀ

ନଦୀରେ ଦେଖି ମୃଗବାଳ

ସେ ଯେ ଭରତ ମହୀପାଳ

ମାତାର ମୃତ୍ୟୁ ତାର ଦେଖି

ଦୟାରେ ଅଶୂ ପୂର୍ଣ୍ଣ ଆଖି

ମୃଗନନ୍ଦନ ଘେନି ତୀରେ

ଆଶ୍ରମେ ମିଳିଲେ ତତ୍ପରେ

ସେ ମୃଗ ନନ୍ଦନରେ ତହିଁ

ଅତ୍ୟନ୍ତ ସ୍ନେହଭର ହୋଇ

ନିତ୍ୟ କୋମଳ ତୃଣାଙ୍କୁର

ଲୋଡି ଆଣଇ ନୃପବର

ଯାହା ସେ କରେ ଅଭିଳାଷେ

ତାହା ଦିଅଇ ମନତୋଷେ

ତା ସେବା ନିରତେ କରଇ

ମାୟାରେ ମତିଭ୍ରମ ହୋଇ

ନିୟମ ଶ୍ରଦ୍ଧା ଆଦି ଯେତେ

ବିସ୍ମୃତ ହେଲା ରାଜା ଚିତ୍ତେ

କେତେହେଁ ଦିନର ଅନ୍ତର

ପ୍ରଭୁର ସେବା କଲା ଦୂର

ଦେଖ ଏହାର ମୁଢମନ

ମୃଗ ବାଳକେ ହତଜ୍ଞାନ

ସକଳ କର୍ମ ଦୂର କଲା

ମୃଗରେ ଚିତ୍ତ ନିବେଶିଲା

ଜଗତ ପିତାମାତା ହରି

ତାଙ୍କ ଚରଣେ ଚିତ୍ତ ଧରି

ଦାରା ତନୟ ଆଦି ଯେତେ

ସକଳ ଦୂରକରି ଚିତ୍ତେ

ଏ ଭାବେ ଥାଇ ନୃପବର

ସକଳ କର୍ମ କଲା ଦୂର

ଅସାଧୁ ସଙ୍ଗ ଅକାରଣ

ଏବେ ତ ଶୁଣ ହୋ ରାଜନ

ଅଶନ ଶୟନ ଗମନେ

ସ୍ନାନ ଭୋଜନ ଜନପାନେ

ମୃଗ ବାଳକେ ମନ ତାର

ନିମିଷ ମାତ୍ର ନୁହେଁ ଦୂର

କାଷ୍ଠ ପଲ୍ଲବ ଆଣିବାରେ

ଯେବେ ସେ ଯାଏ ବନ ଦୂରେ

ମୃଗ ବାଳକ ଘେନି ସଙ୍ଗେ

ପଥେ ଚଳଇ ନାନାରଙ୍ଗେ

ବାଳକ ଚାଲି ନ ପାରଇ

କନ୍ଧେ ତାହାକୁ ପୁଣି ବହି

ହୃଦରେ ଆରୋପି ହରଷେ

ବାହୁରେ ଭିଡେ ସ୍ନେହବସେ

ସ୍ନାନ ଭୋଜନ ବେଳ ତାର

ନିମିଷମାତ୍ର ନୁହେଁ ଦୂର

ଏଥି ଉତ୍ତାରେ କିଛି ଦିନେ

ମୃଗବାଳକ ଗଲା ବନେ

ସେ ଅବସରେ ନୃପବର

ନ ଦେଖି ମୃଗର କୁମର

ଚଞ୍ଚଳ ଚିତ୍ତ ସ୍ଥିର କରେ

ଆଶ୍ୱାସି ଦିଅଇ ତାହାରେ

ହେ ବତ୍ସ ତୋହର କଲ୍ୟାଣ

ସର୍ବତ୍ର କରୁ ନାରାୟଣ

ଯେବେ ନିମିଷେ ନ ଦେଖଇ

ଶୋକ ସାଗରେ ସେ ବୁଡଇ

କୃପଣ ଦ୍ରବ୍ୟକୁ ଯେସନ

ଚଉର୍ଯ୍ୟ କରି ନେଇ ଆନ

ଏମନ୍ତ ପ୍ରାୟେ ମହୀପାଳ

କ୍ଷଣେ ନ ଦେଖି ମୃଗବାଳ

ଭ୍ରମେ କହଇ ବାକ୍ୟମାନ

ମଲା କି ମୃଗର ନନ୍ଦନ

କି କର୍ମ କଲି ମୁଁ କିରାତ

ଗଲା କେଣେ ମୋ ମୃଗସୁତ

ମୃଗ ବାଳକ ସୁକଲ୍ୟାଣେ

ଚରୁଥିବ କି ଉପବନେ

ପ୍ରଭୁ କି ରଖିଥିବେ ତାରେ

ଦେଖିବି ନୟନ ଗୋଚରେ

ରବିର ଅସ୍ତକାଳ ହୋଇ

କେବେହେଁ ବାଳମୃଗ ନାହିଁ

ଶୋକେ ଆକୁଳ ମୋର ଦେହୀ

ସେମୋତେ ଦେଖା ଯେବେଦେଇ

ସେ ଯେ ମୃଗରାଜ କୁମର

ମନୋଜ୍ଞ ଗମନ ତାହାର

ତେଣେ ଆଶ୍ରମୀ ଲୋକଙ୍କର

ଦୁଃଖ ଖଣ୍ତଇ ନିରନ୍ତର

ମିଥ୍ୟାରେ ଚକ୍ଷୁ ବୁଜି ମୁହିଁ

କ୍ଷଣମାତ୍ରକେ ଯେବେ ରହି

କିଙ୍କର ପ୍ରାୟେକ ସେ ହୋଇ

ମୋର ଅଗ୍ରତେ ଲୋଟଇ

ଋଷି କୁମରଙ୍କର ସଙ୍ଗେ

ଖେଳୁ ଯେ ଥାଇ ନାନରଙ୍ଗେ

କୋମଳ ତୃଣ ଘାସମାନ

ବାଳକେ ଦିଅନ୍ତି ବହନ

ସେ ସର୍ବସୁଖ କେଣେ ଗଲା

ମୃଗବାଳକ କେଣେ ମଲା

ଅତ୍ୟନ୍ତ ଦୁଃଖ ମୋତେ ଦେଇ

ତା ବିନୁ ମୋର କେହି ନାହିଁ

ଏ ଯେ ଆଶ୍ରୟ ମୁନିଗଣ

କରନ୍ତି ନାନା ଶୁଭ କର୍ମ

ହରଷେ ସେ ଯେ ମୁନିଗଣ

କରନ୍ତି ତାହାରେ କଲ୍ୟାଣ

ସିଂହ ଭୟରେ ମାତା ତାର

ପ୍ରସବି ଛାଡ଼ିଲା ଶରୀର

ତେଣୁ ମୁଁ ଲଭିଲି ତାହାରେ

ଏବେ ସେ ଗଲା ବନ ଘୋରେ

ମୃଗଶାବକ ଖୋଜିବାରେ

ନୃପତି ହୋଇଲା ବାହାରେ

ପଥରେ ପଦଚିହ୍ନ ଦେଖି

କହଇ ନିରେଖି ନିରେଖି

ଧନ୍ୟ ପୃଥିବୀ ତୋର ପୁଣ୍ୟ

ଏ ଚିହ୍ନ କଲୁ ତୁ ଧାରଣ

ବିପ୍ରଙ୍କ ଯଜ୍ଞସ୍ଥାନ ପ୍ରାୟେ

ତୋ ଦେହ ଶୋଭାକୁ ଯେପାଏ

ତଦନ୍ତେ ଊର୍ଦ୍ଧ୍ୱ ଦୃଷ୍ଟି କଲା

ଯହୁଁ ସେ ଚନ୍ଦ୍ରଙ୍କୁ ଦେଖିଲା

ତହିଁ ଦେଖିଣ ମୃଗଚିହ୍ନ

ଭାବିଲା ନିଜେ ମନେ ମନ

ମୃଗଶାବକ ଦେଖି ଏକ

ଦୟା କଲେ ତାରା ନାୟକ

ସିଂହ ଭୟରୁ ରକ୍ଷା କରି

ରଖିଲେ ନିଜେ ଦୟାକରି

ଏମନ୍ତେ ଶୁଣ ମହୀପାଳ

କ୍ଷଣେ ନ ଦେଖି ମୃଗବାଳ

ବ୍ୟର୍ଥ କର୍ମରେ ସେ କାତର

ସୁକର୍ମ ତେଜି ନୃପବର

ପୂର୍ବ ଉତ୍ପନ୍ନ କର୍ମ ତାର

ଶୁଭ କର୍ମକୁ କଲା ଦୂର

ଅଖିଳ ବ୍ରହ୍ମାଣ୍ତ କାରଣ

ଅନାଦି ନାଥ ନାରାୟଣ

ତାର ଚରଣ ଦୂରକରି

ମୃଗବାଳକେ ମନ ଧରି

ମୋକ୍ଷ ବନ୍ଧନୁ ପ୍ରତିବନ୍ଧ

ସେ ମୃଗବାଳ ପଶୁବନ୍ଧ

ତାଠାରେ ସ୍ନେହ ରାଜା କଲା

ଯୋଗ ନାଶନ ନ ଜାଣିଲା

ମୃଗର ଲାଳନ ପାଳନ

କରି ବଞ୍ଚଇ ସେହୁ ଦିନ

ଏମନ୍ତେ କେତେଦିନ ଗଲା

ଆୟୁଷ ଶେଷ ତା ହୋଇଲା

ଏମନ୍ତେ ଶୁଣ ହୋ ରାଜନ

କାଳର ହେଇଲା ଅଧୀନ

ସଙ୍ଗେ ନ ଦେଖି ମୃଗବାଳ

ଶୋକରେ ହୋଇଲା ବ୍ୟାକୁଳ

ପୁତ୍ରର ପ୍ରାୟେ ସ୍ନେହଭରେ

ମନ ଅର୍ପିଲା ତାହାଠାରେ

ପ୍ରଭୁର ସେବା ନଷ୍ଟ ହୋଇ

ମନେ ବହୁତ ତାପ ପାଇ

ଅତ୍ୟନ୍ତ ଶୋକକରି ମନେ

ପ୍ରାଣ ଛାଡିଲା ତତକ୍ଷଣେ

ମୃଗରେ ଯହିଁ ମନ ଥିଲା

ତେଣୁ ସେ ମୃଗ ଜନ୍ମ ହେଲା

ପୂର୍ବ ଜନ୍ମର କଥା ତାର

ସ୍ମରଣ ହେଲା ନୃପବର

ପୂର୍ବ ଜନ୍ମର ଯେ କାରଣ

ମନେ ଜାଣିଲା ସେ ରାଜନ

ଅତ୍ୟନ୍ତ ଶୋକ କରି ମନେ

କହଇ ଲୋତକ ନୟନେ

ଭ୍ରଷ୍ଟ ହୋଇଲି ମୁଁ ପାମର

ପ୍ରଭୁର ସେବା କଲି ଦୂର

ସମସ୍ତ ସଙ୍ଗ ମୁଁ ଛାଡ଼ିଲି

ବିବିଧ-ଯଜ୍ଞ ଉପେକ୍ଷିଲି

ନାମ ଶ୍ରବଣ ଉଚ୍ଚାରଣ

ନିରତେ କରି ପରାଧୀନ

ସକଳ ଆତ୍ମା ଭଗବାନ

ମନ ଛାଡ଼ିଲି ଅନୁଦିନ

ସୁକର୍ମ ସକଳ ତେଜିଲି

ମୃଗ ଶିଶୁରେ ମତି ଦେଲି

ଏମନ୍ତ ମନରେ ବିଚାରି

ଚଞ୍ଚଳ ମନ ସ୍ଥିର କରି

ତାହାର ମାତା ଯେ ହରିଣୀ

ତାହାକୁ ତେଜି ନୃପମଣି

ପ୍ରଭୁର ଅତି ପ୍ରିୟସ୍ଥାନ

ଯେ ତୀର୍ଥ ଶାଳଗ୍ରାମ ନାମ

ପରମ ସାଧୁ ମୁନିଗଣେ

ଅଛନ୍ତି ଯହିଁ ଅନୁକ୍ଷଣେ

ତହିଁକି ଶୀଘ୍ରେ ଚଳିଯାଇ

ରହିଲା ମୃତ୍ୟୁ ବାଟ ଚାହିଁ

କୁସଙ୍ଗ ଦୋଷକୁ ସେ ଡରି

ମନେ ଚିନ୍ତଇ ନରହରି

ନୀରସ ଦଳ ସେ ଭକ୍ଷଇ

ମୃଗ ଶରୀର ଯିବାପାଇଁ

ମନରେ କରଇ ବିଚାର

କେମନ୍ତେ ଯିବ ଏ ଶରୀର

ଏମନ୍ତେ ଶୁଣ ନରନାଥ

ମନେ ଚିନ୍ତିଲା ପୂର୍ବକୃତ୍ୟ

 

ସେ ତୀର୍ଥ ଜଳରେ ତାହାର

ତେଜିଲା ମୃଗ କଳେବର

ଏମନ୍ତେ କରଇ ବିଚାର

ଯେ ଆଦି ପୂର୍ବ କର୍ମ ତାର

ଯେ ପ୍ରଭୁ ବ୍ରହ୍ମାଣ୍ତ କାରଣ

ବ୍ରହ୍ମା ଚିନ୍ତଇ ଯା ଚରଣ

ସେ ଚକ୍ରଧର ନାରୟଣ

ପାଦ ପଙ୍କଜ ସୁମରିଣ

କହଇ ଦାସ ଜଗନ୍ନାଥ

ସାଧୁଙ୍କ ହିତେ ଭାଗବତ

ପଞ୍ଚମସ୍କନ୍ଧେ ହରିବାଣୀ

ଶୁଣି ସଂସାରୁ ତର ପ୍ରାଣୀ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ପଞ୍ଚମସ୍କନ୍ଧେ ଭରତ ଚରିତେ
ନାମ ଅଷ୍ଟମୋଽଧ୍ୟାୟଃ
װ

•••

 

ନବମ ଅଧ୍ୟାୟ

 

ଶ୍ରୀଶୁକ ଉବାଚ

ଶୁଣ ହେ ରାଜା ପରୀକ୍ଷିତ

ଏ ଅନ୍ତେ ଯେମନ୍ତ ଚରିତ

ଏକହିଁ ବ୍ରାହ୍ମଣ ଯେ ଥିଲେ

ନବକୁମର ତାଙ୍କ ହେଲେ

ଅଙ୍ଗିରା ଗୋତ୍ରରୁ ସମ୍ଭୁତ

ହେବାରୁ ହୋଇଲା ବିଖ୍ୟାତ

ସେ ବିପ୍ର ଶମ ଦମ ଦାନେ

ସମ୍ପୂର୍ଣ୍ଣ ଥିଲେ ଆତ୍ମଜ୍ଞାନେ

ପିତାର ଗୁଣ ଅନୁସାରେ

ହେଲେ ଯେ ସେ ନବକୁମରେ

ତାର ଦ୍ୱିତୀୟା ନାରୀଠାରୁ

ପୁତ୍ରେକ ହୋଇଲା ସୁଚାରୁ

ଏହି ପୁତ୍ରଟି ଭାଗବତ

ଲୋକରେ ହୋଇଲା ବିଖ୍ୟାତ

ଏ ପୁତ୍ର ରାଜର୍ଷି ଭରତ

ଜନ୍ମିଲେ ଛାଡ଼ିଣ ମୃଗତ୍ୱ

ଅପରେ ତାର ସହୋଦର

ଉତ୍ତମ ସାଧୁଶୀଳବର

ସେ ସାଧୁ ସଙ୍ଗରୁ ରାଜନ

ତାର ହୋଇଲା ଦିବ୍ୟଜ୍ଞାନ

ଯେଣୁ କର୍ମବନ୍ଧ ଖଣ୍ତନ

ଶ୍ରୀକୃଷ୍ଣ ନାମରେ ଶରଣ

ତାହା ଶୁଣାଇ ଅବିରତ

ପଦାରବିନ୍ଦେ ଦେଇ ଚିତ୍ତ

ପ୍ରଭୁର କୃପାରେ ରାଜନ

ପୂର୍ବଜନ୍ମର କଥାମାନ

ସ୍ମରଣ ହୋଇଲା ତାହାରେ

ଅସାଧୁ ସଙ୍ଗକୁ ସେ ଡ଼ରେ

ଜଡ଼ ଉନ୍ନତ ଚିତ୍ତ ଧୀର

ହୋଇ ସେ ବ୍ରାହ୍ମଣ-କୁମର

ଅଶେଷ ଜ୍ଞାନେ ଶ୍ରେଷ୍ଠା ସେହି

କପଟ ଲୋକଙ୍କୁ ଦେଖାଇ

ତେବେହେଁ ପୁତ୍ରଠାରେ ତାର

ସ୍ନେହୀ ହୋଇଲା ନୃପବର

ସୁସାଧୁ ଦେଖି ବିପ୍ରବର

ସଂସ୍କାର କଲା ସେ କୁମର

ବେଦ ବିହିତ କ୍ରିୟାମତେ

ଦଶ କର୍ମକୁ ଯଥୋଚିତେ

କହିବା ଶୁଣ ନୃପବର

ସେ ଯେ ବ୍ରାହ୍ମଣର କୁମର

ଶଉଚ ଆଚମନ ବିଧି

ବ୍ରାହ୍ମଣ କର୍ମ ଯେବା ଆଦି

ଜାଣଇ ଆତ୍ମା ଅନୁମାନେ

ସକଳ ଶାସ୍ତ୍ରର ପ୍ରମାଣେ

ପୁତ୍ରର ଶୁଦ୍ଧମନ ଜାଣି

ସେ ଯେ ବ୍ରାହ୍ମଣ ଶିରୋମଣି

ଅତ୍ୟନ୍ତ ସ୍ନେହଭାବ ବହି

ମନ ଅର୍ପିଲା ତାର ତହିଁ

ଓଁକାର ଆଦି ବେଦ ସାର

ବ୍ୟାହୃତି-ପ୍ରଣବ-ଅକ୍ଷର

ସାବିତ୍ରୀ-ମୂଳ ମନ୍ତ୍ର-ସାର

ସକଳ ଦେଲେ ନୃପବର

ଯଜନ ଆଦି ଷଟକର୍ମ

ଏ ଯେ ବ୍ରାହ୍ମଣ ନିଜ ଧର୍ମ

ଗୁରୁ ଶିଷ୍ୟ ସମେତେ ଯେତେ

ସବୁ କହିଲେ ଯଥୋଚିତେ

ପୁତ୍ର ସ୍ନେହରେ ବିପ୍ରବର

ଶିକ୍ଷା କରାନ୍ତି ନିରନ୍ତର

ଏମନ୍ତେ ଶୁଣି ନରନାଥ

ପୂର୍ଣ୍ଣ ହୋଇଲା ମନୋରଥ

ଅତି ସନ୍ତୋଷ ସେ ବ୍ରାହ୍ମଣ

କାଳର ହୋଇଲା ଅଧୀନ

ଏଥୁ ଅନ୍ତରେ ଦ୍ୱିଜ ସତୀ

ସେ ଯେ ଅଭାବ ଜଡ଼ମତି

ତାହାର ଶ୍ରେଷ୍ଠ ସହୋବରେ

ସମର୍ପି ଦେଲ ସେ କୁମରେ

ଆପଣେ ପତିର ସଙ୍ଗତେ

ଚଳଇ ଆନନ୍ଦିତ ଚିତ୍ତେ

ଏମନ୍ତେ ପିତାର ଅନ୍ତରେ

ସେ ଯେ ବ୍ରାହ୍ମଣର କୁମରେ

ଜଡ ଯେ ତାହାଙ୍କ ସୋଦର

ତାହାଙ୍କୁ କଲେ ହତାଦର

ତାହାର ପ୍ରଭାବ ନ ଜାଣି

ଜଡ଼ର ପ୍ରାୟ ତାକୁ ମଣି

ଜଡ଼ ବଧିର ଯେ ଉନ୍ନତ

ଏମନ୍ତ ରୂପେ ଯେ ଭରତ

ମୃଗସେନର ପଶୁ ଯେତେ

ତାହାଙ୍କୁ ରଖାଇ ନିରତେ

ପର ଅଧୀନ ପ୍ରାୟ ହୋଇ

ଲୋକର କାର୍ଯ୍ୟକୁ କରଇ

ଲୋକ ଶ୍ରଦ୍ଧାରେ ଯାହା ଦେଇ

ପରମ ସନ୍ତୋଷେ ଭୁଞ୍ଜଇ

କେବେହେଁ ଇନ୍ଦ୍ରିୟ ପ୍ରୀତିରେ

ପରଶ ନ କରି କାହାରେ

ନିବୃତ୍ତ ହୋଇ ସର୍ବଠାରେ

ପରମ ଆନନ୍ଦ ଶରୀରେ

ସର୍ବ ଦୁଃଖରେ ସମ ତାର

ହୃଦେ ନ କରେ ଅହଂକାର

କଷ୍ଟେ ବରଷା ଶୀତ ତପ୍ତ

ସକଳ ସହେ ସେ ଭରତ

ଦିଶଇ ମହାମଣି ସମ

ଶରୀର ଅତି ସ୍ଥୂଳ ପୀନ

ଅତ୍ୟନ୍ତ ବ୍ରହ୍ମ ତେଜ ହୋଇ

ଜଡ଼ର ପ୍ରାୟ ସେ ଭ୍ରମଇ

ଆହାର ଆଦି ସର୍ବଠାରେ

ସେ ଥାଇ ନିଷ୍ଠା ବ୍ୟବହାରେ

ତଥାପି ଶୁଣ ହେ ରାଜନ

ତାହାର ନିଜ ଭ୍ରାତୃଗଣ

କୃଷି ରକ୍ଷଣ କର୍ମଠାରେ

ନିଯୁକ୍ତ କରନ୍ତି ତାହାରେ

ଭ୍ରାତୃ ବଚନ ଅନୁମତେ

କୃଷି ରଖଇ ଅବିରତେ

ମୃଗ ବରାହଙ୍କୁ ନିବାରି

ଥାଇ ଯେ ନିରତେ ଆବୋରି

ଶୁଣ ହୋ ଅଭିମନ୍ୟୁ ବଳା

ଏମନ୍ତେ କେତେଦିନ ଗଲା

ବୃଷଳୀପତି ସେ ରାଜନ

ପୁତ୍ର କାମରେ ହୋଇ ଛନ୍ନ

ଚଣ୍ଡୀର ସନ୍ତୋଷ କାରଣେ

ସେ ନରପଶୁ ସମ୍ପାଦନେ

ସେ ନର ପଶୁ କେଣେ ଗଲା

ତୋ ଅନୁଚର ଯେ ଜାଣିଲା

ତାହାର ପଥ ଅନୁସାରେ

ଧାଇଁଲେ ତାର ଅନୁଚରେ

ନିଶି ଅନ୍ଧାର ମହାତମ

ଖୋଜନ୍ତି ନାନା ଦେଶଗ୍ରାମ

ପଶୁ ନ ପାଇ ଅନୁଚରେ

ନିରାଶ ହୋଇଲେ ଅନ୍ତରେ

ଗୃହକୁ କରନ୍ତେ ଗମନ

ଦେଖିଲେ ବିପ୍ରଙ୍କ ନନ୍ଦନ

ଏ ଅନନ୍ତରେ ନୃପମଣି

ଜଡ଼ର ପ୍ରଭାବ ନ ଜାଣି

ବନ୍ଧନ କରି ତତ୍‌କ୍ଷଣେ

ସ୍ୱାମୀର କର୍ମ ସମ୍ପାଦନେ

ଚଣ୍ତିକା ଗୃହେ ପ୍ରବେଶିଲେ

ସ୍ୱାମୀଙ୍କି ସମର୍ପିଣ ଦେଲେ

ସୁଗନ୍ଧ ଶୀତଳ ଜଳରେ

ସ୍ନାନ କରାଇଣ ବିଧିରେ

ଶୁଭ ନିର୍ଭଳ ବସ୍ତ୍ର ଦେଲେ

ନାନା ଭୂଷଣେ ସେ ମଣ୍ତିଲେ

ବିବିଧ ସ୍ୱାଦ ଦ୍ରବ୍ୟମାନ

ତାହାଙ୍କୁ କରାଇ ଭୋଜନ

ସୁଗନ୍ଧ ଧୂପ ଦୀପ ଦେଇ

ମାଳାଏ କଣ୍ଠରେ ଲମ୍ବାଇ

ମୃଦଙ୍ଗ ଶଙ୍ଖ ଘୋର ସ୍ୱନ

କରାଇ ତହିଁ ସ୍ତବଗାନ

ଏମନ୍ତେ ନାନାବିଧିମତେ

ସ୍ଥାପିଲେ ଦେବୀର ଅଗ୍ରତେ

ବୃଷଳୀପତି ଏ ଅନ୍ତରେ

ତୀକ୍ଷ୍‌ଣ ଖଡଗ ଘେନି କରେ

ତାହାର ରୁଧିର ସେ ଦେଇ

ଦେବୀ ସନ୍ତୋଷ ହେବାପାଇଁ

ଏମନ୍ତେ ଶୁର ହେ ରାଜନ

ବୃଷଳେ ହୋଇ ମତିଭ୍ରମ

ଧନ ସମ୍ପଦେ ମୋହ ଭରି

ଧର୍ମ ଅଧର୍ମ ନ ବିଚାରି

ଈଶ୍ୱର ଅଂଶକୁ ନ ଧରେ

ହିଂସା କରଇ ଯେ ତାହାରେ

ଦାରୁଣ କର୍ମ ଏହାଙ୍କର

ପ୍ରତ୍ୟକ୍ଷ ବିପ୍ରର କୁମର

ବିଷ୍ଣୁର କଳାବନ୍ତ ସେହି

ତାହାକୁ କଦର୍ଯ୍ୟନ୍ତି ନେଇ

ସେ ସର୍ବ ଭୂତେ ସମଚିତ୍ତ

ବିଷ୍ଣୁ ଜପଇ ଅବିରତ

ତାହାକୁ ପଶୁରେ ବିଚାରି

ନିକଟେ ହୋଇ ଖଡ୍‌ଗଧାରୀ

ଏଥୁ ଅନ୍ତରେ ପରୀକ୍ଷିତ

ବ୍ରାହ୍ମଣ ତେଜେ ଅପ୍ରମିତ

ସୁନାଭି କରାଳ ନୃସିଂହ

ତେଣୁ କଦର୍ଯ୍ୟ ଦେବୀ ଦେହ

ତକ୍ଷଣେ ଉଚ୍ଚାଟ ସେ ହୋଇ

ଉଠିଲା ଅତି ତେଜ ବହି

ସେ ଦେବୀ ଚଣ୍ତୀ ଭଦ୍ରକାଳୀ

ଅତ୍ୟନ୍ତ ତେଜରେ ପ୍ରଜ୍ୱଳି

ନେତ୍ର ଭ୍ରୁକୁଟି ଯୋଗେ ତାର

ବଦନ ଦିଶେ ଭୟଙ୍କର

ଦନ୍ତ ଦିଶଇ ଯେ କରାଳ

ଅରୁଣ ନୟନ ଯୁଗଳ

ଅଟ୍ଟହାସ୍ୟରେ ଘୋର ସ୍ୱନ

ପୂର୍ଣ୍ଣ ନୋହିଛି ଦେବୀ ମନ

ଧାଇଁଲେ ଅତି ଶୀଘ୍ରତରେ

ପାପିଷ୍ଠମାନଙ୍କ ଉପରେ

ତାହାଙ୍କ ହସ୍ତୁ ଖଡ୍‌ଗ ଘେନି

ଶୁଣ ପରୀକ୍ଷ ନୃପମଣି

ଶାଣିତ ଅତି ତୀକ୍ଷ୍‌ଣ ଧାର

ଛେଦିଲେ ତାହାଙ୍କର ଶିର

ପରମ ସନ୍ତୋଷ ସେ ହୋଇ

ଆପଣା ଗଣ ସଙ୍ଗେ ନେଇ

ରୁଧିର ସୁରା କରି ପାନ

ଭୋଳେ ହୋଇଲେ ମନ ଛନ୍ନ

ଦେବୀର ଯେତେ ପାରିଷଦ

ଆନନ୍ଦେ କରି ଗୀତ ନାଦ

ମସ୍ତକମାନ ଘଣ୍ଟ କରି

ହରଷେ ବଜାନ୍ତି ବିହରି

ଶୁଣ ରାଜନ ସାବଧାନେ

ଯେତେ ବୃଷଳ ପାପୀମାନେ

ସାଧୁଙ୍କୁ କଲେ ପରମାଦ

ଆପଣେ ନାଶିଲେ ସମ୍ପଦ

ବିଷ୍ଣୁ ଭକତ ଯେତେ ନରେ

ଦୟା ବହନ୍ତି ସର୍ବଠାରେ

ବୈରାଗ୍ୟ ହିଂସା ଦୂରେ ତେଜି

ସେ ପାଦପଦ୍ମ ଯୁଗେ ଭଜି

ପରମହଂସ-ଭାଗବତ

ତାହାକୁ ରଖନ୍ତି ଅନନ୍ତ

କହଇ ଦାସ ଜଗନ୍ନାଥ

ପଞ୍ଚମସ୍କନ୍ଧେ ଭାଗବତ

ପ୍ରଭୁର ପାଦ ପଦ୍ମ ତଳେ

ମୋ ମନ ରହିବ ନିଶ୍ଚଳେ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ପଞ୍ଚମସ୍କନ୍ଧେ ଜଡ଼ଭରତ ଚରିତେ

ନାମ ନବମୋଽଧ୍ୟାୟଃ

•••

 

ଦଶମ ଅଧ୍ୟାୟ

 

ଶ୍ରୀଶୁକ ଉବାଚ

ଏଥୁ ଅନ୍ତରେ ଏକଦିନେ

ଶୁଣ ରାଜନ ସାବଧାନେ

ସିନ୍ଧୁପତି ଯେ ରହୁରାଣ

ସେ ରାଜା ବିଷ୍ଣୁ ପରାୟଣ

ତାହାର ଏକଷଷ୍ଠୀ ଭୃତ୍ୟେ

ରାଜାର ଗମନ ନିମନ୍ତେ

ବିମାନ ବହି ନ ପାରନ୍ତି

ଏକ ପୁରୁଷେ ସେ ଲଭନ୍ତି

ବିଧାତା ଯୋଗେ ଦେଖ ତାର

ସେ ବିଷ୍ଣୁ ଅଂଶେ ନୃପବର

ସେଠାରେ ହେଲେ ଉପସ୍ଥିତ

ତାହାଙ୍କୁ ଦେଖି ନୃପଦୂତ

ହରଷ ମନେ ବିଚାରଇ

ଏହାଙ୍କ ତୁଲେ କେହି ନାହିଁ

କି ପୁଷ୍ଟ ଦୃଢ଼ ୟା ଶରୀର

ବିମାନ ରହିବ ସୁନ୍ଦର

ଏମନ୍ତେ ଶୀଘ୍ର ଘେନିଗଲେ

ବିମାନ ବୁହାରେ ଖଞ୍ଜିଲେ

ଏହି ନିଯୁକ୍ତ ନର ସଙ୍ଗେ

ବିମାନ ବହେ ନାନାରଙ୍ଗେ

ସାକ୍ଷାତେ ବିଷ୍ଣୁ ଅଂଶେ ସେହି

ପର ଅଧୀନ ପ୍ରାୟେ ହୋଇ

ସେ ଯେ ପରମ ଭାଗବତ

ଏ କର୍ମ ତାର ଅନୁଚିତ

ବିମାନ ବହି ନ ପାରଇ

ବିଷମ ଶ୍ରମେ ସେ ଚଳଇ

କ୍ଷୁଦ୍ରଜନ୍ତୁଙ୍କ ମୃତ୍ୟୁ ଭୟେ

ପାଦ ନ କ୍ଷେପନ୍ତି ନିର୍ଭୟେ

ତେଣୁ ବିମାନ ବକ୍ର ହୋଇ

ରାଜାର କଷ୍ଟ ହୁଏ ଦେହୀ

ବିମାନବୁହା ପରାସରେ

ରାଜା କହଇ କୋପଭରେ

ବିଷମ ସମଭାବ ହୋଇ

ବିମାନ ବହ କାହିଁପାଇଁ

ପ୍ରଭୁ ବଚନେ କୋପଭରେ

ଶୁଣି କମ୍ପିଲେ ସେ କିଙ୍କରେ

ଅତ୍ୟନ୍ତ ଭୟଚିତ୍ତ ହୋଇ

ଜଡ଼କୁ ଦେଲେ ସେ ଦେଖାଇ

ଭୋ ନାଥ ଆମ୍ଭ ଦୋଷ ନାହିଁ

ଏ ଯେ ପୁରୁଷ ନ ଚଳଇ

ଏହାର ବକ୍ରଗତି ପାଇଁ

ବିମାନ ବକ୍ରଭାବ ହୋଇ

ଭୋ ନାଥ ଶୁଣ ସାବଧାନେ

ପୁଣି ହିଁ ଚଳଇ ବିମାନେ

ଏହାର ସଙ୍ଗତେ ରାଜନ

ବହି ନ ପାରିବୁ ବିମାନ

ସଂସର୍ଗ ଦୋଷରୁ ଆମ୍ଭର

ଦଣ୍ତିବ ଯେବେ ନୃପବର

ଏମନ୍ତେ ଭୃତ୍ୟବାକ୍ୟ ଶୁଣି

ସେ ଯେ ରାଜନ ଶିରୋମଣି

ସ୍ୱଭାବେ ସାଧୁ ସେ ବୋଲାଇ

ରଜ ଗୁଣରେ କ୍ରୋଧ ବହି

ବିଷ୍ଣୁ ଭକତ ବିପ୍ରବର

ତାହାକୁ କହଇ ଉତ୍ତର

ରହୁରାଣ ଉବାଚ

ସୁପୁଷ୍ଟ ସ୍ଥୂଳ ତୋ ଶରୀର

କଠିନ ପୀନ ପାଦ ଊର

ସ୍ଥକିତେ ଚଳୁ କି କାରଣେ

ଏ ତୋର ଅଙ୍ଗ ନିଷ୍କାରଣେ

କ୍ଷୁଦ୍ର ଯେ ତୋର ସଙ୍ଗତରେ

ବିମାନ ବହନ୍ତି ତ‌ତ୍ପରେ

ବ୍ୟର୍ଥ ଏ ତୋର କଳେବର

ମିଥ୍ୟାରେ ବହୁ ତୁ ଶରୀର

ଏମନ୍ତେ ଶୁଣ ପରୀକ୍ଷିତ

ସେ ଯେ ବ୍ରାହ୍ମଣ ବିଷ୍ଣୁଭକ୍ତ

ଏମନ୍ତ ବଚନେ ମଉନ

ସ୍ୱଭାବେ ବହଇ ବିମାନ

ପୁଣି ବିମାନ ବକ୍ର ହେଲା

ସେ ରାଜା ଅତି କୋପକଲା

ଆରେ ପାମର ମୂଢ଼ଚିତ୍ତ

ଜୀବନ ଥାଉ ତୁହି ମୃତ

ଏ ମୋର ଅଙ୍ଗେ କଷ୍ଟ ଦେଉ

ଉନ୍ମତ ଭାବ କିମ୍ପା ବହୁ

ଯମର ପ୍ରାୟେ ମୁଁ ଅଟଇ

ଦୁଷ୍ଟଙ୍କ ଦର୍ପ ମୁଁ ଧ୍ୱଂସଇ

ତୋହର ମତ୍ତଭାବ ମୁହିଁ

ଆଜ ଯେ ଦୂର କରିବଇଁ

ଏମନ୍ତେ ଅତି ନିନ୍ଦାମାନ

ବହୁତ କଲା ସେ ରାଜନ

ରଜଗୁଣରୁ କ୍ରୋଧ ତାର

ତମଗୁଣରୁ ଅହଂକାର

ସକଳ ଭୂତେ ଦୟା ସାର

ସେ ଯେ ବ୍ରାହ୍ମଣର କୁମାର

ଈଷତ ହାସ୍ୟ-ବଦନରେ

ବଚନ କହଇ ରାଜାରେ

ଭରତ ଉବାଚ

ଭୋ ନୃପ ଶୁଣ ସାବଧାନେ

ତୁମ୍ଭେ ଯେ କହିଲ ବଚନେ

ଗମନ କରି ନ ପାରଇ

ସେ କଥା ଉଚିତ ଅଟଇ

ଏ କଥା ଆମ୍ଭ ସାଧୁପଣ

ଲୋକରେ କରନ୍ତି ଗାୟନ

ଜୀବନ ମୃତ ଯେ ବୋଇଲ

ସେ କଥା ସତ୍ୟ ଯେ କହିଲ

କ୍ଲେଶ ଶରୀରେ ଏ ଆମ୍ଭର

କେବେହେଁ ନୁହେଁ ନୃପବର

ମାନ ଅହଂକାରାଦି ଯେତେ

ତାହାର ନାନା ବ୍ୟାଧି ହିତେ

କ୍ଷୁଧା ପିପାସା ଭୟମାନ

ମୋହର ନାହିଁ ହେ ରାଜନ

ନିଦ୍ରା ବିହାର କ୍ରୋଧ ଯେତେ

ମୋହ ଅହଂକାର ସମେତେ

ଯେ ପ୍ରାଣୀ ଦେହବନ୍ତ ହୋଇ

ତାହାର ତହିଁ ଏତେ ଥାଇ

ମୋହର ଦେହେ ଏତେ ନାହିଁ

ଜୀବନ ଥାଉଁ ମୃତ ମୁହିଁ

କେ ଅବା କାହାକୁ ବହଇ

ଏମନ୍ତ ମୁହିଁ ନ ଦେଖଇ

କେବା ଈଶ୍ୱର କେ କିଙ୍କର

ଏମନ୍ତ ନ ଦେଖି ଉପର

ତୁମ୍ଭ ଆମ୍ଭର ଏ ବିଚାର

କିମ୍ପା କହିଲ ନୃପବର

ଆମ୍ଭେ କି କରିବୁ ତୁମ୍ଭରେ

ସ୍ୱଭାବେ ଏ ଜଡ଼-ଶରୀରେ

ପ୍ରମତ୍ତ ଜଡ଼ଭାବେ ମୁହିଁ

ବିମାନେ କେବେହେଁ ନ ବହି

ଶ୍ରୀଶୁକ ଉବାଚ

ଶୁଣ ପରୀକ୍ଷ ନୃପବର

ସେ ଯେ ବ୍ରାହ୍ମଣର କୁମର

ସୁଶୀଳ ସମ ସାଧୁ ଚିତ୍ତ

ବିଶେଷେ ବିଷ୍ଣୁର ଭକତ

ତାହାର ବାକ୍ୟ ଅନୁସାରେ

ଏମନ୍ତ କହି ସେ ମଧୁରେ

ପ୍ରାରବଧ କର୍ମ କ୍ଷୟ ପାଇ

ପୁଣି ବସନ୍ତି ତୁନି ହୋଇ

ତତ୍ତ୍ୱ ଯଜ୍ଞଶାନ୍ତି ମନରେ

ସେ ଯାଉଥିଲା ସ୍ନେହଭରେ

ବିଷୟ କର୍ମ କରି ଦୂର

ଏମନ୍ତେ ଶୁଣ ନୃପବର

ଦ୍ୱିଜ ବଚନ ତତ୍ତ୍ୱଜ୍ଞାନ

ବିଷୟ ତାପ ବିଖଣ୍ଡନ

ଅମୃତ ପ୍ରାୟ ତାହା ଜାଣି

ମନେ ଚିନ୍ତିଲା ନୃପମଣି

ତକ୍ଷଣେ ଶୀଘ୍ର ଗତି ହୋଇ

ବିମାନୁ ପଡିଲା ଓହ୍ଲାଇ

ବ୍ରାହ୍ମଣ ପାଦ ଯୁଗଳରେ

ଶିର ଅର୍ପିଲା ଶୀଘ୍ରତରେ

କ୍ଷମା କରାଇ ଅପରାଧ

କହଇ ବାକ୍ୟ ଗଦଗଦ

ରହୁରାଣ ଉବାଚ

କେ ତୁମ୍ଭେ କହ ସ୍ୱାମୀ ମୋରେ

କରୁଣା କର ଏ କିଙ୍କରେ

ଗୁପତ ହୋଇ ଭ୍ରମୁଥାଅ

ବ୍ରାହ୍ମଣ ରୂପ ତୁମ୍ଭେ ବହ

କିବା ଅବଧୂତ-ବେଶରେ

କେମନ୍ତେ ବିହିଲ ଏଠାରେ

କାହିଁ ତୁମ୍ଭର ନିଜ ସ୍ଥାନ

କେମନ୍ତେ ବହିଲ ବିମାନ

ଏ ଯେ ଅପରାଧ ମୋହର

କ୍ଷମା ତୁ କର ଦ୍ୱିଜବର

ଇନ୍ଦ୍ରାଦି ଯେତେ ଦେବାସୁର

ଶଙ୍କର ଆଦି ଦିବାକର

ଏହାଙ୍କ କ୍ରୋଧରେ ମୋହର

ଭୟ ଯେ ନାହିଁ ବିପ୍ରବର

ବ୍ରାହ୍ମଣ ଅପମାନେ ମୋର

ହୃଦ କମ୍ପଇ ଥରହର

ଏଣୁ ଅପରାଧ ମୋହର

କ୍ଷମା କରିବ ବିପ୍ରବର

ଅଶେଷ ଜ୍ଞାନର କାରଣ

ତୁମ୍ଭେ ଯେ ବିଷ୍ଣୁ ପରାୟଣ

ଅଜ୍ଞାନ ପ୍ରାଣୀ ମାନଙ୍କରେ

ଦେଖାଅ ଏ ଜଡ଼ ଶରୀରେ

ତାହାର ଯେତେ ବାକ୍ୟମାନ

ଗ୍ରଥିତ ହୋଇଅଛି ଜ୍ଞାନ

ସକଳ ଜ୍ଞାନମନ୍ତ ତୁହି

ତୋତେ ମୁଁ ପ୍ରସନ୍ନ କରଇ

ଜ୍ଞାନ ସ୍ୱରୂପ ଏ ତୋହର

ଭୋ ନାଥ ମୋତେ କୃପାକର

ଉତ୍କଟ ଜଡ଼ରୂପ ହୋଇ

ପ୍ରାଣୀଙ୍କ ହିତେ ଭ୍ରମୁଥାଇ

ଭୋ ନାଥ ବିପ୍ର ଯୋଗେଶ୍ୱର

ମୁଁ ମୂଢ଼ମତି ଯେ ପାମର

କେମନ୍ତ ତୋତେ ଚିହ୍ନିବଇଁ

ସ୍ୱଭାବେ ଗୃହବନ୍ଧେ ରହି

ଏ ଯେ ମୋହର ଅନୁଚର

ଅତ୍ୟନ୍ତ ମୂଢ ଦୁରାଚାର

ଅଜ୍ଞାନ ହେତୁ ଆଣିଦେଲେ

ବିଧାତା ଘଟଣାର ବଳେ

ଶୁଣ ପରୀକ୍ଷ ସାବଧାନେ

ସେ ବିପ୍ର ନୃପର ବଚନେ

ଜ୍ଞାନ ବୈରାଗ୍ୟ ଆଦିକରି

ସକଳ ଏଥି ଅଛି ପୂରି

ଗୋବିନ୍ଦ-ପାଦ ପଦ୍ମତଳେ

ମନ ତୁ ରଖ ସୁନିଶ୍ଚଳେ

ପଞ୍ଚମସ୍କନ୍ଧେ ଏହୁ ବାଣୀ

ଶୁଣି ସଂସାରୁ ତର ପ୍ରାଣୀ

କୃଷ୍ଣ ଚରଣେ ନିତ୍ୟ ଭଜ

କହଇ ଜଗନ୍ନାଥ ଦ୍ୱିଜ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ପଞ୍ଚମସ୍କନ୍ଧେ ରହୁରାଣ ଜଡ଼ଭରତ

ସମ୍ୱାଦେ ନାମ ଦଶମୋଽଧ୍ୟାୟଃ װ

•••

 

ଏକାଦଶ ଅଧ୍ୟାୟ

 

ବ୍ରାହ୍ମଣ ଉବାଚ

ହେ ରାଜା ଶୁଣ ସାବଧାନେ

ତୁ ଯେ କହିଲୁ ଅନୁମାନେ

ମୂର୍ଖ-ପଣ୍ତିତ ଦୁଇମତ

ଏ କଥା ଅଟଇ ଉଚିତ

ତଥାପି ପଣ୍ତିତ ଯେ ନୋହେ

ତତ୍ତ୍ୱ ଭାବରେ କ୍ରୋଧ ବହେ

ଅପରେ ଶୁଣ ହେ ରାଜନ

ଗୃହକର୍ମରେ ଯେଉଁ ଜନ

ସୁକର୍ମ ବିଦ୍ୟାକୁ ଆଚରେ

ତ‌ତ୍ତ୍ୱ ଗୁଣରେ ମନ ଧରେ

ପଣ୍ତିତ ବୋଲାନ୍ତି ସଂସାରେ

ଯେ ତତ୍ତ୍ୱ ଜ୍ଞାନ ମନେ ସ୍ମରେ

ସେ ସାଧୁ ବୋଲାଇ ସଂସାରେ

ପ୍ରାଣୀଙ୍କୁ ଯେବେ ଦୟାକରେ

ଦଣ୍ତିବା ଶକ୍ତି ଯାର ଥାଇ

ତଥାପି କ୍ଷମା ସେ କରଇ

ସାଧୁଙ୍କ ଶ୍ରେଷ୍ଠ ଯେଉଁ ନର

ସୁଖ ଦୁଃଖରୁ ଯେ ବାହାର

ଅପରେ ଶୁଣ ହୋ ରାଜନ

ଗୃହକର୍ମରେ ଯେଉଁ ଜନ

।।

ସ‌ତ୍ତ୍ୱ ରଜ ତମ ଗୁଣରେ

ମନ ହୋଇଲା ଦୃଢ଼ତରେ

ଯେ ଗୁଣ ଯାହାର ହୁଅଇ

ସେ ଗୁଣ ପ୍ରାଣୀ ପ୍ରକାଶଇ

ସ୍ୱଧର୍ମ ମନ୍ଦ ଭାବ ଦୁଇ

ମଧ୍ୟାହ୍ନ ଭାବକୁ ସେ ବହି

ଧରଇ ଗୁଣ ଅନୁସାରେ

ସ୍ୱରୂପ ବେଭାର ଅପରେ

ଯେ ସୁଖ ଦୁଃଖ ଆଦିକରି

ଲଭଇ କର୍ମକୁ ଆଦରି

ଦେଖ ଏ ଅନିତ୍ୟ ସଂସାର

ମାୟାରେ ହୋଇ ତତପର

ତାହାର ଗୁଣ ଅନୁସାରେ

ପ୍ରାଣୀ ଯେ କର୍ମମାନ କରେ

ଏ ତର୍କ ଭାବକୁ ଯେ ବହି

ସକଳ ସାକ୍ଷୀ ହୋଇ ସେହି

ତେଣୁ କହନ୍ତି ବେଦସାର

ଗୁଣ ନିର୍ଗୁଣ ଏ ଅପାର

ସୁଗୁଣ ପ୍ରାଣୀମାନଙ୍କର

ନାନା ବ୍ୟସନ ଯେ ଅପାର

ନିର୍ଗୁଣ ଭାବକୁ ଯେ ଧରେ

ସେ ପ୍ରାଣୀ ଭବଜଳୁ ତରେ

ମୃତ ପ୍ରଦୀପ ପ୍ରାୟେ ହୋଇ

ସ୍ୱଗୁଣେ ସଂସାରେ ଭ୍ରମଇ

ଦ୍ରବ୍ୟର ଭାବେ କର୍ମମାନ

ଆଶ୍ରୟ ଆଦି ହେ ରାଜନ

ମାୟାର ବଳେ ଏ ସଂସାରେ

ପ୍ରାଣୀର ମନକୁ ଯେ ହରେ

କ୍ଷେତ୍ରଜ୍ଞଭାବକୁ ଆଦରି

ଶରୀରେ ବସିଛି ଆବୋରି

ପ୍ରତ୍ୟକ୍ଷ ଭାବେ କେ ଅଛଇ

ତାହାକୁ ପ୍ରାଣୀ ନ ଜାଣଇ

ଶୁଦ୍ଧ ଅଶୁଦ୍ଧ ସଦାଚାର

ସେ ଯେ କରନ୍ତି ପ୍ରାଣୀଙ୍କର

ଅପରେ ଶୁଣ ହେ ରାଜନ

କ୍ଷେତ୍ରଜ୍ଞ ପୁରୁଷ ପ୍ରମାଣ

ପରମ ଆତ୍ମା ଜ୍ୟୋତିର୍ମୟେ

ଅନ୍ୟାନ୍ୟ ବୃତ୍ତି ଯାର ଦେହେ

ସେ ନାରାୟଣ ଭଗବାନ

ବାସୁଦେବ ଆଦି କାରଣ

ଯାର ସ୍ମରଣେ ପାପମାନ

ବିଶେଷେ ହୁଅନ୍ତି ଖଣ୍ତନ

ମାୟାର ବଳେ ଏ ଜଗତେ

କ୍ରୀଡା କରନ୍ତି ଅବିରତେ

ସ୍ଥାବର ଜଙ୍ଗମାଦିଠାରେ

ପବନ ଯେସନ ସଞ୍ଚରେ

ତେମନ୍ତେ ହୋଇ ସର୍ବଠାରେ

କ୍ଷେତ୍ରଜ୍ଞ ରୂପେ ସେ ବିହରେ

ଯାବତ କାଳ ପ୍ରାଣୀଗଣ

ମାୟାକୁ ନ କରେ ଖଣ୍ତନ

ଷଡ଼ଅଇରି ନ ଜିଣଇ

ବିମୁକ୍ତ ସଙ୍ଗ ସେ ନୁହଇ

ପ୍ରଭୁଙ୍କୁ ଯେଣୁ ନ ଜାଣେ

ତାବତ ଭ୍ରମେ ଅକାରଣେ

ସଂସାରେ ତାପ ଦାବାନଳ

ସେ ଯେ ଅନାଦି ଆଦିମୂଳ

ଯାବତ ତାକୁ ନ ଚିହ୍ନଇ

ଶୋକ-ମୋହରେ ସେ ଭ୍ରମଇ

ତୁ ଏବେ ଶୁଣ ନୃପବର

ଏ ଯେ ବ୍ରହ୍ମାଣ୍ତର ଈଶ୍ୱର

ଅଖିଳ ପ୍ରାଣୀଙ୍କର ଗୁରୁ

ଯାର ମହିମା ମହାମେରୁ

ତାହାର ଚରଣାରବିନ୍ଦେ

ମନ ନିବେଶି ଅପ୍ରମାଦେ

ମାୟା-କପଟ ଏ ସଂସାର

ତୁ ଏହା ଶୀଘ୍ର ପରିହର

ପଞ୍ଚମସ୍କନ୍ଧେ ହରିବାଣୀ

ଶୁଣି ସଂସାରୁ ତର ପ୍ରାଣୀ

ସେ ପାଦ ପଦ୍ମ ଯୁଗଳରେ

ଚିତ୍ତ ମୋ ରହୁ ନିରନ୍ତରେ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ପଞ୍ଚମସ୍କନ୍ଧେ ରହୁରାଣ ସମ୍ଭାଷଣେ
ନାମ ଏକଦଶୋଽଧ୍ୟାୟଃ ।

•••

 

ଦ୍ୱାଦଶ ଅଧ୍ୟାୟ

 

ରାଜୋବାଚ

ନମଇଁ ପ୍ରଭୁ ବିପ୍ରବର

ପ୍ରାଣୀଙ୍କ ହିତେ ତୋ ଶରୀର

ସ୍ୱଇଚ୍ଛା-ବିହାର ତୋହର

ନମସ୍ତେ ଦୟାର ସାଗର

ଗୁପ୍ତ ଭାବରେ ଭ୍ରମୁ ତୁହି

ଏ ତୋର ମାୟା କେ ଜାଣଇ

ବ୍ୟର୍ଥରେ ପ୍ରାଣୀ ଆତଯାତ

ତୁ ଯେ ମାୟା ରୂପରେ ସ୍ଥିତ

ବ୍ୟାଧିପୀଡିତ ପ୍ରାଣୀମାନେ

ତାହାକୁ ଔଷଧ ଯେସନେ

ନିଦାଘ ତାପରେ ପୀଡିତ

ତାହାକୁ ଯେହ୍ନେ ଜଳଶୀତ

ସଂସାର-ଦୁଃଖ-ଦାବାନଳ

ତହିଁ ମୁଁ ହୋଇଣ ଆକୁଳ

ପୀୟୁଷ ରସ ତୁମ୍ଭ ବାଣୀ

ପାଇ ତରିଲି ଦ୍ୱିଜମଣି

ସଂଶୟ ଶରୀରୁ ମୋହର

ତୁମ୍ଭେ ଛେଦିଲ ଦ୍ୱିଜବର

ଅଜ୍ଞାନ ଜଡ଼ଭାବ ଥିଲେ

ତୁମ୍ଭେ ଛେଦିବ ତାହା ଭଲେ

ଅଧ୍ୟାତ୍ମ୍ୟ ଯୋଗ ତୋ ବଚନ

ଶୁଣି ସନ୍ତୋଷ ମୋର ମନ

ଯେତେ ସ୍ୱକ୍ରିୟା ଫଳମାନ

କହିଲା ଈଶ୍ୱର ଅଧୀନ

ଉତମ ତ‌ତ୍ତ୍ୱ ଏବେ ପାଇ

ପୃଥକ ବୁଦ୍ଧିମାନ ହୋଇ

ତତ୍ତ୍ୱଜ୍ଞାନ ଏ ପ୍ରାଣୀଙ୍କର

ମନ ନୁହଇ ଦୃଢ଼ ତାର

ବ୍ରାହ୍ମଣ ଉବାଚ

ପାର୍ଥିବ-ବିକାର ଯେଉଁଟି

ଭାରବାହ ଅଟେ ସେହିଟି

ଶ୍ରମ ଯେ ହୋଇବ କାହାର

ଏହା ତୁ ବୁଝି ନୃପବର

ଶରୀରେ ଅଛି ଯେ ଚରଣ

ତହିଁ ଉପରେ ଗୁଳ୍‌ଫ ଜାଣ

ଜାନୁ ଋରୁ ଯେ ମଧ୍ୟଦେଶ

ବକ୍ଷସ୍ଥଳ ଯେ ଗଳଦେଶ

ସ୍କନ୍ଧକୁ ଘେନି କ୍ରମାନ୍ୱୟେ

ଅଛନ୍ତି ଯେ ଯାର ଇଚ୍ଛାଏ

ସ୍କନ୍ଧ ଉପରେ କେହି ନାହିଁ

କେବଳ ଶିବିକା ଅଛଇ

ତହିଁରେ ଅବୟବୀ ନାହିଁ

ସୌବୀର ରାଜା ବସିଛଇଁ

ସେ ପଟେ ପାର୍ଥିବ-ବିକାର

ଏହା ତୁ ନୃପ ହେତୁକର

ଏହି ବିକାରେ ଅଭିମାନ

ତୋହର ହୋଇଛି ରାଜନ

ଏ ଯେ ସଂସାରେ ପ୍ରାଣୀମାନେ

ନୃପ ସେବକ ଭିନ୍ନେ ଭିନ୍ନେ

କେହୁ କାହାକୁ ନମସ୍କାର

କରଇ ଆଚାର ବେଭାର

ଏ ଜୀବମାନେ ବସି ତହିଁ

ନାନା-କୁକଥାମାନ କହି

ମୁଁ ନୃପ ବୋଲି ଅହଂକାର

ଏ ମୂଢ଼ ଲୋକଙ୍କ ବେଭାର

ପ୍ରାଣୀଙ୍କୁ ଦଣ୍ତ ଦେଇ ମୁହିଁ

ଏମନ୍ତେ ନାନା କଥା କହି

ପ୍ରଗଳ୍‌ଭ ଭାବ ତୁ ଧଇଲୁ

ଏଣୁ ମୋହର ସେବା କଲୁ

ଦେଖ ଏ ଅଖିଳ ସଂସାର

ଜନ୍ମର ଯହୁଁ ଚରାଚର

ତାହାର ନାମ ଯହୁଁକ୍ଷରେ

ପଡ଼ନ୍ତି ନାହିଁ ଏ ସଂସାରେ

ପରମହଂସ ହୃଦସ୍ଥଳ

ଏ ଆଦି ଯେତେକ ସକଳ

ତା ବିନୁ ଅନ୍ୟ କେହି ନାହିଁ

ଅଜ୍ଞାନ ମତି ନ ଜାଣଇ

ଗୃହସ୍ଥ କର୍ମ ଆଦି ଯେତେ

ଅଜୀବ ସଜୀବ ସହିତେ

ଦିବ୍ୟ ସ୍ୱଭାବ କାଳକର୍ମ

ପୃଥକ ଭାବ ଏହୁ ମନ

ଜ୍ଞାନ ବିଶୁଦ୍ଧ ସେ ଅଟଇ

ପରମ ଆତ୍ମା-ରୂପ ବହି

ଏକୁ ଅନେକ ସର୍ବ ଦେହୀ

ସେ ବିନୁ ଅନ୍ୟ ନାହିଁ କେହି

ସର୍ବଜ୍ଞ ପ୍ରଶାନ୍ତ ଅଚ୍ୟୁତ

ଲୀଳାରେ ଯାହାର ଜଗତ

ଯେ ପ୍ରଭୁ ଅଖିଳ କାରଣ

ମୁନିଏ କରନ୍ତି ଗାୟନ

ଏବେ ତୁ ମୋହର ବଚନେ

ହରଷେ ଶୁଣ ସାବଧାନେ

ବିବିଧ-ତପ ଯଜ୍ଞଆଦି

ବେଦ ଅଧ୍ୟୟନ ପ୍ରସିଦ୍ଧି

ଏ ଆଦି ଯେତେ ହେ ରାଜନ

ସକଳ ଶ୍ରେଷ୍ଠ ଭଗବାନ

ଯାହା ସ୍ମରଣେ ପାପମାନ

ଅଶେଷ ହୁଅନ୍ତି ଖଣ୍ତନ

ଉତ୍ତମ କଥା ଶ୍ଳୋକ ସାର

ଯେ ପ୍ରାଣୀ କରନ୍ତି ଉଚ୍ଚାର

ଗ୍ରାମ୍ୟ କଥାରେ ତାର ମତି

କେବେହେଁ ନୋହେ ମହୀପତି

ଯେବେ ନିଶ୍ଚଳ ଭାବେ ମନ

ପ୍ରଭୁରେ କରଇ ଅର୍ପଣ

ତାହାଙ୍କୁ ପ୍ରଭୁ ଭାବଗ୍ରାହୀ

ସ‌ତ୍ୟ ପ୍ରଧାନେ ମନ ଦେଇ

ଏବେ ହୋ ଶୁଣ ନୃପମଣି

ଆମ୍ଭର ପୂର୍ବଜନ୍ମବାଣୀ

ଭରତ ନାମେ ରାଜା ମୁହିଁ

ବ୍ରହ୍ମାର ବଂଶେ ଜାତ ହୋଇ

ସର୍ବ ସମ୍ପଦ ଦୂର କଲି

ନିଶ୍ଚଳେ ପ୍ରଭୁଙ୍କୁ ଭଜିଲି

ପୂର୍ବର ମୋର କର୍ମଫଳ

ମୃଗ ସଙ୍ଗରୁ ମତି ଭୋଳ

ଯେଣୁ ଅସାଧୁ ଆଚରିଲି

ମୃଗ ଶରୀର ମୁଁ ପାଇଲି

ଯେଣୁ ମୋହର ପୁଣ୍ୟଥିଲା

ପ୍ରଭୁଙ୍କ କରୁଣା ହୋଇଲା

ତେଣୁ ପୂର୍ବର କଥାମାନ

ମୋହର ହୋଇଲା ସ୍ମରଣ

ଏବେ ହୋ ଶୁଣ ନୃପବର

ଲଭିଲି ବ୍ରାହ୍ମଣ-ଶରୀର

ତେଣୁ ସଙ୍ଗକୁ ମୁହିଁ ଡ଼ରି

ଏ ଜଡ଼ ରୂପକୁ ଆବୋରି

ଭ୍ରମଇ ଏ ଭବ ସାଗରେ

କର୍ମ ବନ୍ଧନ ଖଣ୍ତିବାରେ

ଏକାନ୍ତ ନିଶ୍ଚଳ ଭାବରେ

ମନ ନିବେଶି କୃଷ୍ଣଠାରେ

ଶୁଣ ରାଜନ ଏକମନେ

ଏଣୁ ସଂସାରେ ପ୍ରାଣୀମାନେ

ଅସଙ୍ଗ ସଙ୍ଗେ ମୋହ ହୋଇ

ନାନା ଯୋନିରେ ଭ୍ରମୁଥାଇ

ସାଧୁଙ୍କ ସଙ୍ଗଟି ଯାହାର

ପବିତ୍ର ହୁଅଇ ଶରୀର

ନିଶ୍ଚଳମତି ଯେବେ ହୋଇ

ସଂସାର ସାଗରେ ବୁଡ଼ଇ

ସାଧୁସଙ୍ଗତି ପ୍ରଭାବରେ

ପ୍ରଭୁର କୃପା ହୋଇ ତାରେ

ସେ ଯେ ଅନାଦି ଚକ୍ରଧର

ଜଗତ ବନ୍ଧୁ ଦାମୋଦର

ସେ ପ୍ରଭୁ ପାଦପଦ୍ମତଳେ

ମନ ମୋ ରହିବ ନିଶ୍ଚଳେ

କହଇ ବିପ୍ର ଜଗନ୍ନାଥ

ପଞ୍ଚମସ୍କନ୍ଧେ ଭାଗବତ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ପଞ୍ଚମସ୍କନ୍ଧେ ରହୁରାଣ ଭରତ ସମ୍ବାଦେ
ନାମ ଦ୍ୱାଦଶୋଽଧ୍ୟାୟଃ ।

•••

 

ଶ୍ରୀମଦ୍‌ ଭାଗବତ ପଞ୍ଚମ ସ୍କନ୍ଧ

ତ୍ରୟୋଦଶ ଅଧ୍ୟାୟ

 

ବ୍ରାହ୍ମଣ ଉବାଚ

ଯେ ପଥ ଅତ୍ୟନ୍ତ ଦୁର୍ଗମ

ମାୟାରେ ତହିଁ ହୋଇ ଭ୍ରମ

ରଜ ତମରେ ଭିନ୍ନ ମତି

ପଥୁକୀ ଭାବେ କର୍ମ ଚିନ୍ତି

ସେ ପ୍ରାଣୀ ସଂସାର ଭ୍ରମଇ

ସୁଖର ଲେଶ ତାର ନାହିଁ

ଏ ଯେ ସଂସାର ମହାଘୋର

ନାନା ଦୁସ୍ତର ଭୟଙ୍କର

ଏଥେ ନିବେଶି ଦୃଢ ମନ

ନାନା ଯାତନାର ଯେ ସ୍ଥାନ

ବାତେ ଉନ୍ମୀଳ ରେଣୁ ଲାଗି

କେ ଚକ୍ଷୁ ବୁଜି ଦୁଃଖଭାଗୀ

ବିବିଧ ଘୋର ସ୍ୱନ ଲାଗି

କଷ୍ଟେ ହୋଇବ ଦୁଃଖଭାଗୀ

ଭଲ୍ଲୁକ ଆଦି ଘୋର ବାଣୀ

ଦୁଃଖିତ ଆତ୍ମା ତାହା ଶୁଣି

କ୍ଷୁଧା ପୀଡିତ ଯେବେ ହୋଇ

ନିଷ୍ଫଳ-ବୃକ୍ଷକୁ ଧାମଇ

କେବେହେଁ ମୃଗତୃଷ୍ଣା ଦେଖି

ଜଳର ପ୍ରାୟ ଉପଲକ୍ଷି

ନିରାଶ ହୋଇଣ ତହିଁରେ

ଧାମଇ ଶୁଷ୍କ ନଦୀ ତୀରେ

ଅନ୍ୟାନ୍ୟ ଭାବକୁ ସେ ବହି

ନିର୍ଦ୍ଧନ-ପ୍ରାଣୀଙ୍କୁ ମାଗଇ

ଦାରା ତନୟ ଅଗ୍ନି ପ୍ରାୟେ

ତହିଁ କ୍ରୀଡ଼ଇ ମାୟା ମୋହେ

କେବେହେଁ ଶାନ୍ତି ନ ଭଜଇ

ପୁଣି ଉଦ୍‌ବେଗ-ମନ ହୋଇ

ବିବିଧ ସୁଖ ଦୁଃଖ ପାଇ

ପରମ କ୍ଲେଶକୁ ଲଭଇ

ଗନ୍ଧର୍ବ ପୁରେ ପ୍ରବେଶିଣ

ପ୍ରମୋଦ ଲଭେ ଅନୁକ୍ଷଣ

କଣ୍ଟକ ଦୁର୍ଗମ ପାଷାଣେ

ନିରତେ ଭ୍ରମେ ଅକାରଣେ

ବିମନ ହୋଇ ଦୁଃଖ ପାଇ

କ୍ଷଣକେ ପୁଣି ପାସୋରଇ

ଅନ୍ତର ବାହାରେ ଯନ୍ତ୍ରିତ

ପ୍ରାଣୀ ହୁଅନ୍ତି ଆତଯାତ

କୁଟୁମ୍ବ ପାଇ ଏତେ ତାପ

ବିପକ୍ଷ ସମ୍ୱତ୍ସରେ ପ୍ରାପ୍ୟ

ଦୁଷ୍ଟ ଜନ୍ତୁରେ ପୀଡ଼ାପାଇ

ବିପିନେ ନିରତେ ଭ୍ରମଇ

ଅନ୍ଧ ଯେସନେ ଅନ୍ଧକୂପେ

ପଡ଼ଇ କର୍ମର ବିପାକେ

କ୍ଷଣକେ ପୁଣି ପାସୋରଇ

ପଡ଼େ ଗିରି କନ୍ଦରେ ଯାଇ

ପୁଣି ଆତ୍ମାତତ୍ତ୍ୱକୁ

କ୍ଷଣକେ ପାସୋରଇ ପୁଣି

ମାୟାରୁ କରି ଏ ସଂସାର

ଦୁର୍ଗମ ପଥ ଯେ ଏହାର

ସଜୀବ ଆତ୍ମା ହୋଇ ତୁଲ

ଜାଣଇ ପ୍ରାଣୀ-ମନ୍ଦ ଭଲ

ହରି ସେବାରେ ମନ ଦେଇ

ଯେ ପ୍ରାଣୀ ସଂସାରେ ଭ୍ରମଇ

ଜ୍ଞାନ ଯେ ଠାକୁର ଈଶ୍ୱର

ନିଶ୍ଚିନ୍ତେ ହୁଅ ଭବୁ ପାର

ରହୂରାଣ ଉବାଚ

ସାଧୁମାନଙ୍କ ଜନ୍ମସାର

ସଂସାରେ କିବା ଜନ୍ମ ଆର

ଯେ ଜନ ହୃଷୀକେଶ ଗୁଣ

ବଦନେ କରେ ଉଚ୍ଚାରଣ

ଶ୍ରବଣେ ଶୁଣି ଯଶ ଗାଇ

ସୁସାଧୁ ସଙ୍ଗତେ ମିଳଇ

ଭୋ ସ୍ୱାମୀ ତୁମ୍ଭ ପାଦରେଣୁ

ମୋ ଦେହେ ଲାଗିଲାକ ଯେଣୁ

ସର୍ବ ଦୁରିତ କ୍ଷୟ ଗଲା

ନିର୍ମଳ ମୋ ମନ ହୋଇଲା

ଅବିଦ୍ୟା କର୍ମ ଯେ ମୋହର

ଭୋ ସ୍ୱାମୀ ସମାଗତ ତୋର

ଅବିବେକ ଅବିଦ୍ୟାମାନେ

ହତ ହୋଇଲେ ତୋର ପୁଣ୍ୟେ

ତୋତେ ମୋହର ନମସ୍କାର

ଏ ବଟୁ ରୂପ ଯେ ତୋହର

ଅବଧୂତ ରୂପକୁ ଧରୁ

ପୃଥିବୀ ପର୍ଯ୍ୟଟନ କରୁ

ଶ୍ରୀଶୁକ ଉବାଚ

ଏମନ୍ତ କହିଣ ରାଜନ

ବନ୍ଦିଲା ବିପ୍ରଙ୍କ ଚରଣ

।।

ରାଜାର ପୂଜାକୁ ଘେନିଲା

ଧରଣୀ ଭ୍ରମଣେ ଗମିଲେ

।।

ଏ ରୂପ ଧରି ସେ ବ୍ରାହ୍ମଣ

ପୃଥିବୀ କରେ ପର୍ଯ୍ୟଟନ

।।

ରାଜାର କୁଶଳ ନିମନ୍ତେ

ଭ୍ରମେ ଭ୍ରମନ୍ତି ଏ ଯେ ନିତ୍ୟେ

।।

ଏମନ୍ତେ ରହୁରାଣ ବାଣୀ

ଆନନ୍ଦେ ଶୁଣି ବିପ୍ରମଣି

ପରମ କରୁଣା ସେ ବହି

ରହୁରାଣକୁ ତତ୍ତ୍ୱ କହି

ହରଷ ହୋଇ ରହୁରାଣ

ପରମ ତ‌ତ୍ତ୍ୱ ଯେ ପାଇଣ

ଆତ୍ମା ଅବିଦ୍ୟା ଧ୍ୟାନ ଯେତେ

ଦେହ ଅହଂକାର ସମେତେ

ତକ୍ଷଣେ ଛାଡ଼ିଲା ସକଳ

ଶୁଣ ପରୀକ୍ଷ ମହୀପାଳ

ଭାଗବତ ଆଶ୍ରୟ ଜନ

ଏଡ଼େ ପ୍ରଭାବ ହେ ରାଜନ

ପରୀକ୍ଷିତ ଉବାଚ

ବହୁ ପ୍ରକାରେ ଏ ସଂସାର

ଏ ଭାଗବତ-ଶ୍ରେଷ୍ଠ କରେ

ଏହାଙ୍କ ବାକ୍ୟ ଅନୁସରି

ସେ ପ୍ରାଣୀ ସଂସାରରୁ ତରି

ଏହାଙ୍କୁ କି ଗତି ଅପରେ

ଗତି ଅଗତି କିବା କରେ

ଏ ଅନନ୍ତରେ ନୂପବରେ

ଏଥୁ ଦୁର୍ଗମ ଯେ ଅପରେ

ତାହାର ସଂଘଟନ ଯେତେ

ସକଳ ମୋହର ଅଗ୍ରତେ

ତୁ ଅନୁଗ୍ରହ କରି କହ

ମୋହର ଫେଡିବ ସନ୍ଦେହ

ସେ ବିପ୍ର ରହୁରାଣ ବାଣୀ

ଆନନ୍ଦେ ଶୁଣି ନୃପମଣି

କର୍ଣ୍ଣେ ଶୁଣନ୍ତି ଯେତେ ପ୍ରାଣୀ

ଘୋର ସଂସାର ଯାନ୍ତି ଜିଣି

ସକଳ ପାପୁଁ ସେ ତରନ୍ତି

ଅନ୍ତେ ମୁକତି ସେ ଲଭନ୍ତି

କହଇ ବିପ୍ର ଜଗନ୍ନାଥ

ପଞ୍ଚମସ୍କନ୍ଧେ ଭାଗବତ

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ପଞ୍ଚମସ୍କନ୍ଧେ ରହୁରାଣ ସମ୍ଭାଷଣେ

ନାମ ତ୍ରୟୋଦଶୋଽଧ୍ୟାୟଃ

•••

 

ଚତୁର୍ଦ୍ଦଶ ଅଧ୍ୟାୟ

 

ଶ୍ରୀ ଶୁକ ଉବାଚ

ଦେହାଭିମାନେ ଯେଉଁ ନର

ସତ୍ୟାଦି ଗୁଣ ଅହଂକାର

କୁଶଳ ଅକୁଶଳ ଦୁଇ

ଏଥେ ନିର୍ମିତ ସେ ହୁଅଇ

ବିବିଧ ନର ଦେହ ବହି

ସଂଯୋଗ ବିଯୋଗ କରଇ

ପାପ ନିର୍ମିତ ଏ ସଂସାରେ

ରହଇ ନିନ୍ଦିତ କର୍ମରେ

ଭଗବାନ ପ୍ରଭୁ ଈଶ୍ୱର

ଯେ ବିଷ୍ଣୁ ଅଖିଳ ଠାକୁର

ଏହା ମାୟାରେ ବଶ ହୋଇ

ଏ ଜୀବ କିଛି ନ ଜାଣଇ

କର୍ମଶୂନ୍ୟ ଦେହ ନିର୍ମିତ

ଏହାକୁ ଅନୁଭବ ମତ

ଶ୍ମଶାନ ପ୍ରାୟ ସେ ଅଟଇ

ଏହାର ମତ ନ ଜାଣଇ

ଘୋର ନରକ ଏ ସଂସାର

ଏଥିରେ ରହି ମୂଢ଼ ନର

ବିବିଧ ବିଫଳ ଯେ କର୍ମ

ତେଣୁ ହୁଅଇ ମତିଭ୍ରମ

ପ୍ରଭୁଙ୍କ ଚରଣାରବିନ୍ଦ

ସୁସ୍ୱାଦୁ ଗନ୍ଧ ମକରନ୍ଦ

ଏହାକୁ ଆଶ୍ରୟ ଯେ କରି

ଅଛନ୍ତି ସେ ପାଦ ଆବୋରି

ପାପ ଧ୍ୱଂସଇ ସୁଖ ଦେଇ

ଏମନ୍ତ ପଦ ନ ସେବଇ

ସେ ପଦ ଆଶ୍ରୟ ନ କରି

ଭ୍ରମନ୍ତି ମାୟାକୁ ଆବୋରି

ଏ ଦେହରେ ଇନ୍ଦ୍ରିୟଗଣ

ନାନା ଉପଭୋଗ କାରଣ

କାମ ଭୋଗରେ ଭୋଳ ହୋଇ

ଅର୍ଜିତ ଯେତେ ଆତ୍ମାଦେହୀ

କରନ୍ତି ଆତ୍ମା ପୁଣ୍ୟ ଥରେ

ଏଣୁ ଏ ପୁଣ୍ୟ ନୃପବରେ

ଅଥବା କୁଟୁମ୍ବ ବିଷୟେ

ଅପତ୍ୟ-ସ୍ନେହେ ମାୟାମୋହେ

କଦର୍ଯ୍ୟ କୁଟୁମ୍ବ କାରଣ

ମୋହେ ହୁଅନ୍ତି ହତଜ୍ଞାନ

ଅସତ୍ୟ ସଙ୍ଗ ଯେଉଁ ନର

ଲଭଇ ପାଷାଣ୍ଡ ଶରୀର

ଦାରା ତନୟ ଗୃହେ ଥାଇ

କେବେହେଁ ସୁଖ ନ ଲଭଇ

ଯେବେ ସେ ରାଜା ହରେ ଧନ

ନାନା କ୍ଳେଶରେ ଦୁଃଖମନ

ଜୀବନ ମୃତ୍ୟୁ ପ୍ରାୟ ହୋଇ

କେ ଅବା କ୍ଷଣେ ତ୍ରାସ ପାଇ

କେବେହେଁ ଦେହ ମିଥ୍ୟା ମାନି

ନିବର୍ତ୍ତ ମନ ନୁହେଁ ପ୍ରାଣୀ

ନିଦ୍ରାରେ ସ୍ୱପ୍ନପ୍ରାୟ କରି

ତକ୍ଷଣେ ପୁଣି ସେ ପାସୋରି

ଯେ ଧରେ ଦେହ ଗୃହାଶ୍ରମେ

ଜନ୍ମ ଲଭଇ ମାୟା ଭ୍ରମେ

ପାପ ଅନଳେ ଦେହ ଧରି

ନିତ୍ୟ ଭ୍ରମଇ କର୍ମ କରି

ଲୌକିକ ବ୍ୟସନ ନିମିତ୍ତ

କ୍ଷଣକ୍ଷଣକେ ଦୁଃଖ ଚିତ୍ତ

କଣ୍ଟକ ଦୁର୍ଗମ ପର୍ବତେ

ନିତ୍ୟଭ୍ରମଇ ଦୃଢ଼ ଚିତ୍ତେ

ଶ୍ମଶାନେ ଶବ ପ୍ରାୟ ହୋଇ

ସୁଖ ଦୁଃଖକୁ ନ ଜାଣଇ

ଦୁର୍ଗମ ଦ୍ୱନ୍ଦ୍ୱ ଦୁଃଖ ହରି

ଉନ୍ନିଦ୍ର ଭାବକୁ ଆଚରି

ବ୍ୟଥିତ ହୃଦୟକୁ ପାଇ

ଅନ୍ନ ଯେସନେ କଷ୍ଟଦେଇ

ଅଜ୍ଞାନ ଭାବ ପାପ ଚିତ୍ତେ

ତମେ ପଡ଼ଇ ପ୍ରାଣୀ ଅନ୍ତେ

କେବେହେଁ ନ କରେ ପ୍ରଧାନ

ସ୍ୱକାମେ ହରେ ପ୍ରାଣୀ ମନ

ସ୍ୱାମୀରେ ଦ୍ରୋହ ଚିନ୍ତା କରେ

ଦୁର୍ଗମ ନରକ ଆବୋରେ

ଏମନ୍ତେ ଆତ୍ମା କର୍ମଫଳେ

ପ୍ରାଣୀ ଭ୍ରମନ୍ତି ଏ ଶୟଳେ

ଜନ୍ମ ବାସନା ଫଳେ ତାର

ପୁଣି ଜନ୍ମଇ ଏ ସଂସାର

ଶୁଣ ରାଜନ ଏକମନ

ଯେବେ ଏ କର୍ମେ କର୍ମମାନ

ଛେଦନ୍ତି ହରି ଆଶ୍ରେକରି

ତେବେ ସେ ଭବୁଯାନ୍ତି ତରି

କେବେହେଁ ନାନାମତ ବାଦେ

ଦୈବର ବିଭୂତି ସମ୍ପଦେ

କେବେହେଁ ହୃଦେ ନ ଚିନ୍ତିବ

ବିଷ୍ଣୁର ପାଦେ ମନ ଦେବ

ଅନ୍ୟର ଧନ ଅନ୍ୟ ନେଇ

ସ୍ୱଭାବେ କର୍ମ ନ ଜାଣଇ

ଏ ଯେ ସଂସାର ଘୋରପଥ

ନାନା ଉପସର୍ଗ ସହିତ

ଏହା ଆଶ୍ରୟ କରି ପ୍ରାଣୀ

ଏ ସର୍ବ ଅନୁଭବ ଜାଣି

ଶୋକ ଲୋଭାଦି ମୋହମାନ

ମାତ୍ସର୍ଯ୍ୟ କ୍ରୋଧ କ୍ଷୁଧା ଜନ୍ମ

ପାପାତ୍ମା ଆଧିବ୍ୟାଧି ଯେତେ

ଜରା ମରଣାଦି ସହିତେ

ଦେବ ମାୟାରେ ମୋହହୋଇ

ନାରୀର ବଶଭାବ ବହି

ଅମୃତ ଲତାରେ ବନ୍ଧନ

ତହିଁରେ ମନ କରି ଛନ୍ନ

ତା ଅବଲୋକନେ ବିହାରେ

ତେଣେ ଆସକ୍ତ ମୂଢ଼ନରେ

ସୁତ ଦୁହିତାର ବଚନେ

ଚିତ୍ତ ନିବେଶି ଅନୁକ୍ଷଣେ

ହୃଦରେ ଆନନ୍ଦିତ ହୋଇ

ଆତ୍ମାକୁ ତହିଁରେ ବଢାଇ

ଅଜୀବ ଆତ୍ମା ଯେ ଅଟନ୍ତି

ଜୀବକୁ ନରକେ ପକାନ୍ତି

କେବେହେଁ ନ କର ପୀଡ଼ିତ

ଯହିଁ ବୁଡ଼ଇ ନିତ୍ୟ ଚିତ୍ତ

କେବେହେଁ ନ କର ପୀଡ଼ିତ

ଯହିଁ ବୁଡ଼ଇ ନିତ୍ୟ ଚିତ୍ତ

ଯାହାର କାଳଚକ୍ର କରି

ଆତ୍ମାର ଶତ୍ରୁକୁ ନିବାରି

ସକଳେ ବଶଟି ଯାହାର

ଏମନ୍ତ ପ୍ରଭୁ ଯେ ଈଶ୍ୱର

ଯାହାର କାଳଚକ୍ର କରେ

ଭ୍ରମଇ ଅଖିଳ ସଂସାରେ

ଯେ ଯଜ୍ଞ ପୁରୁଷ ଠାକୁର

ତାହାକୁ କରି ଅନାଦର

ଆତ୍ମାର ଗତି ନ ବିଚାରି

ବିବିଧ କୁପଥ ଆଚରି

ନିଗମ ଅକାରଣ କର୍ମ

କରନ୍ତି ହୋଇ ମତିଭ୍ରମ

ପାଷଣ୍ତ ଭାବରେ ବିଦିତ

ଆତ୍ମାକୁ କରନ୍ତି ବଞ୍ଚିତ

ଅଜ୍ଞାନ-ପାଷାଣ୍ତ ବେଭାରେ

ନିରତେ ବିଷୟା ବିହରେ

ଅତି କୃପଣ ବୁଦ୍ଧି ହୋଇ

ଅନନ୍ୟେ ସ୍ନେହଭାବ ବହି

ଗୁଣ ବିହାର ଅନୁକ୍ଷଣେ

ଇତ୍ୟାଦି କର୍ମେ ପଥଶ୍ରମେ

ବିସ୍ମିତ କାମ ପାଏ ତହିଁ

ଆନନ୍ଦେ ସୁଖରେ ଭ୍ରମଇ

ବନର ପଶୁଏ ଯେସନେ

ନିରାଶ ବୃକ୍ଷମାନ ଭଗ୍ନେ

ଦାରା ତନୟ ପୋଷିବାରେ

ପଶନ୍ତି ଗିରିର କନ୍ଦରେ

ଶୀତ ତପତ ଦୁଃଖମାନ

ଦେହର ବିଭୂତି ବ୍ୟସନ

ଦୁସ୍ତର ଚିନ୍ତାମଗ୍ନ ହୋଇ

ବିଖଣ୍ଡ ଭାବରେ ରହଇ

ଦ୍ରବ୍ୟ ସଂହାରେ ସେ ସ୍ୱଭାବ

କ୍ଷୀଣ ଧନରେ ଅଳ୍ପ ଲାଭ

କେବେହେଁ ଉପଭୋଗ ତାର

ଦ୍ରବ୍ୟ ବିହୀନେ ହୁଏ ଦୂର

ପୁଣି କେବେହେଁ ମନୋରଥ

ଦ୍ରବ୍ୟ ଲାଳସେ ଉପଗତ

ପୁଣି କେବେହେଁ ଦ୍ରବ୍ୟ ପାଇ

ମତି ତାହାର ତୁଟେ ହୋଇ

ସୁଖ ବିହାର ଆଦି ଯେତେ

ଅଛଇ କଳତ୍ର ସହିତେ

ଏମନ୍ତେ ଚିତ୍ତବୃତ୍ତି ସଙ୍ଗେ

ବୁଡଇ ସ୍ନେହ-ଅନୁରାଗେ

ତେଣୁ ସେ ପୂଣ୍ୟ ବାସନାରେ

ବହଇ ବିବିଧ ଶରୀରେ

ତେଣୁ ସଂସାର ପଥେ ନର

ନାନା କ୍ଲେଶ ବ୍ୟାଧି ଶରୀର

ପୁଣି ଜନ୍ମିଣ ନାଶ ଯାଇ

ସେ ପଥ ନର ନ ଦେଖଇ

ବିବିଧ ଶୋକ ମୋହ ତାର

ଦ୍ୱନ୍ଦ ପାଷଣ୍ଡ ଯେ ଶରୀର

ଅସାଧୁ ବନ୍ଧନେ ବଞ୍ଚଇ

ସେ ପଥ ନର ନ ଦେଖଇ

ଯେ ପଥ ଅତ୍ୟନ୍ତ ନିର୍ମଳ

ସୁସାଧୁ ନର ଯହିଁ ଠୁଳ

ଅସାଧୁ ନର ହୀନ ହୋଇ

ସେ ପଥ ନର ନ ଦେଖଇ

ମାୟାକୁ ପରିହାର କରି

ଯେ କର୍ମେ ଆୟୁର୍ବଳ ସାରି

ଆପଦୁ ନରକ ବିମୁକ୍ତ

ଯାହାକୁ ଭାବନ୍ତି ଜଗତ

ଅଗ୍ରତ ରାଜା ଋଷିଙ୍କର

ପଥ ଯେ ଅତି ଅଗୋଚର

ପ୍ରାଣୀର ମନୋରଥ ପଥେ

ଅଗମ୍ୟ ଅଟଇ ଯୁକତେ

ଗରୁଡ଼ପତି ବ୍ରହ୍ମା ଯହିଁ

ସଚ୍ଚିଦାନନ୍ଦ ରୂପ ତହିଁ

ଦୁହିତା ସୁତ ରାଜ୍ୟ ଧନ

ଯେ ଏଥୁ ଦୂର କରେ ମନ

ଯେ ଏହା ତୁଚ୍ଛପ୍ରାୟ ବୁଝେ

ଉତ୍ତମ ଶ୍ଳୋକ ପାଦେ ଭଜେ

ଏହାଙ୍କୁ ଯେ ରାଜା ବିଭବ

ତ୍ରିଦଶମାନଙ୍କୁ ଦୁର୍ଲ୍ଲଭ

ଏହା ନ ଦେଖି ସାଧୁ ଜନ

ମହତ ପୁରୁଷ ଆଖ୍ୟାନ

ସେ ପାଦେ ଭକ୍ତି ଭାବ ବହି

ଅଛନ୍ତି ମନକୁ ବୁଡାଇ

ଏ ଯଜ୍ଞ ଧର୍ମ ତପୋମୟ

ବିଧି ନିର୍ଗୁଣ ଯୋଗ ଦେହ

ସାଂଖ୍ୟ ଯୋଗରେ ଯେହୁ ସାର

ଯେ ପ୍ରଭୁ ପ୍ରକୃତି ଈଶ୍ୱର

ସେ ନାରାୟଣ କୃଷ୍ଣ ହରି

ଏମନ୍ତ ନାମ ମୁଖେ ଧରି

ଛାଡିଲେ ମୃଗ କଳେବର

କି ଅବା ଦେବା ପଟାନ୍ତର

ଏହା ଯେ ଶୁଣେ ଶୁଦ୍ଧଚିତ୍ତେ

ଶୁଦ୍ଧ ଗୁଣକର୍ମ ଭାରତେ

ପବିତ୍ର ଭାରତ ଚରିତ

ଯେ ଜନ ପଢ଼େ ଅବିରତ

ଆୟୁଷ ଯଶ ଧନ ତାର

ହୁଅଇ ମଙ୍ଗଳ ଅପାର

ଏହା ଯେ ଶୁଣେ ଶୁଦ୍ଧଚିତ୍ତେ

ଭରତ ଜ୍ଞାନ ଅନୁମତେ

ପ୍ରଭୁ ଚରଣେ ଭକ୍ତି ତାର

ଅଶେଷ ପାପ ହୁଏ ପାର

ପ୍ରଭୁ ପଦାରବିନ୍ଦଗତେ

ମନ ମୋ ରହୁ ଅବିରତେ

କହଇ ବପ୍ର ଜଗନ୍ନାଥ

ପଞ୍ଚମସ୍କନ୍ଧେ ଭାଗବତ

 

ଇତିଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ପଞ୍ଚମସ୍କନ୍ଧେ ଭରତ ଉପାଖ୍ୟାନେ

ନାମ ଚତୁର୍ଦ୍ଦଶୋଽଧ୍ୟାୟଃ ।

•••

 

ପଞ୍ଚଦଶ ଅଧ୍ୟାୟ

 

ଶ୍ରୀଶୁକ ଉବାଚ

ଶୁଣ ପରୀକ୍ଷ ନୃପବର

ସୁମତି ଭରତ କୁମର

ଅପରେ ତାହାର ତନୟ

ଋଷଭ ପଥ ସେ ଆଶ୍ରୟ

କରିବ କଳିଯୁଗ ଧର୍ମ

ପାପିଷ୍ଠ ନାନା କର୍ମମାନ

ସୁମତି ପତ୍ନୀଠାରେ ସୁତ

ହୋଇଲା ନାମ ଦେବଜିତ

ତାହାର ହୋଇଲା କୁମର

ଦେବଦ୍ୟୁମନ ନାମ ତାର

ପରମେଷ୍ଠୀ ନାମେ କୁମର

ଜନ୍ମିଲା ଧେନୁମତୀଠାର

ସୁବର୍ଚ୍ଚଳାଠାରେ ତାହାର

ଜନ୍ମିଲା ପ୍ରତୀହ କୁମାର

ଏ ଆତ୍ମା ବିଦ୍ୟାମତେ କରି

ଭଜିଲା ପ୍ରଭୁ ନରହରି

ତାହାର ପ୍ରତିହର୍ତ୍ତା ନାମ

ତନୟ ହୋଇଲେ ଜନମ

ପ୍ରତିହର୍ତ୍ତା‌ର ଯେ କୁମର

ବହୁ ଅପତ୍ୟ ନୃପବର

ଅଜ ଓ ଭୂମା ଯେ କୁମର

ହୋଇଲା ସତ୍ୟଠାରେ ତାର

ଋଷିକୁଲ୍ୟାର ଠାରେ ତାର

ଜନମ ହୋଇଲା କୁମର

ଦେବକୂଲ୍ୟାର ତହିଁ ତାର

ହୋଇଲା ପ୍ରସ୍ତାବ କୁମର

ବିରୁତ୍ସା କନ୍ୟା ତହିଁ ତାର

ଏକଇ ହୋଇଲା କୁମର

ରତିର ଠାରେ ଯେ ତାହାର

ପୃଥୁ ଯେ ହୋଇଲା କୁମର

ଆକୁତିଠାରେ ତାର ସୁତ

ନକ୍ତସେନ ନାମେ ବିଦିତ

ଗୟ ନାମକ ଯେ କୁମର

ହୋଇଲା ଶୁଣ ନୃପବର

ସେ ବିଷ୍ଣୁ ଅଂଶକୁ ବହଇ

ନାନା ଲକ୍ଷଣେ ପୂର୍ଣ୍ଣ ହୋଇ

ସ୍ୱଧର୍ମେ ପ୍ରଜା ପାଳନରେ

ମନ ତାହାର ନିରନ୍ତରେ

ଯେ ମହାପୁରୁଷ ଈଶ୍ୱର

ତାହାଙ୍କୁ ମୋର ନମସ୍କାର

ଅନାଦିନାଥ ନିରାକାର

ସେ ସର୍ବ ଦେବଙ୍କ ଈଶ୍ୱର

ତାହାଙ୍କ ତହିଁ ମନ ଥୋଇ

ପରମ ତତ୍ତ୍ୱ ଭାବ ବହି

ସ‌ତ୍ତ୍ୱିକ ଧର୍ମ ମତି ହୋଇ

ଆନନ୍ଦେ ପାଳଇ ସେ ମହୀ

ତାହାର ଗୁଣ ମହୀତଳେ

ଗାୟନ କରନ୍ତି ସକଳେ

ଏହାର ସମ କେ ସଂସାରେ

ଯଜ୍ଞାଦି କର୍ମ କରିବାରେ

ତାହାର ଭକ୍ତିଭାବୁ କରି

ବଶ ହୋଇଲେ ନରହରି

ତାହାକୁ ଦକ୍ଷ କନ୍ୟା ବରି

ଆନନ୍ଦେ ଅଭିଷେକ କରି

ସକଳ ତୀର୍ଥଜଳ ନେଇ

ରାଜତ୍ୱ ପଣ ତାକୁ ଦେଇ

ରାଜ୍ୟରେ ପ୍ରଜା ସୁଖ ପାଇ

ବହୁତ ଶସ୍ୟଦେଲେ ମହୀ

ମହୀରେ ଯେତେ ନୃପବର

ଖଟନ୍ତି ପୟରେ ତାହାର

ସଂଗ୍ରାମେ ଯାହାର ଚରିତ

ସ୍ତୁତି କରନ୍ତି ଶୂରବନ୍ତ

ଯାହାର ଯଜ୍ଞମାନଙ୍କରେ

ସନ୍ତୁଷ୍ଟ ହେଲେ ବେଦବରେ

ସୂର୍ଯ୍ୟାଦି ନବଗ୍ରହ ଯେତେ

ସନ୍ତୁଷ୍ଟ ହୋଇଲେ ସମସ୍ତେ

ଏ ଅନନ୍ତରେ ପରୀକ୍ଷିତ

ତାହାର ହେଲେ ତିନିସୁତ

ସୁଗତି ଚିତ୍ରରଥ ନାମ

ତୃତୀୟ ଯେ ଅବିରୋଧନ

ଚିତ୍ର ରଥର ପତ୍ନୀଠାରେ

ସନ୍ତୁଷ୍ଟ ଚିତ୍ତେ ବେଦବରେ

ଉର୍ଣ୍ଣବତୀ ପତ୍ନୀ ତାହାର

ସମ୍ରାଟ ହୋଇଲା କୁମର

ଉଜ୍ଜଳ ନାମ୍ନୀ ଭାର୍ଯ୍ୟା ତାର

ମରୀଚି ହୋଇଲା କୁମର

ତାହାର ବିନ୍ଦୁମତୀ ଠାରେ

ବିନ୍ଦୁମାନ ହେଲା କୁମରେ

ସେ ବିନ୍ଦୁମାନ ସେ ପତ୍ନୀର

ମଧୁ ହୋଇଲା ଯେ କୁମର

ମଧୁସୂଦନର କୁମର

ସୁମନା ନାମେ ପତ୍ନୀ ତାର

ବୀରବ୍ରତ ଯେ ପୁତ୍ର ହେଲା

ଭୋଜାକୁ ସେ ତ ବିଭା ହେଲା

ତାହାର ତହିଁ ବେନି ସୁତ

ମନ୍ଥ ପ୍ରମନ୍ଥ ସେ ବିଦିତ

ମନ୍ଥର ସତ୍ୟ ପତ୍ନୀ ତହିଁ

ଭୌବନ ହୋଇଲା ତନୟୀ

ଭୌବନ ପତ୍ନୀଠାରେ ତାର

ତୁଷ୍ଟା ଜନିତ ଯେ କୁମର

ବିରୋଚନାର ତହିଁ ତାର

ବୀରଜ ହୋଇଲା କୁମର

ଶୁଣ ରାଜନ ପରୀକ୍ଷିତ

ବୀରଜ ପୁତ୍ର ହେଲେ ଶତ

ତାହାଙ୍କ ମଧ୍ୟେ ଶ୍ରେଷ୍ଠବର

ପ୍ରଜାରଞ୍ଜନ ପୁତ୍ର ତାର

ବିମତୀ ପତ୍ନୀଠାରେ ତାର

ଦୁଷ୍ଟ ଜନିତ ଯେ କୁମର

ଯେଣୁ ଏ ଲୋକେ ହୋଇ ଜାତ

ଶୁଣ ରାଜନ ପରୀକ୍ଷିତ

ପ୍ରିୟବ୍ରତର ବଂଶମାନ

ବିରାଜେ ଏ ଭାବୁଁ ରାଜନ

ବିଦିତ ହେଲେ ଜନମାନେ

ବିଷ୍ଣୁ ଭକତି ବିଦ୍ୟମାନେ

କହଇ ବିପ୍ର ଜଗନ୍ନାଥ

କୃଷ୍ଣ ଚରିତ ଭାଗବତ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ପଞ୍ଚମସ୍କନ୍ଧେ ପ୍ରିୟବ୍ରତ ରାଜା ବଂଶ ବର୍ଣ୍ଣନେ

ନାମ ପଞ୍ଚଦଶୋଽଧ୍ୟାୟଃ ।

•••

 

ଷୋଡ଼ଶ ଅଧ୍ୟାୟ

 

ରାଜାଉବାଚ

ଏ ଭୂମିମଣ୍ତଳ ବିସ୍ତାର

ତୁମ୍ଭେ କହିଲ ମୁନିବର

ଯାବତ ସୂର୍ଯ୍ୟର ପ୍ରକାଶ

ନକ୍ଷତ୍ର ଚନ୍ଦ୍ରଙ୍କର ବାସ

ପ୍ରିୟବ୍ରତର ଆଚରଣ

ଯାବତ କରିଛି ଭ୍ରମଣ

ତହିଁରୁ କୀର୍ତ୍ତି ଉପୁଜିଲା

ଯେଣୁ ସପତ ସିନ୍ଧୁ ହେଲା

ଏତ କହିଲ ବିପରୀତ

ଅପରେ କିବା ଦ୍ୱୀପ ସାତ

ଏହାର ଯେତେକ ପ୍ରମାଣ

ଅପରେ ଯେତେକ ଲକ୍ଷର

ବିଶେଷି କହ ମୁନିବର

ଶୁଣିବା ଶ୍ରଦ୍ଧା ଯେ ମୋହର

ଅଖିଳ-ବ୍ରହ୍ମାଣ୍ତ-କାରଣ

ଅନନ୍ତ ଆତ୍ମା ଯାର ପୁଣ୍ୟ

ଏ ସ୍ଥୂଳ ରୂପ ଭଗବାନ

ଯେ ଜ୍ୟୋତିରୂପ ସୂକ୍ଷ୍ମବ୍ରହ୍ମ

ପରମ ପରଙ୍କର ପର

ଯେ ବାସୁଦେବ ଚକ୍ରଧର

ତାହାଙ୍କ ଚରଣାରବିନ୍ଦେ

ମନ ମୋ ରହୁ ଅପ୍ରମାଦେ

ଯେଣୁ ତୁମ୍ଭର ଅଗୋଚର

ନାହିଁ ଏ ବ୍ରହ୍ମାଣ୍ତ ଭିତର

ଏଣୁ ମୋ ମନର ସଂଶୟ

ଭୋ ମୁନି ବିସ୍ତାରିଣ କହ

ବେନି ସହସ୍ର ଉର୍ଦ୍ଧ୍ୱ ତାର

କି ଅବା ଦେବା ପଟ୍ଟାନ୍ତର

ଶ୍ରୀଶୁକ ଉବାଚ

ଶୁଣ ପରୀକ୍ଷ ନୃପବର

ମାୟାରେ ପ୍ରଭୁର ଶରୀର

ସଂସାରେ ତାହାର ଭିଆଣ

ଅଶେଷ ଅଛି ଯାର ସ୍ଥାନ

ନର ଅମର ଯେବେ ହୋଇ

ତେବେହେଁ ବର୍ଣ୍ଣି ନ ପାରଇ

ତଥାପି ଶ୍ରେଷ୍ଠ ଶ୍ରେଷ୍ଠ କରି

କହିବା ଶୁଣ ଦଣ୍ତଧାରୀ

ଭୁଗୋଳ ଚରିତ ବର୍ଣ୍ଣନ

ରାଜନ ହୁଅ ସାବଧାନ

ଏ ଜମ୍ବୁଦ୍ୱୀପ ନୃପବର

ବିକାଶେ କମଳ ଆକାର

ଅତି ଅଦ୍ଭୂତ ଯେହୁ ସ୍ଥଳ

ଅୟୁତେ ଯୋଜନ ବିସ୍ତାର

ଏମନ୍ତେ ନବ ଯେ ବରଷ

ସହସ୍ରେ ଯୋଜନ ପ୍ରକାଶ

ମହତ ନବ ପର୍ବତରେ

ବିଭାଗ ହୋଇ ସର୍ବଠାରେ

ଏ ନବ ବରଷ ମଧ୍ୟରେ

ବରଷ ଇଳାବୃତ୍ତଠାରେ

ଯାହାକୁ ନାଭିଦେଶେ ତହିଁ

ପର୍ବତରାଜ ଅଛି ରହି

ସୁବର୍ଣ୍ଣମୟ ବିରାଜିତ

ଅତ୍ୟନ୍ତ ସୁନ୍ଦର ଅଭୁତ

ମସ୍ତକ ଯାହାର ପ୍ରମାଣ

ବାଇଶ ସହସ୍ର ଯୋଜନ

ସ୍ଥୂଳ ଯାହାର ପରିମାଣ

ଷୋଡ଼ଶ ସହସ୍ର ଯୋଜନ

ସୁବର୍ଣ୍ଣ ଶୃଙ୍ଗ ତିନି ତାର

ମହୀରେ ସ୍ତମ୍ଭର ଆକାର

ପୂର୍ଣ୍ଣ ଭାଗରେ ବେନି ଗିରି

ନୀଳ ଧବଳ ରୂପ ଧରି

ଲବଣସିନ୍ଧୁ ନିକଟରେ

ନବ ସହସ୍ର ସେ ବିସ୍ତାରେ

ନିଷଧ ହେମକୂଟ ଆଦି

ଦକ୍ଷିଣେ ଏହାଙ୍କ ପ୍ରସିଦ୍ଧି

ଏହା ଦକ୍ଷିଣେ ଗିରିବର

ହିମାଳୟ ନାମ ତାହାର

ସୁବର୍ଣ୍ଣ ଯଥାକ୍ରମେ ତାର

ଅୟୁତେ ଯୋଜନ ବିସ୍ତାର

ଅପରେ ମାଲ୍ୟ ପର୍ବ ବନ

ବିଶାଳ ଯେ ଗନ୍ଧମାର୍ଦ୍ଦନ

ଅୟୁତେ ଯୋଜନ ବିସ୍ତାର

ବିରାଜେ ଯହିଁ ଗିରିବର

ଭଦ୍ରାଶ୍ୱ କେତୁମାଳ ଆଦି

ଏହାଙ୍କ ନାମରେ ପ୍ରସିଦ୍ଧି

ମହେନ୍ଦ୍ର ମେରୁ ଯେ ମନ୍ଦର

ସୁବର୍ଣ୍ଣ ଆଦି ଗିରିବର

ସ୍ୱର୍ଣ୍ଣ‌ଗିରି ଚତୁର୍ଦ୍ଦିଗରେ

ପ୍ରାକାର ବେଷ୍ଟିତ ଆକାରେ

ବୃକ୍ଷ ଚନ୍ଦନ ଆଦିକରି

ଜମ୍ବୁ କଦମ୍ବ ଏ ଚତ୍ୱାରି

ପର୍ବତ ଅତି ମନୋହର

ସହସ୍ର ଯୋଜନ ବିସ୍ତାର

ଚତୁର ସିନ୍ଧୁ ତା ନିକଟେ

ବିରାଜେ ଶୁଭ୍ର ନାନା ତଟେ

ମଧୁର ଔଷଧି ଯେ ଫଳ

ଯହିଁ ସକଳେ ଦେବମେଳ

ଯେ ଯାହାମତେ କରି ଧ୍ୟାନ

ପ୍ରଭୁଙ୍କୁ କରନ୍ତି ଭଜନ

ଭଦ୍ର ରଥଜିତ ନନ୍ଦନ

ବିରାଜେ ଗରୁଡ଼ ବାହନ

ଯହିଁରେ ସମନସଗଣ

କ୍ରୀଡା କରନ୍ତି ଅନୁକ୍ଷଣ

କାମିନୀ ସଙ୍ଗତେ ଘେନିଣ

ଯହିଁ ରହନ୍ତି ଦେବଗଣ

ଏକାଶୀ ଯୋଜନ ବିସ୍ତାର

ବହୁ କ୍ରୋଟର ସେ ଗିରିର

ଅତ୍ୟନ୍ତ ତୁଙ୍ଗ ବୃକ୍ଷବର

ସୁରଙ୍ଗ ବର୍ଣ୍ଣ ଫଳ ତାର

ସୁଗନ୍ଧ ଅମୃତ ସୁସ୍ୱାଦ

ରସ ଗଳଇ ବିଶାରଦ

ସେଠାରୁ ଗୋଦାବରୀ ସାର

ମନ୍ଦରେ ହୋଇଛି ବାହାର

ଅମୃତ ତୁଲ୍ୟ ଜମ୍ବୁଫଳ

ପାଚି ପଡଇ ମହୀତଳ

ହସ୍ତପ୍ରମାଣେ ଫଳ ସାର

ରସ ଗଳଇ ଯେ ଅପାର

ତହିଁରୁ ଜମ୍ବୁନଦ ଜାତ

ଶୁଣ ସୁମନେ ପରୀକ୍ଷିତ

ତାହାର ଜଳ ସ୍ପରଶରେ

ସୁବର୍ଣ୍ଣ ହୋଇଅଛି ତୀରେ

ମହାକଦମ୍ବ-ତରୁବର

ତାହାର ମଧ୍ୟରେ କ୍ରୋଟର

ପରମ ଧାମ ରୂପ ହୋଇ

ତହିଁରୁ ମଧୁ ଯେ ସ୍ରବଇ

ଇଳାବୃତ୍ତ ଯେ ବେଢ଼ିକରି

ବିଶାଳ ପୟସ୍ୱିନୀ ମିଳି

ବିଷ୍ଣୁର ପୟରେ ରହିଲା

ବହୁଳ କାଳ ତହୁଁ ଗଲା

ସହସ୍ର ଯୁଗର ଅନ୍ତରେ

ପଡ଼ିଲା ସ୍ୱର୍ଗୁ ମସ୍ତକରେ

ଧ୍ରୁବ ପରମ ଭାଗବତ

ଜାଣିଲେ ବିଷ୍ଣୁ ପାଦାମୃତ

ଭକ୍ତି ଯୋଗରେ ବଶ ହୋଇ

ଆନନ୍ଦେ ଅଙ୍ଗ ପୁଲକଇ

ମାର୍ଜନା କରିବା ନିମନ୍ତେ

ଶିରରେ ବହିଲେ ତୁରିତେ

ଯେଣୁ ସକଳ ମୁନିଗଣ

ପ୍ରଭାବ ଜାଣି ତତ୍‌କ୍ଷଣ

ସକଳ ଆତ୍ମା ଭଗବାନ

ତପ ସାଧିଲେ ଯୋଗଶୂନ୍ୟ

ମୋକ୍ଷ କାରଣେ ସେ ଭଜନ୍ତି

ପ୍ରଭୁଙ୍କ ଚରଣେ ପୂଜନ୍ତି

ସେ ଜଳ ପାଇ ହୃଷ୍ଟ ହୋଇ

ଜଟାରେ ଥୋଇଲେସେ ନେଇ

ତହୁଁ ସେ ବହୁତ ପ୍ରକାରେ

ତପେ ତୋଷିଲେ ପୁରନ୍ଦରେ

ତାହାଙ୍କୁ ଲକ୍ଷ୍ୟ କରିଗଲା

ବ୍ରହ୍ମଲୋକରେ ସେ ପଡ଼ିଲା

ତହୁଁ ସେ ବିଦ୍ୟମାନ ହୋଇ

ଚତୁର୍ଦ୍ଧାରୂପକୁ ଯେ ବହି

ଶୁଣ ପରୀକ୍ଷ ନୃପବର

ଏ ନାମ ଚତ୍ୱାର ତାହାର

ସୀତା ଅଳକା ନନ୍ଦା ଦୁଇ

ସୁଭଦ୍ରା ନାମକୁ ଯେ ବହି

ଚାରିଦିଗରେ ସେ ଭ୍ରମଇ

ସିନ୍ଧୁରେ ପ୍ରବେଶ ହୁଅଇ

ବ୍ରହ୍ମା ସଦନୁ ସୀତା ଯାଇ

ଶିବାର୍ଚ୍ଚନାରେ ସେ ଭ୍ରମଇ

ଅଧଃ ଉର୍ଦ୍ଧ୍ୱରେ ଭ୍ରମିଯାଇ

ଗନ୍ଧମାର୍ଦନେ ସେ ପଡ଼ଇ

ତାହାର ସଙ୍ଗରେ ବିହରି

ଭଦ୍ରା ସୁବସୁ ସୂକ୍ଷ୍ମକରି

ସୁରସିନ୍ଧୁର ପୂର୍ବଦିଗେ

ପ୍ରବେଶି ଅଛି ଅତି ବେଗେ

ମେରୁ ଶିଖରେ ଭଦ୍ରାଯାଇ

ଉତ୍ତର ଦିଗେ ସେ ଭ୍ରମଇ

ରବି ତରଙ୍ଗ ଶୃଙ୍ଗଦେଶେ

ଅଳକାନନ୍ଦା ସେ ପ୍ରକାଶେ

ଇଳାବୃତ୍ତର ଯେ ଉତ୍ତରେ

ପ୍ରଜାଏ ସୁସ୍ଥ ଯାର ବଳେ

ଯାବତ ଜୀବ ସୁଖୀ ହୋଇ

ଅଛନ୍ତି ଯାର ଜଳ ଖାଇ

ଚିତ୍ରକୂଟର ସୀମା ଆଦି

କପିଳ ବୈଦୂର୍ଯ୍ୟ ପ୍ରସିଦ୍ଧି

ନାନା କାନନେ ନଦ ନଦୀ

ଏ ଆଦି ଯେତେକ ପ୍ରସିଦ୍ଧି

ମେରୁ କର୍ଣ୍ଣକ ପ୍ରାୟ ହୋଇ

ଏତେକ ଶୀଘ୍ର ପ୍ରକାଶଇ

ଯାହାର ମେରୁ ପୃଷ୍ଠଦେଶେ

ଅଠର ଯୋଜନ ପ୍ରକାଶେ

ଦେବକୂଟ ଗିରିରେ ଯାଇ

ମେରୁର ପୂର୍ବଦିଗେ ରହି

ପବନ ପାରିଜାତ ଦୁଇ

ତାହାର ପଶ୍ଚିମେ ସେ ହୋଇ

କୈଳାସ କରବୀର ଦୁଇ

ଦକ୍ଷିଣ ପାଶେ ବିରାଜଇ

ଉତ୍ତରେ ତ୍ରିଶର ମକର

ଅଛନ୍ତି ବେନି ଗିରିବର

ଅଷ୍ଟଗିରିର ମଧ୍ୟଦେଶେ

ସୁବର୍ଣ୍ଣ‌ ଗିରି ଯେ ପ୍ରକାଶେ

ସୁବର୍ଣ୍ଣ‌ ଗିରି ଅଗ୍ରଦେଶେ

ବ୍ରହ୍ମାର ପୁର ଯେ ପ୍ରକାଶେ

ଅୟୁତେ ଯୋଜନ ସେ ହୋଇ

ନାନାଦି କୁସୁମ ବାସଇ

ସୁବର୍ଣ୍ଣ କୁଳମାନଙ୍କର

କି ଅବା ଦେବା ପଟ୍ଟାନ୍ତର

ହେମ କଳସ ଉଚ୍ଚ ପୁର

ଚାରିଦିଗରେ ସେ ତାହାର

ଇନ୍ଦ୍ରାଦି ଦିଗପାଳଙ୍କର

ସୁବର୍ଣ୍ଣ ମନ୍ଦିରର ଘର

ଏଥି କର୍ମରେ ଯେଝାମତେ

ନିର୍ମିତ ପୁର ଯଥୋଚିତେ

ଅଷ୍ଟପାଳଙ୍କ ଅଟେ ପୁର

ସୁସଞ୍ଚ ଅତି ମନୋହର

ପଞ୍ଚମସ୍କନ୍ଧେ ହୁଏ ବାଣୀ

ଶୁଣି ସଂସାରୁ ତର ପ୍ରାଣୀ

କହଇ ବିପ୍ର ଜଗନ୍ନାଥ

କୃଷ୍ଣ ଚରିତ ଭାଗବତ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ପଞ୍ଚମସ୍କନ୍ଧେ ଭୁବନ କୋଷ ବର୍ଣ୍ଣ‌ନେ

ନାମ ଷୋଡ଼ଶୋଽଧ୍ୟାୟଃ ।

•••

 

ସପ୍ତଦଶ ଅଧ୍ୟାୟ

 

ଶ୍ରୀଶୁକ ଉବାଚ

ଶୁଣ ରାଜନ ପରୀକ୍ଷିତ

ସେ ଯଜ୍ଞଲିଙ୍ଗ ଯେ ଅଚ୍ୟୁତ

ମାୟା ବାମନ ଅବତାର

ତାହାଙ୍କ ବାମ ଯେ ଅପାର

ଯାହା କନିଷ୍ଟ ଅଙ୍ଗୁଳିରେ

ବ୍ରହ୍ମାଣ୍ତ ଭାଜିବ ନିର୍ଭରେ

ତହୁଁ ଅଦ୍ଭୁତ ଜଳଧାର

କି ଅବା ଦେବା ପଟ୍ଟାନ୍ତର

ଦୁରିତ ନାଶଇ ସ୍ମରଣେ

ପ୍ରାଣୀ ତରନ୍ତି ସ୍ନାନପାନେ

ତହୁଁ ଚଳିଣ ଅତି ଖରେ

ପଡ଼ଇ ଭୃଙ୍ଗ ପର୍ବତରେ

ଅଳକାନନ୍ଦା ନାମ ହୋଇ

ବହୁ ଗିରିରେ ସେ ଭ୍ରମଇ

ସୁବର୍ଣ୍ଣ‌ଗିରି ହିମାଳୟ

ତାହାଙ୍କୁ କରି ସେ ଆଶ୍ରୟ

ଅତି ପ୍ରଖର ବ୍ୟଗ୍ର ଦିଶେ

ପଡ଼ଇ ଭୂମିଭାଗ ଦେଶେ

ତହୁଁ ଲବଣ ସିନ୍ଧୁଜଳେ

ପ୍ରବେଶ ହୁଅଇ ନିଶ୍ଚଳେ

ଅନ୍ୟ ଯେ ନଦନଦୀ ଯେତେ

ଶତ ସହସ୍ର ଯେଝାମତେ

ନାନା ଗିରିରୁ ଜନ୍ମ ହୋଇ

ସିନ୍ଧୁରେ ପ୍ରବେଶନ୍ତି ଯାଇ

ଭାରତବରଷେ ରାଜନ

ଏ କର୍ମକ୍ଷେତ୍ର କରି ଜାଣ

ଅପରେ ଅଷ୍ଟ ଯେ ବରଷ

ସ୍ୱର୍ଗଲୋକରେ ଯେହୁ ବାସ

ତହିଁ ପୁରୁଷଙ୍କ ଆୟୁଷ

ଦଶ ସହସ୍ର ଯେ ବରଷ

ଦେବତା ତୁଲ୍ୟ ପରାକ୍ରମ

ନିତ୍ୟେ ହୁଅନ୍ତି ଶେଷ ଦିନ

ତାହାଙ୍କ ରୂପର କାରଣ

ପଛେ କହିବା ହେ ରାଜନ

ପରମ ଭାଗବତ ଜନ୍ମ

ମହାପୁରୁଷ ଯେ ରାଜନ

ଦୈତ୍ୟ ଦାନବ କୁଳମଣି

ସୁଶୀଳ ସାଧୁ ସତ୍ୟବାଣୀ

ପ୍ରହ୍ଲାଦ ନାମ ଦୈତ୍ୟ ବହି

ପ୍ରଭୁଙ୍କ ପ୍ରିୟ ସେ ଅଟଇ

ଇନ୍ଦ୍ରିୟଗଣଙ୍କୁ ନିବାରି

ଚଞ୍ଚଳ ମନ ସ୍ଥିର କରି

ସେ ସ୍ଥୂଳ ଲୋକଙ୍କ ସହିତେ

ପ୍ରଭୁଙ୍କୁ ଚିନ୍ତେ ଅବିରତେ

ଏହି ସ୍ତବରେ ସ୍ତୁତି କରି

ସେବଳ ପ୍ରଭୁ ନରହରି

ନମସ୍ତେ ପ୍ରଭୁ ଦଇତାରି

ଯାହାର ତେଜେ ଦିଗ ପୂରି

ନିଜର ତେଜ ଯେ ପ୍ରକାଶ

ରବି କିରଣ କରି ନାଶ

କରାଳ ଦୃଷ୍ଟି ଯେ ବଦନ

ଅନଳ ପ୍ରାୟ ସେ ଲୋଚନ

ଯାହାର ନାମେ ଦୁଷ୍ଟ ତରେ

ନମଇଁ ସେ ବେନି ପୟରେ

ଭୋ ନାଥ ତୋହର ପ୍ରସାଦେ

ପ୍ରାଣୀ ରହନ୍ତି ଅପ୍ରମାଦେ

ତୁମ୍ଭର ଅଭୟ ପୟରେ

ମୋ ମନ ରହୁ ଯେ ନିଶ୍ଚଳେ

ଏ ଯେ ତନୟ ଗୃହେ ମୋର

ମନ ମୋ ରହୁ ହେ ଈଶ୍ୱର

ତୁମ୍ଭର ଭକ୍ତଜନ ସଙ୍ଗେ

ସୁଖେ ବଞ୍ଚିବି ନାନାରଙ୍ଗେ

ଆତ୍ମାରୁ ପ୍ରିୟ ଯେ ଅପରେ

ନାହିଁ ଏ ଅଖିଳ ସଂସାରେ

ସକଳ ଆତ୍ମାର ଠାକୁର

ତେଣୁ ତୁ ପ୍ରିୟ ପ୍ରାଣୀଙ୍କର

ତୁମ୍ଭର ନାମ ସୁମରଣ

ଅଶେଷ ପରମ କାରଣ

ଏମନ୍ତ ଯାହାର ପ୍ରଭାବ

ତାହାଙ୍କୁ କେବା ନ ସେବିବ

ତୁମ୍ଭର ପାଦେ ଭକ୍ତି ଯାର

ପୂଜ୍ୟ ସେ ଦେବ ଦାନବର

ସକଳଗୁଣ ତାଙ୍କଠାରେ

ଆଶ୍ରୟ କରନ୍ତି ତାହାରେ

ତୋହର ଅନ୍ତ ପ୍ରାଣୀମାନେ

ସଂସାର ବନ୍ଧନ କାରଣେ

ଯାହାର ନାମ ଗୁଣକର୍ମ

ମନ ବଚନେ ନୁହେଁ ଭ୍ରମ

ତୁ ତମ ମାୟା ଗୁଣେ ବନ୍ଦି

ସଂସାର କରୁଅଛୁ ବନ୍ଦୀ

ଯାହାର ସଦୃଶ ଅପାରେ

ନାହିଁ ଏ ବ୍ରହ୍ମାଣ୍ତ ଭିତରେ

ଉତ୍ପତ୍ତି ପ୍ରଳୟ ପାଳନ

ଏ ସର୍ବ ଯାହାର ଭିଆଣ

ଯାହାର ଆଦି ଅନ୍ତନାହିଁ

ଅନନ୍ତ ନାମ ସେ ବୋଲାଇ

ଯା ରଥ ସାକ୍ଷ୍ୟ ଯାର ପ୍ରାଣ

ନମସ୍ତେ ପୁରୁଷ ପୁରାଣ

ଯାହାର ତହୁଁ ଜନ୍ମ ହୋଇ

ଅଯଶ ସାର ଯାର ଦେହା

ବ୍ରହ୍ମାଣ୍ଡ ଆଦି ଯେ ସକଳେ

ସେବନ୍ତି ତାର ପାଦତଳେ

ରଜ୍ଜୁ ବନ୍ଧନ ପ୍ରାୟ ହୋଇ

ଯନ୍ତ୍ରିତେ ହୋଇଛନ୍ତି ରହି

ଅନୁଗ୍ରହରୁଟି ଯାହାର

ଭିଆଣ ନ ରହେ ସଂସାର

ତ୍ରିଗୁଣ ସଙ୍ଗତେ ବନ୍ଧନ

ଯାର ମାୟାରେ ପ୍ରାଣୀମନ

ତ୍ରିଗୁଣ ବଶେ ମୋହି ହୋଇ

ଜନ୍ମ ମରଣ ନ ଜାଣଇ

ଏ ମାୟା ହେତୁ ଯେ ବିସ୍ତାରି

ଯେ ପ୍ରଭୁ ଜଗତେ ବିହରି

ତାହାଙ୍କୁ ମୋର ନମସ୍କାର

ଯେ ପ୍ରଭୁ ଜଗତ ଠାକୁର

ରାଜନ ଶୁଣ ଏହି ବାଣୀ

ପଞ୍ଚମସ୍କନ୍ଧେ ପରିମାଣି

କହଇ ବିପ୍ର ଜଗନ୍ନାଥ

ପଞ୍ଚମସ୍କନ୍ଧେ ଭାଗବତ

ମୁହିଁ ପାମର ଦୁରାଚାର

ଭୋ ନାଥ କୃପା ମୋତେ କର

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ପଞ୍ଚମସ୍କନ୍ଧେ ସଂସାର ବ୍ୟବହାର ବର୍ଣ୍ଣନେ

ନାମ ସପ୍ତଦଶୋଽଧ୍ୟାୟଃ װ

•••

 

ଅଷ୍ଟାଦଶ ଅଧ୍ୟାୟ

 

ଶ୍ରୀଶୁକ ଉବାଚ

ଭଦ୍ରାଶ୍ୱ ବୀରର ବିଧାନ

ରାଜନ ଶୁଣ ସାବଧାନ

ଭଦ୍ରଶ୍ରବା ନାମ ତାଙ୍କର

ସାକ୍ଷାତେ ଧର୍ମର କୁମର

ତାହାର କୁଳେ ହୋଇ ଜାତ

ଯେତେକ ପୁରୁଷ ବିଦିତ

ଅଖିଳ ବ୍ରହ୍ମାଣ୍ତ କାରଣ

ଅନନ୍ତ ପ୍ରଭୁ ନାରାୟଣ

ତାହାଙ୍କ ସନ୍ତୋଷ କାରଣେ

ପରମ ସାନନ୍ଦ ବିମାନେ

ପ୍ରଭୁ ଯେ ଧର୍ମରୂପ ହୋଇ

ଅଛନ୍ତି ପ୍ରାଣୀ ହିତପାଇଁ

ତାହାଙ୍କ ସେବା ଅବିରତେ

ବଞ୍ଚନ୍ତି ଯେଝା ଅନୁମତେ

ପରମ ପ୍ରିୟ ଭାବ ଧରି

ହେତୁ ମତିରେ ସ୍ତୁତି କରି

ଭଦ୍ରଶ୍ରବା ଉବାଚ

ନମଇ ଧର୍ମ ଅବତାର

ଆତ୍ମାର ଅଂଶେ ପ୍ରାଣୀଙ୍କର

ଏତେ ଆଶ୍ଚର୍ଯ୍ୟ ଯେ ମହତ

ପ୍ରଭୁର ଯେତେ ବିଚେଷ୍ଟିତ

ଶରୀର ମାତ୍ର ସେ ଅଟଇ

ତଥାପି ପ୍ରାଣୀ ନ ଜାଣଇ

ବିଶ୍ୱ ସଂସାରେ ମୂର୍ଖଜନେ

ସତ୍ୟ କହନ୍ତି ଅନୁକ୍ଷଣେ

ପଣ୍ଡିତଜନେ ଏହା ଜାଣି

ମିଥ୍ୟା ସେ ମନେ ପରିମାଣି

ତଥାପି ତାହାର ମାୟାରେ

ପଣ୍ତିତେ ଭ୍ରମନ୍ତି ସଂସାରେ

ସେ ଅଜ ବ୍ରହ୍ମାଣ୍ଡ ଠାକୁର

ତାହାଙ୍କୁ କରି ନମସ୍କାର

ସକଳ ଆବୃତ ସେ ହୋଇ

ତାହାର ଅବୟବ ମହୀ

ଏକଥା ଉଚିତ ତୋହର

କାର୍ଯ୍ୟ କାରଣ ତୁ ଠାକୁର

ନାନା ଶରୀରବନ୍ତ ହୋଇ

ନାନା ଭୋଗକୁ ଭୁଞ୍ଜ ତୁହି

ଦୈତ୍ୟେ ଯେ ବେଦକୁ ହରିଲେ

ନେଇ ସମୁଦ୍ରେ ମାଡ଼ି ଦେଲେ

ପ୍ରଳୟ ଅବସାନେ ତୁହି

ହୟଗ୍ରୀବ ମୂର୍ତ୍ତିକି ବହି

ରସାତଳରୁ ଉଦ୍ଧରିଲୁ

ବ୍ରହ୍ମା ମାଗନ୍ତେ ତାକୁ ଦେଲୁ

ତୋତେ ମୋହର ନମସ୍କାର

ତୁ ନାଥ ସକଳ ଈଶ୍ୱର

ତୁ ନାଥ ବଳବନ୍ତ ହୋଇ

ତୋହର ଅବୟବ ମହୀ

ଏ କଥା ଉଚିତ ମୋହର

ତୋତେ ମୁଁ କରେ ନମସ୍କାର

ଏମନ୍ତ ନାନା ସ୍ତୁତି ମତେ

ସେବନ୍ତି ତାଙ୍କ ପାଦଗତେ

ନୃସିଂହ ନାମେ ଯେ ଠାକୁର

ଅଛନ୍ତି ଭଦ୍ର ସରୋବର

ତାହାଙ୍କ ରୂପର କାରଣ

ପଛେ କହିବା ହେ ରାଜନ

ପରମ ଭାଗବତ ଜନ

ମହାପୁରୁଷ ହେ ରାଜନ

ଦୈତ୍ୟ ଦାନବ କୁଳ ମଣି

ସୁଶୀଳ ସାଧୁ ସତ୍ୟ ବାଣୀ

ପ୍ରହ୍ଲାଦ ନାମ ସେ ବହଇ

ପ୍ରଭୁର ପ୍ରିୟ ସେ ଅଟଇ

ଇନ୍ଦ୍ରିୟଗୁଣଙ୍କୁ ନିବାରି

ଚଞ୍ଚଳ ମନ ସ୍ଥିରକରି

ସେ ସ୍ଥୂଳ ଲୋକଙ୍କ ସହିତେ

ପ୍ରଭୁଙ୍କୁ ଚିନ୍ତେ ଅବିରତେ

ଏହି ସ୍କୃତିରେ ସ୍ତୁତି କରି

ସେବନ୍ତି ପ୍ରଭୁ ନରହରି

ନଖଙ୍କ ତେଜେ ଯେ ପ୍ରକାଶ

ରବି କିରଣ କରେ ନାଶ

କରାଳ ଦଂଷ୍ଟ୍ର ସେ ବଦନ

ବିକଚ କମଳ ଲୋଚନ

ଯାହାର ନାମେ ଦୁଷ୍ଟ ତରେ

ନମଇଁ ପ୍ରଭୁଙ୍କ ପୟରେ

ଭୋ ନାଥ ତୋହର ପ୍ରସାଦେ

ପ୍ରାଣୀ ତରନ୍ତି ଅପ୍ରମାଦେ

ତୋହର ଅଭୟ ଚରଣେ

ମନ ମୋ ରହୁ ଅନୁକ୍ଷଣେ

ଦାରା ତନୟ ଗୃହେ ମୋର

ମନ ନ ରହେ ଭୋ ଈଶ୍ୱର

ତୁମ୍ଭର ପ୍ରିୟଜନ ସଙ୍ଗେ

ସୁଖେ ବଞ୍ଚିବି ନାନାରଙ୍ଗେ

ଅମୋହ ପ୍ରିୟ ଯେ ଅପରେ

ନାହିଁ ଏ ଅଖିଳ ସଂସାରେ

ତୋହର ତହିଁ ଭକ୍ତି ଯାର

ଯେ ପୂଜ୍ୟ ଦେବମାନଙ୍କର

ସକଳ ଗୁଣ ତାହାଠାରେ

ଆଶ୍ରୟ କରନ୍ତି ବେଭାରେ

ତୋର ମାୟାରେ ପ୍ରାଣୀଗଣ

ସଂସାରେ ବନ୍ଧନ କାରଣ

ଏହା ଜାଣିଣ ଯେବା ନର

ଭଜଇ ନୃସିଂହ ପୟର

ଅଶେଷ ଭୟରୁ ତରଇ

କର୍ମବନ୍ଧନ କ୍ଷୟ ଯାଇ

ଶୁଣ ରାଜନ ମନତୋଷେ

କେତୁମାଳ ନାମେ ବରଷେ

ଅଖିଳ ବ୍ରହ୍ମାଣ୍ତ କାରଣ

କାମଦେବ ରୂପ ଧରିଣ

ଲକ୍ଷ୍ମୀର ସନ୍ତୋଷ କାରଣେ

ବିହାର କରନ୍ତି ଆପଣେ

ସେ ସ୍ଥୂଳ ଲୋକ ପୁଣ୍ୟଫଳେ

ନାନା ବିହାର ସୁଖଭୋଳେ

ଅତି ଲଳିତ ତୋଷଭରେ

ବିଳାସ ନାନା ମନୋହରେ

ରୁଚିର ହାସ୍ୟ ନଖମାନ

କଟାକ୍ଷେ ଯେ ଅବଲୋକନ

ବିକଚ ବଦନାରବିନ୍ଦ

ନିନ୍ଦଇ ପୂର୍ଣ୍ଣମୀର ଚନ୍ଦ୍ର

ଲଳିତ ଲତା ମୂଖସ୍ଥଳେ

ଲକ୍ଷ୍ମୀ ସହିତ କୁତୂହଳେ

କ୍ରୀଡା କରନ୍ତି ସୁଖମନେ

ଇନ୍ଦ୍ରିୟ ଭୋଗ ଅନୁମାନେ

ପ୍ରଜାପତି-ଦୁହିତା ସଙ୍ଗେ

ତହିଁ ଯେ ଲକ୍ଷ୍ମୀଦେବୀ ସଙ୍ଗେ

ପରମ ସମାଧି ଗୋଚରେ

ସ୍ତୁତି କରନ୍ତି କୃଷ୍ଣଠାରେ

ନମଇଁ ପ୍ରଭୁ ହୃଷୀକେଶ

ସକଳ ପ୍ରାଣୀ ଯହିଁ ବଶ

ଷୋଡଶ-ବଳବନ୍ତ ତୁହି

ଦେବେ ତୋହର ନିଜଦେହୀ

ସକଳ ଆତ୍ମା ତୁ ଈଶ୍ୱର

ଅମୃତମୟ ତୋ ଶରୀର

ତୁ ଯେ ପରମ ଭୟଙ୍କର

ତୁ ନାଥ ସକଳ ଈଶ୍ୱର

ଅତି ସୁଶୀଳ ଶାନ୍ତ ତୁହି

ତୋ ତହୁଁ ଅନ୍ୟ ନାହିଁକେହି

ଭୋ ନାଥ ତୋ ପାଦକମଳେ

ସେବି ଲଭନ୍ତି ନାନା ଫଳେ

ତୋହର ଜନ ଯେ ହୁଅଇ

ତାଙ୍କୁ ସଙ୍କଟୁ ରଖୁ ତୁହି

ତୋ ପାଦ ସରୋରୁହ ଦୁଇ

ନିରତେ ଯେମନ୍ତ ସେବଇ

ଏମନ୍ତ ଆଜ୍ଞା ମୋତେ କର

ତୁ ନାଥ କରୁଣା ସାଗର

ତୋତେ ଯେ ଭାବେ ଆରାଧଇ

ତାହାର ମନୋହର ସେହି

ତୁମ୍ଭ ପ୍ରସନ୍ନ ବିନୁ ତାର

ଫଳ ନୁହଇ ହେ ଠାକୁର

ତେଣୁଟି ସକଳ ଈଶ୍ୱର

ଦ୍ୱିତୀୟେ ନାହିଁ ପଟ୍ଟାନ୍ତର

ଭୋ ନାଥ ତୁମ୍ଭେ ନାନାଦେହୀ

ସାଧୁଙ୍କ ନିସ୍ତାରଣ ପାଇଁ

ତୁମ୍ଭର ଚେଷ୍ଟା ଏ ସଂସାରେ

ବ୍ରହ୍ମାଦି କେବା ଜାଣିପାରେ

ବିଶ୍ୱଙ୍କ ବରଷ ଚରିତ

ଶୁଣ ରାଜନ ପରୀକ୍ଷିତ

ପ୍ରଭୁର ମତ୍ସ୍ୟ-ଅବତାର

ଦେବ ମାନବେ ଆଗୋଚର

ଅତି ସୁନ୍ଦର ରୂପରାଶି

ମନୁଙ୍କ ବଂଶ ତହିଁ ବସି

ସେ ରୂପ ଆରାଧନା ପାଇଁ

ଅନେକ ସ୍ତୁତି ଯେ କରଇ

ନମଇଁ ପରମ ଈଶ୍ୱର

ଯାହାର ନାମ ଅଗୋଚର

ବିସ୍ତାରେ-ମତ୍ସ୍ୟ ତୋ ଶରୀର

ତୁ ପ୍ରଭୁ ସକଳ ପ୍ରାଣୀର

ତୁ ଥାଇ ଅନ୍ତର ବାହାରେ

ତୋ ମାୟା କେବା ଜାଣିପାରେ

ଏ ତୋର ମୀନମାୟା ଦେହୀ

ଦେବମାନବେ କେହି ନାହିଁ

ସଂସାର ସାଗରେ ତୋ ଜନ୍ମ

ମାୟା ତରଙ୍ଗ ତହିଁ ଭ୍ରମ

ପରମ ମହାବଳୀ ହେଉ

ସଂସାରେ ନାନା ଦେହ ବହୁ

ଜଗତ ପ୍ରାଣୀଙ୍କ ଠାକୁର

ତୋ ପାଦେ ମୋର ନମସ୍କାର

ହିରଣ୍ୟ ବତ୍ସର ଏ ବାଣୀ

ରାଜନ ଶୁଣ ପରିମାଣି

ଅଖିଳ-ବ୍ରହ୍ମାଣ୍ତ-ଠାକୁର

ଧରିଣ କୁମର ଶରୀର

ମର୍ଯ୍ୟାଦା ତୁଲେ ପିତୃଗଣେ

ଯେତେ ଅଛନ୍ତି ସେହି ସ୍ଥାନେ

ତାହାଙ୍କୁ ଘେନି ପିତୃପତି

ପ୍ରଭୁଙ୍କୁ ଆନନ୍ଦେ ସେବନ୍ତି

ଏମନ୍ତେ ନାନା ସ୍ତୁତିମତେ

ସେବନ୍ତି ପ୍ରଭୁ-ପାଦଗତେ

ନମସ୍ତେ ପ୍ରଭୁ ସ‌ତ୍ତ୍ୱଗୁଣ

ଲେଖି ନ ପାରେ ଯାର ସ୍ଥାନ

ଯାର ଅଶେଷ ନାମ ଗୁଣ

ନମଇଁ ପ୍ରଭୁ ଭଗବାନ

ନିଜ ମାୟାରେ ରୂପ ଧରି

ଅଶେଷ ଦେହ ସେ ଆବୋରି

ନାନା-ଜନ୍ମରେ ସେ ପ୍ରସିଦ୍ଧି

ସଂସାରେ ଯେବା ଯାର ବୁଦ୍ଧି

ଚର ଅଚର ପିତୃଭୂତ

ଇନ୍ଦ୍ରିୟ ଆଦି ଯେ ସମ୍ଭୁତ

ଆକାଶ ଆଦି ମହୀତଳ

ଗିରି କାନନ ନାନା ଜଳ

ଦିଗ ବରଷ ଯେ ସାଗର

ସେ ସବୁ ନାମଟି ତୋହର

ବ୍ରାହ୍ମଣ ଯେତେକ ଅଛନ୍ତି

କବିଏ ଯାହା ଉଚ୍ଚାରନ୍ତି

ସେ ସର୍ବରୂପ ତୁ ଠାକୁର

ନମଇଁ ତୋହର ପୟର

ଉତ୍ତର ବରଷେ ରାଜନ

ବରାହ ରୂପୀ ଭଗବାନ

କୁରୁମ ଦେହ ତୁହି ବହି

ଆଗମ ସ୍ତୁତି ଯେ କରଇ

ନମଇଁ ଅନାଦି ଅବ୍ୟୟ

ସକଳ ଯଜ୍ଞ ଯାହା ଦେହ

ସକଳ ଗୁଣ ରୂପଧାରୀ

ନମସ୍ତେ ପ୍ରଭୁ ନରହରି

ନିବୃତ୍ତି ତୃଷ୍ଣା ଜ୍ଞାନୀ ଜନ

ମାୟାଟି ତା ନାମେ ଖଣ୍ତନ

ସୃଷ୍ଟି ଉଦୟେ ଯାର କାୟେ

ଯେ ଗୁଣେ ତ୍ରିଗୁଣରେ ରହେ

ଏ ତୋର ମାୟାରେ ଈଶ୍ୱର

ଭୋ ନାଥ ତୋତେ ନମସ୍କାର

ସଂଗ୍ରାମେ ନାଶି ଦୁଷ୍ଟଗଣ

ମାୟା ଶୂକର ରୂପ ଜନ୍ମ

ଉଗ୍ର ଦନ୍ତରେ ତୋର ପଣ

ଭୋ ନାଥ ପ୍ରଭୁ ନାରାୟଣ

ତୋହର ପାଦପଦ୍ମ ଦୁଇ

ଆନନ୍ଦେ ନମଇଁ ଯେ ମହିଁ

କହଇ ବିପ୍ର ଜଗନ୍ନାଥ

ହରି ଚରିତ ଭାଗବତ

ବରାହ ଧରଣୀର ବାଣୀ

ଶୁଣି ସଂସାରୁ ତର ପ୍ରାଣୀ

ସୁଜନ ଜନଙ୍କ ପୟରେ

ମୋ ମନ ରହୁ ନିରନ୍ତରେ

 

ଇତି ଶ୍ରୀମଦ୍ଭଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ପଞ୍ଚମସ୍କନ୍ଧେ ଭୁବନକୋଷ ବର୍ଣ୍ଣ‌ନେ
ନାମ ଅଷ୍ଟାଦଶୋଽଧ୍ୟାୟଃ ।

•••

 

ଊନବିଂଶ ଅଧ୍ୟାୟ

 

ଶ୍ରୀଶୁକ ଉବାଚ

ଏବେ କିଂପୁରୁଷର ବାଣୀ

ରାଜନ ଶୁଣ ପରିମାଣି

ସୀତା ରମଣ ରଘୁରାଣ

ତାହାଙ୍କ କନିଷ୍ଠ ଲକ୍ଷ୍ମଣ

ପରମ ବ୍ରହ୍ମ ସେ ଈଶ୍ୱର

ଯାହାର ହନୁମନ୍ତ ବୀର

ପରମଭାଗବତ ସେହି

ନିଶ୍ଚଳେ ଭକ୍ତି ଯୋଗ ନେଇ

ପ୍ରଭୁ ପଦାରବିନ୍ଦ ତଳେ

ସେବଇ ମନର ନିଶ୍ଚଳେ

ସେ ରାମ ନାଥ ପୁଣ୍ୟୋତ୍ତମ

ଗନ୍ଧର୍ବେ କରନ୍ତି ଗାୟନ

ସେ ଅଷ୍ଟ ସେନାର ସହିତେ

ହନୁଟି ଶ୍ରେଷ୍ଠ ଭକ୍ତିମତେ

ଏମନ୍ତେ କରନ୍ତି ଗାୟନ

ସ୍ତୁତି କରନ୍ତି ତୋଷମନ

ଉତ୍ତମ ଶ୍ଳୋକ ତୁ ଠାକୁର

ନମଇଁ ତୋହର ପୟର

ସର୍ବ ଲକ୍ଷଣ ତୋର ତହିଁ

ସକଳ ଶ୍ରେଷ୍ଠ ତୁ ଗୋସାଇଁ

ସର୍ବ-ବନ୍ଦନ ତୁ ଠାକୁର

ତୋତେ ମୋହର ନମସ୍କାର

ନର ନାରୟଣ ଶରୀର

ପରମହଂସ ତୁ ଠାକୁର

ନମଇଁ ବ୍ରହ୍ମାଣ୍ତ ଠାକୁର

ସକଳ ଦେବଙ୍କର ବର

ମହାପୁରୁଷ ମହାରାଜ

ନମସ୍ତେ ବ୍ରହ୍ମାଣ୍ତର ବୀଜ

ସ୍ୱତେଜେ କରି ତିନିଗୁଣ

ବିନାଶ କରୁ ନାରାୟଣ

ପ୍ରଶାନ୍ତ-ସାଧୁ ତୁ ଠାକୁର

ତୋତେ ମୋହର ନମସ୍କାର

ତୋହର ନାମ ରୂପ ଯେତେ

କେହି ନ ଜାଣନ୍ତି ଜଗତେ

ମାୟା ସଂସାରେ ତୋର ଜନ୍ମ

ରାକ୍ଷସ ସଂହାର କାରଣ

ଅନ୍ୟ ମୋ ନାହିଁ ଭଗବାନ

ସୀତା ହରଣେ କ୍ଷୋଭ ମନ

ଅଖିଳ-ବ୍ରହ୍ମାଣ୍ତ-ଠାକୁର

ତୁମ୍ଭେ ବା କି କରି ନ ପାର

କେବେହେଁ ପତ୍ନୀ ନିମନ୍ତରେ

କିବା ମାନବ-ଅବତାରେ

ଏ କି ତୋହରେ ସମ୍ଭବଇ

ଭୋ ନାଥ ତୋର ମାୟା ଏହି

ଜନ୍ମ ମରଣ ଯାର ନାହିଁ

ଅଖିଳ ପ୍ରଭୁ ଭାବଗ୍ରାହୀ

ସୁର-ଅସୁର ଆଦିକରି

ବ୍ରହ୍ମାଣ୍ତେ ଯେତେ ଦେହଧାରୀ

ଏସର୍ବ ଆତ୍ମାର ଈଶ୍ୱର

କି ଅବା ଅକର୍ତ୍ତବ୍ୟ ତାର

ଉତ୍ତର କୋଶଳରେ ଯାଇ

ଯେ ପ୍ରଭୁ ନରଦେହ ବହି

ସେ ରାମ ପାଦତଳେ ମୁହିଁ

ହରଷେ ପ୍ରଣାମ କରଇ

ଶୁଣ ରାଜନ ମନତୋଷେ

ଏବେ ଯେ ଭାରତବରଷେ

ନର ନାରାୟଣ ଯେ ହରି

କଳ୍ପେ ପର୍ଯ୍ୟନ୍ତ ତପ କରି

ସାଧୁଙ୍କ ପରିତ୍ରାଣ ନାହିଁ

ତପସ୍ୟା ରୂପବନ୍ତ ହୋଇ

ଭ୍ରମନ୍ତି ଆତ୍ମା ସୁଖମତେ

ନାରଦ ତାଙ୍କୁ ତୋଷଚିତ୍ତେ

ଭକତ ସାଧୁଜନ ମେଳେ

ସ୍ତୁତି କରନ୍ତି ସେ ନିଶ୍ଚଳେ

ନମସ୍ତେ ପ୍ରଭୁ ଆଦିମୂଳ

ତୋ ରୂପ ଚିନ୍ତି ଏ ନିର୍ମଳ

ଋଷିଙ୍କ ବର ତୁ ଠାକୁର

ତୋତେ ମୋହର ନମସ୍କାର

ସର୍ବ ବନ୍ଦନ ତୁ ଠାକୁର

ତୋତେ ମୋହର ନମସ୍କାର

ସକଳ ଆତ୍ମାଭୂତ ତୁହି

ତୋ ପାଦ ପଦ୍ମେ ମନ ଦେଇ

ସକଳ କର୍ତ୍ତା ତୁ ଈଶ୍ୱର

ଦର୍ଶନ ନାହିଁ ଯେ ତୋହର

ତୁହି ଯେ ମାନବ ଶରୀର

ଭୋଗ ତୁ କରୁ ମେଦିନୀର

ସକଳ ଦେଖୁ ତ ଠାକୁର

ଗୁଣରେ ଦୃଶ୍ୟ ନାହିଁ ତୋର

ଏ ତୋର ତହିଁ ଯାର ମନ

ତାହାର ସଂସାର ଖଣ୍ତନ

ଦାରା ତନୟ ଧନ ଘର

ଏଣେ ଅର୍ପିତ ମନ ଯାର

ସେ ତୋତେ ପାଇବଟି କାହିଁ

ଶ୍ରମ କେବଳ ତାଙ୍କ ଦେହୀ

ଏ ମୋର ମୂଢ଼ ମତି ତୁହି

ବିନାଶ କର ଭାବଗ୍ରାହୀ

ତୋହର ଠାଇଁ ମୋର ମନ

ନିଶ୍ଚଳେ ରହୁ ଭଗବାନ

ଏ ଯେ ଭାରତ ବରଷର

ପର୍ବତ ଅଛନ୍ତି ଅପାର

ମଙ୍ଗଳ ପ୍ରସ୍ଥ ଯେ ଅଭାବ

ମଳୟ ତ୍ରିକୂଟ ଋଷଭ

ମନ୍ଦର ଦେବଗିରି ନୀଳ

ଶୋକମୁଖ ଯେ ଇନ୍ଦ୍ରନୀଳ

ଶ୍ରୀ ଶୈଳ ବ୍ୟାଙ୍କଟ ମୈନାକ

କୋଶ୍ୱ କୋଟକ ଋଷ୍ୟମୁଳ

ରୂପ ସ୍ୱରୂପ ସତ୍ୟ ଆଦି

କୋଳାଗ୍ର ଦେବାଗ୍ର ପ୍ରସିଦ୍ଧି

ମହୀନ୍ଦ୍ର ବିନ୍ଧ୍ୟଗିରିଧର

ଶକ୍ତିମାନୃକ୍ଷ ବାରିଧର

କୁକୁଭ ପାରିଜାତ ଦ୍ରୁମ

ଚିତ୍ରକୂଟ ଯେ ଗୋବର୍ଦ୍ଧନ

କାମ୍ୟ ସୁମେରୁ ଯେ ରୈବତ

କମ୍ୟଗିରି ଏ ଆଦି ଶତ

ଏମନ୍ତି ନଦ ନଦୀ ଆଦି

ଶତ ସହସ୍ର ଯେ ପ୍ରସିଦ୍ଧି

ଚନ୍ଦ୍ରରସା ଯେ ତୁଙ୍ଗଭଦ୍ରା

ତାମ୍ୱ୍ରପର୍ଣ୍ଣୀ ଯେ ଅବଟୋଦା

ଅର୍କରାବର୍ତ୍ତୀ ପୟସ୍ୱିନୀ

କୃତମାଳା ତ୍ରିବେଣୀ ବେଣୀ

ଶଙ୍କରୀ ଗୟାସତୀ ତହିଁ

ଶୁଣ ରାଜନ ଏବେ କହି

କୃଷ୍ଣବେଣୀ ଯେ ଗୋଦାବରୀ

ଭାଗୀରଥି ସିନ୍ଧୁ କାବେରୀ

ପୟୋଷ୍ଣୀ ତାପ୍ତୀ ରେବା ନଦୀ

ସୁରେଖା ନର୍ମଦା ଏ ଆଦି

ବେଦ ସ୍କୃତି ଯେ ମହାନଦୀ

ତ୍ରିସାମା ଋଷିକୁଲ୍ୟା ନଦୀ

କୌଶିକୀ ସରଯୁ ଗୋମତୀ

ଗଙ୍ଗା ଯମୁନା ସରସ୍ୱତୀ

ଦୃଶଦ୍‌ବତୀ ଯେ ରୋଷମତୀ

ଷଷ୍ଠବତୀ ଯେ ସପ୍ତବତୀ

ସୁସୋମା ବିଶ୍ୱା ଚର୍ମଣବତୀ

ଚନ୍ଦ୍ରଭାଗା ଯେ ଭୀମରଥି

ଶତଦ୍ରୁ ବିତସ୍ତା ଅସିକ୍ନୀ

ଅନ୍ଧଶୋଣ ଏ ନଦୀ ଘେନି

ମୁନିଏ ଋଷି ଆଦି ନାମ

କର୍ମ କରନ୍ତି ଏତେ ସ୍ଥାନ

ଏହି ପୁରୁଷ ହେ ରାଜନ

କର୍ମରେ ପ୍ରାଣୀ ହୁଏ ଜନ୍ମ

ସକଳ ହିତ କୃଷ୍ଣବର୍ଣ୍ଣ

କର୍ମରୁ କରି ପ୍ରାଣୀ ଜନ୍ମ

ସ୍ୱର୍ଗ ନରକ ଭୂମିଭାଗ

କର୍ମ ଅଧିକ କରି ଭୋଗ

ସେ ପ୍ରାଣୀ ସର୍ବଭୂତେ ବର

କୃଷ୍ଣରେ ଭକ୍ତିଟି ଯାହାର

ସର୍ବଭୂତରେ ଆତ୍ମା ସେହି

ଅଖିଳ-ବ୍ରହ୍ମାଣ୍ତ-ଗୋସାଇଁ

ସେ ବାସୁଦେବ ଚକ୍ରଧର

ତାହାର ତହିଁ ମତି ଯାର

ଭକ୍ତିଯୋଗ ସେ ଦୃଢ଼ତାରେ

ସେ ପ୍ରାଣୀ କର୍ମବନ୍ଧୁ ତରେ

ମହାପୁରୁଷ ପ୍ରସଙ୍ଗରେ

ହେଳାରେ ଶ୍ରଦ୍ଧାରେ ବା କରେ

ଦେବେ ତାହାର ଗୁଣକର୍ମ

ଆନନ୍ଦେ କରନ୍ତି ଗାୟନ

ଧନ୍ୟ ତାହାର ଜନ୍ମସାର

ମୁକୁନ୍ଦ ପାଦେ ଭକ୍ତିଯାର

ଭାରତେ ମାନବ-ଜନ୍ମରେ

ସେ ପ୍ରାଣୀ ଶ୍ରେଷ୍ଠ ସର୍ବଠାରେ

ସୁକର୍ମ ଯଜ୍ଞ ତପ ଦାନ

ଏଥିରେ ଅବା କି କାରଣ

ଯଜନ ଆଦି ଯେତେ କର୍ମ

ତାହା ତ ସବୁ ଅକାରଣ

ଯେ ପ୍ରଭୁ ପାଦପଦ୍ମ ସାର

ସୁମତି ନାହିଁଟି ଯାହାର

ଜନ୍ମ ଆୟୁଷ ସୁଖମାନ

ଏହା ସଂକଳ୍ପ ବ୍ୟର୍ଥମାନ

କ୍ଷୀଣ ଆୟୁଷ ଭାବ ଧରେ

ମନ ଯାହାର କୃଷ୍ଣଠାରେ

ସେ ପ୍ରାଣୀ ସର୍ବଶ୍ରେଷ୍ଠ ହୋଇ

ତାହାର ସମ କେହି ନାହିଁ

ପ୍ରାଣ-ପ୍ରୟାଣ ସମୟରେ

ଯେବେ ମାନବ କୃଷ୍ଣ-ସ୍ମରେ

କ୍ଷଣକେ କର୍ମକୁ ଛେଦଇ

ବୈକୁଣ୍ଠ ପଦକୁ ଲଭଇ

ବୈକୁଣ୍ଠ କଥା ସୁଧାରସ

ସ୍ଥୂଳରେ ହୋଏ ଯେ ପ୍ରକାଶ

କୃଷ୍ଣ ଆଶ୍ରିତ ପ୍ରାଣୀମାନେ

ଯହିଁରେ ନାହିଁ ସାଧୁଜନେ

ଯଜ୍ଞର ମହୋତ୍ସବ ଆଦି

ଏ ସ୍ଥଳେ ଯହିଁ ଏ ପ୍ରସିଦ୍ଧି

ଇନ୍ଦ୍ରର ପୁର ଯେବେ ହୋଇ

ତହିଁରେ ବାସ ନ ଯୋଗାଇ

ମାନବ ଜନ୍ମ ହୋଇ ନର

କାମେ ଅଜ୍ଞାନ ଧ୍ୱଂସ ତାର

ତଥାପି ପ୍ରଭୁର ଜନମ

ତେଜର ଛନ ଛନ ମନ

ନାନା ଯୋନିରେ ଜନ୍ମ ନାହିଁ

କର୍ମ ବନ୍ଧନରେ ପଡଇ

ଶ୍ରଦ୍ଧାରେ ଆଉ ଯେତେ ନରେ

ଯଜ୍ଞେ ପୂଜନ୍ତି ସେ ଅଗ୍ନିରେ

ନାନା-ଦେବତା ରୂପ ହୋଇ

ତହିଁ ତା ବିନୁ କେହି ନାହିଁ

ତାହାକୁ ସେବନ୍ତି ଯେ ପ୍ରାଣୀ

ତାହାକୁ ମନୁଷ୍ୟରେ ଗଣି

ଇଚ୍ଛା ନ କଲେ ଫଳ ଦେଇ

ଏଣୁ ତୋ ନାମ ଭାବଗ୍ରାହୀ

ପଦପଲ୍ଲବ ଭଜନରେ

ମନ ଯାହାର ଦୃଢତରେ

ଭକ୍ତଜନ ପ୍ରାଣୀଙ୍କଠାରେ

କରୁଣା କରନ୍ତି ବେଭାରେ

ଜମ୍ବୁଦ୍ୱୀପରେ ନୃପବର

ଅଷ୍ଟ ଉପଦ୍ୱୀପ ଓସାର

ଅଷ୍ଟ ଯୌଜନ୍ତି ବସୁନ୍ଧରୀ

ଶରଣ ପୁତ୍ରଙ୍କରେ କରି

ପ୍ରଭା ହୋଇଲା ଚାରିଦିଗ

ଏଣୁ ଏ ଅଷ୍ଟଦିଗ ଭାଗେ

ଶୁଣ ହେ ପରୀକ୍ଷ ରାଜନ

ଅଷ୍ଟ ଉପଦ୍ୱୀପର ନାମ

ରମଣକ ଯେ ଆବର୍ତ୍ତକ

ସ୍ୱର୍ଣ୍ଣପ୍ରସୂ ମନ୍ଦ ହରିତକ

ପାଞ୍ଚଜନ୍ୟ ଚନ୍ଦ୍ର ଶୁକଳ

ଲଙ୍କା ଆବର ଯେ ସିଂହଳ

ବରଷ ବିଭାଗର ମତେ

ଜମ୍ବୁଦ୍ୱୀପରେ ଯଥୋଚିତେ

ତୁମ୍ଭର ପ୍ରଶ୍ନ ଅନୁସାରେ

ଭୋ ନୃପ କହିଲି ତୁମ୍ଭରେ

କହଇ ବିପ୍ର ଜଗନ୍ନାଥ

ଭାଗବତର ଯେ ଚରିତ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ପଞ୍ଚମସ୍କନ୍ଧେ ଜମ୍ବୁଦ୍ୱୀପ ବର୍ଣ୍ଣ‌ନେ

ନାମ ଉନବିଂଶୋଽଧ୍ୟାୟଃ

•••

 

ଶ୍ରୀମଦ୍‌ ଭାଗବତ ପଞ୍ଚମ ସ୍କନ୍ଧ

ବିଂଶ ଅଧ୍ୟାୟ

 

ଶ୍ରୀଶୁକ ଉବାଚ

ଏଥୁଅନ୍ତରେ ଭୋ ରାଜନ

ପ୍ଳକ୍ଷଦ୍ୱୀପ ଯେ ବିଦ୍ୟମାନ

ଲବଣ ସମୁଦ୍ର ପ୍ରମାଣ

କହିବି ସାବଧାନେ ଶୁଣ

ଜମ୍ବୁଦ୍ୱୀପର ଯେ ପ୍ରମାଣ

ପକ୍ଷ ଯେ ତହିଁ କି ଦ୍ୱିଗୁଣ

ଜମ୍ବୁଦ୍ୱୀପରେ ଦ୍ୱୀପ ସାତ

ପକ୍ଷରେ ସେ ଦ୍ୱୀପ ବିଦିତ

ସପତ ଦ୍ୱୀପ ତା ପାଳଇ

ଅପରେ ଯେତେ ଛନ୍ତି ରହି

ପ୍ରିୟବ୍ରତର ସେ ନନ୍ଦନ

ଇନ୍ଦ୍ରଜିତ ତାହାର ନାମ

ସେ ଦ୍ୱୀପ ବିଭାଗକୁ କରି

ପୁତ୍ରଙ୍କୁ ଦେଲା ଦଣ୍ତଧାରୀ

ସପତ ପୁତ୍ର ଯେଝାମତେ

ସପ୍ତ ବରଷ ଯଥୋଚିତେ

କଳ୍ପେ ପର୍ଯ୍ୟନ୍ତ ଯୋଗବଳେ

ଅଛି ସେ ଅବନୀ ମଣ୍ତଳେ

ବରଷ ନାମ ଶୁଣ ତୁହି

ଶିବ ବୟସ ସେ ବୋଲାଇ

ଶୁଭଦ କ୍ଷମ ଏ ଅମୃତ

ଅଭୟ ଶାନ୍ତି ସେ ବିଦିତ

ଏଥେ ଯେତେକ ଗିରିବର

ଅଛନ୍ତି ଶୁଣ ନରେଶ୍ୱର

ମଣି ମୁକୁଟ ଚନ୍ଦ୍ର ସେନ

ବଜ୍ରକୂଟ ସେ ଜ୍ୟୋତିଷ୍ମାନ

ଶତଶୃଙ୍ଗ ଯେ ମେଘମାଳ

ହିରଣ୍ୟଷ୍ଠୀବ ସେତୁ କେଳ

ସାବିତ୍ରୀ ଆଙ୍ଗି ରସ ବେନି

ଅରୁଣା ନୃମଣା ତଟିନୀ

ରୁସ୍ତତ ରାଜେ ସପ୍ତଭ୍ରାତା

ସତସ୍ତରୀ ଯେ ସୁବିଖ୍ୟାତା

ଯାହାର ଜଳ ସ୍ନାନ ପାନେ

ମାନବେ ପଶୁ ଜୀବମାନେ

ସକଳ ପାପ ଦୂରକରି

ସୁଖେ ଅଛନ୍ତି ଯେ ବିହରି

ଦେବଙ୍କ ଆୟୁଷ ପ୍ରମାଣେ

ବଞ୍ଚନ୍ତି ତହିଁ ପ୍ରାଣୀମାନେ

ଯଜ୍ଞ ଯୋଗରେ ପୂଜା କରେ

ସୂର୍ଯ୍ୟଙ୍କୁ ଭଜନ୍ତି ସେ ନରେ

ବିଷ୍ଣୁ ସ୍ୱରୂପକୁ ତୁ ଧରି

ଅଖିଳ ପ୍ରାକର୍ମ ଉଦ୍ଧରି

ତୁ ସତ୍ୟ ବ୍ରହ୍ମ ଯେ ପୁରୁଷ

ସକଳ ଭୂତେ ତୋର ବାସ

ତୁ ଯେ ଅଶେଷ ବହୁନାମ

ସେ ପାଦେ ଆମ୍ଭର ପ୍ରଣାମ

ଶାକଦ୍ୱୀପ ଯେ ପ୍ଳକ୍ଷଆଦି

ଏଥିରେ ଯେତେକ ପ୍ରସିଦ୍ଧି

ସେ ପ୍ରାଣୀମାନଙ୍କ ଆୟୁଷ

ଇନ୍ଦ୍ରିୟବଳେ ଯେ ବିଶେଷ

ସ୍ୱଇଚ୍ଛାମତେ ସେ ହୁଅଇ

ଉତ୍ପତ୍ତିଠାରୁ ଜାତ ସେହି

ପ୍ଳକ୍ଷଦ୍ୱୀପର ଚାରିପାଶେ

ଇକ୍ଷୁରସ ସିନ୍ଧୁ ପ୍ରକାଶେ

ଏହାକୁ ଦ୍ୱିଗୁଣ ପ୍ରମାଣ

ଶାଳ୍ମଳୀ ଦ୍ୱୀପ ସେ ରାଜନ

ସୁରା ସମୁଦ୍ର ବେଢି ତାରେ

ଅଶେଷ ବଳୟ ଆକାରେ

ଏ ଦ୍ୱୀପେ ତାର ଅଧିକାର

ପ୍ରିୟବ୍ରତର ସେ କୁମର

ଯଜ୍ଞବାହ ତାହାର ନାମ

ସେ ସାଧୁ ବିଷ୍ଣୁ ପରାୟଣ

ଏ ଦ୍ୱୀପ ସପ୍ତଭାଗ କରି

ପୁତ୍ରଙ୍କୁ ଦେଲା ଦଣ୍ତଧାରୀ

ବେଭାରେ ତାର ସପ୍ତ ପୁତ୍ରେ

ନେଲେ ସେ ଯେଝାରେ ସମସ୍ତେ

ସପତ କୁମାରଙ୍କ ନାମ

ରାଜନ ଶୁଣ ସାବଧାନ

ପାରିଭଦ୍ର ଯେ ଅଭିଜ୍ଞତ

ସଉମନସ୍ୟ ନାମେ ସୁତେ

ରମଣକ ଯେ ସୁରୋଚନ

ଦେବବର୍ହ ଯେ ଆପ୍ୟାୟନ

ସେ ସପ୍ତସ୍ଥାନେ ନଦୀ ଗିରି

ଯେତେ ଅଛନ୍ତି ଦଣ୍ତଧାରୀ

ଶତଶୃଙ୍ଗ ଯେ ପୁଷ୍କବର୍ଷ

ବିନ୍ଧ୍ୟ କୁମୁଦ ଯେ ସରସ

ସହସ୍ର ଶ୍ରୁତି ସହିତର

ବାମଦେବ ଯେ ସପ୍ତଗିର

ସିନୀବାଲୀ ଯେ ସରସ୍ୱତୀ

ନନ୍ଦା ନାମ ସେ ଅନୁମତି

ରଜନୀ ରାଜା କୁହୁ ଦୁଇ

ନଦୀଙ୍କ ସପ୍ତ ନାମ ଏହି

ଏ ଯେ ବରଷ ପ୍ରାଣୀମାନେ

ତପ ଆରାଧନ ବିଧାନେ

ସେ ରାଜା ଭଗବାନ ସୋମ

ତାହାଙ୍କୁ କରନ୍ତି ବନ୍ଦନ

ଭୋ ନାଥ ତୋର ସୁଧାରସ

ପିତୃ ଦେବତାଙ୍କ ସନ୍ତୋଷ

ସପ୍ତ ସମୁଦ୍ର ମଧ୍ୟଦେଶେ

କୁଶନାମେ ଦ୍ୱୀପ ପ୍ରକାଶେ

କ୍ରମେ ଯେ ସିଦ୍ଧୁ ଦ୍ୱୀପମାନ

ପୂର୍ବକୁ ଅପରେ ଦ୍ୱିଗୁଣ

ପ୍ରିୟବ୍ରତର ସେ ନନ୍ଦନ

ହିରଣ୍ୟରେତା ଯାର ନାମ

କୁଶଦ୍ୱୀପରେ ସେ ରାଜନ

ତାହାର ସପତ ନନ୍ଦନ

ଏ ଦ୍ୱୀପମାନ ଦଣ୍ଡଧାରୀ

ପୁତ୍ରଙ୍କୁ ଦେଲେ ଭାଗକରି

ସପତ ବରଷକୁ ଦେଲା

ଯେ ଯାର ମତେ ବିଭାଗିଲା

ବସୁ ଯେ ବିପ୍ରନାମ ଆଉ

ଦେବ ନାମରେ ପୁତ୍ର ଏହୁ

ନଦୀ ପର୍ବତ ସୀମା ଗିରି

ବେଭାରେ ଦେଲା ଦଣ୍ତଧାରୀ

ଗିରିଙ୍କ ନାମ ମହୀପାଳ

ବଭୃ ଚତିର୍ଶୃଙ୍ଗ କପିଳ

ଚିତ୍ରକୂଟ ଯେ ଉର୍ଦ୍ଧ୍ୱ ରାମ

ଦେବାନିକ ପରେ ଦ୍ରବିଣ

ରସକୁଲ୍ୟା ଯେ ମିତ୍ରବିନ୍ଦା

ମଧୁକୁଲ୍ୟା ଯେ ଶତବିନ୍ଦା

ଦେବଗର୍ଭା ଯେ ଘୃତଚ୍ୟୁତା

ମନ୍ତ୍ରମାଳା ଯେ ଗିରିହୁତା

ଏ ସପ୍ତନଦୀ ଜଳ ପାନେ

ସୁଖେ ବଞ୍ଚନ୍ତି ତହିଁ ଜନେ

ଜାତ ଦେବ ରୂପକୁ ଧରି

ଅଛନ୍ତି ଏକ ମନ କରି

ପରମ ବ୍ରହ୍ମର ମୂରତି

ତୋ ରୂପ ଯୋଗୀଜନେ ଚିନ୍ତି

ସଂସାରେ ଯେତେ ସାଧୁଜନ

ଯଜ୍ଞେ କରନ୍ତି ତୋ ବନ୍ଦନ

ଏମନ୍ତେ ସ୍ତୁତି ନାନାମତେ

ଅଗ୍ନି ପୂଜନ୍ତି ଯଥୋଚିତେ

କ୍ଷୀରସିନ୍ଧୁ ମଧ୍ୟଭାଗରେ

ଦ୍ୱୀପ ଯେ କ୍ରୋଞ୍ଚ ନାମ ଧରେ

କ୍ରୌଞ୍ଚ ନାମରେ ଗିରିବର

ତା ନାମେ ନାମ ଏ ଦ୍ୱୀପର

ପ୍ରିୟବ୍ରତର ପୁତ୍ର ହୋଇ

ଘୃତ ପୃଷ୍ଠ ନାମ ବହଇ

ସେ ଦ୍ୱୀପେ ରାଜତ୍ୱ ତାହାର

ସପତ ତାହାର କୁମର

ସପ୍ତ ବରଷ ବାଣ୍ଟି ଦେଇ

ନିଶ୍ଚଳେ ପ୍ରଭୁଙ୍କୁ ଭଜଇ

ଭ୍ରାଜିଷ୍ଠ ମେଘପୃଷ୍ଠୁ ଆତ୍ମା

ମଧୂରୁହ ପୁଣି ସୁଧାମା

ଲୋହିତାର୍ଣ୍ଣ ଯେ ବନସ୍ଫତି

ବରଷ ନାମକୁ ବହନ୍ତି

ଶୁକ୍ଳ ବର୍ଦ୍ଧମାନ ଭୋଜନ

ଉପବର୍ହଣ ଯେ ନନ୍ଦନ

ସର୍ବତୋଭଦ୍ର ନନ୍ଦ ଆଦି

ପର୍ବତ ନାମେ ଯେ ପ୍ରସିଦ୍ଧି

ଅଭୟା ଶୁକ୍ଳା ତୀର୍ଥବତୀ

ଅମୃତୌଘା ଯେ ରୂପବତୀ

ଆର୍ଯ୍ୟକା ଯେ ପବିତ୍ର ବତୀ

ସପ୍ତ ନଦୀ ସେ ନାମ ଖ୍ୟାତି

ଯାହାର ଜଳ ପାନ କରି

ଦେବ ଦେହକୁ ପ୍ରାଣୀ ଧରି

ଜନ ଏ ଯେଉଁ ରୂପରାଶି

ତାହାକୁ ଭଜନ୍ତି ବିଶ୍ୱାସୀ

ଭୟ ଗୋମୟ ତୁ ଈଶ୍ୱର

ଭୁବନ ପବିତ୍ର ତୁ କର

ଏ ତୋର ପାଦରେ ବନ୍ଦନ

ଆମ୍ଭେ ଯେ କରୁ ହୃଷ୍ଟମନ

ଏ ଅନନ୍ତରେ ପରୀକ୍ଷିତ

ଶାକଦ୍ୱୀପ ନାମେ ବିଦିତ

ଦଧିସମୁଦ୍ର ବେଢ଼ି ତାରେ

ଅଛି ସେ ଏ ସିନ୍ଧୁ ମଧ୍ୟରେ

ତହିଁ ଯେ ଶୋକ ତରୁବର

ସୁଗନ୍ଧ ବାସର ପ୍ରସର

ପ୍ରିୟବ୍ରତର ସେ କୁମର

ମେଧାତିଥି ନାମ ତାହାର

ରାଜତ୍ୱ ପଣ କରି ତହିଁ

ସେ ସାତଦ୍ୱୀପ ଯେ ପାଳଇ

ଦ୍ୱୀପକୁ ସପ୍ତଭାଗ କରି

ପୁତ୍ରଙ୍କୁ ଦେଲା ଦଣ୍ତଧାରୀ

ତାହାଙ୍କ ପୁତ୍ରଙ୍କର ନାମ

ରାଜନ ଶୁଣ ସାବଧାନ

ଧୂମାନିକ ଯେ ମନୋଜବ

ଚିତ୍ରରେଫ ଯେ ପୁରୋଜବ

ବହୁରୂପ ଯେ ବିଶ୍ୱଧାର

ବେଦମାନ ନାମେ ଅପାର

ସପ୍ତ ବରଷ ଯେଝାମତେ

ଦଇବେ ନୃପ ଯଥୋଚିତେ

ପ୍ରଭୁର ପାଦ ଚିତ୍ତ ଦେଲା

ତପବଳରେ ସେ ରହିଲା

ଏହାଙ୍କ ପର୍ବତର ନାମ

ରାଜନ ଶୁଣ ସାବଧାନ

ମହାଦେଶ ଶତକେଶର

ସହସ୍ର ଶ୍ରୋତା ଦେବପାଳ

ବଳଭଦ୍ର ଆଉ ଈଶାନ

ଊରୁଶୃଙ୍ଗ ଯେ ତାର ନାମ

ପଞ୍ଚପଦୀ ସହସ୍ର ଶ୍ରୁତି

ଅପରାଜିତା ନିଜ ଧୃତି

ଉଦୟ ସୃଷ୍ଟି ଯେ ଆରର୍ଦ୍ରା

ସପତପଦୀ ଯେ ଅନଘା

ଶତେ ବରଷ ସେ ପୁରୁଷ

ଋତୁବ୍ରତ ଆଦି ବିଶେଷ

ଯେବା ପୁରୁଷ ଭଗବାନ

ତାହାଙ୍କୁ କରନ୍ତି ସେବନ

ପରମ ଯୋଗ-ସମାଧିରେ

ସ୍ତୁତି କରନ୍ତି ଯେ ଶ୍ରୁତିରେ

ଭୋଦେବ ପରମ ଆକାର

ତୋତେ ମୋହର ନମସ୍କାର

ପ୍ରାଣୀର ଅନ୍ତର ବାହାରେ

ତୁ ନାଥ ଥାଉ ନିରନ୍ତରେ

ଦଧି ସିନ୍ଧୁ ପରେ ରାଜନ

ପୁଷ୍କର ଦ୍ୱୀପ ଯେ ଦ୍ୱିଗୁଣ

ସ୍ୱାଦୁଜଳ ସିନ୍ଧୁ ତାହାରେ

ବେଢିଛି ବଳୟ ଆକାରେ

କମଳାସନ ପ୍ରଭୁଙ୍କର

ଯହିଁ ଆସନ ପଦ୍ମବର

ଜୀବନ କନକ ଶୋଭିତ

ଅୟୁତ ଶତପୁର ରତ

ଏହାର ନାମ ଦିବ୍ୟବର

ଲୋକେ ପ୍ରସିଦ୍ଧ ଯେ ପୁଷ୍କର

ଏ ଦ୍ୱୀପ ମଧ୍ୟେ ନୃପବର

ପବିତ୍ର ମନ ସେ ଉତ୍ତର

ବିସ୍ତାର ଅୟୁତେ ଯୋଜନ

ଚାରିଦିଗରେ ଭୋ ରାଜନ

ମେରୁ ଭ୍ରମନ୍ତେ ମେରୁବୀର

ଦିତି ଅଦିତି ଚକ୍ରଧର

ଧାତୁକ ରମଣ ଏ ଦୁଇ

ପ୍ରିୟବ୍ରତର ପୁତ୍ର ସେହି

ଏ ଦ୍ୱୀପେ ତାଙ୍କ ଅଧିକାର

ଶୁଣ ପରୀକ୍ଷ ନୃପବର

ସେ ସ୍ଥଳ ଲୋକଙ୍କ ସହିତେ

ସର୍ବେ ତରନ୍ତି ଯଥୋଚିତେ

ସେ ବ୍ରହ୍ମରୂପୀ ଭଗବାନ

ତାହାଙ୍କୁ କରନ୍ତି ଭଜନ

ସେ ପ୍ରଭୁ କୂର୍ମରୂପ ହୋଇ

ଅଖିଳ ସୃଷ୍ଟିକୁ ଭିଆଇ

ସେ ବ୍ରହ୍ମରୂପୀ ଯେ ଠାକୁର

ନମଇ ତାହାଙ୍କ ପୟର

ଏହାଙ୍କ ପରେ ପରୀକ୍ଷିତ

ଲୋକାଲୋକ ନାମେ ପର୍ବତ

ଏହାର ମଧ୍ୟେ ଯେଉଁ ସ୍ଥଳ

କାଳୀନ ଭୂମି ମହୀପାଳ

ବେନି ପର୍ବତ ମଧ୍ୟଦେଶ

କାଳୀନ ଭୂମି ଯେ ପ୍ରବେଶ

ଏଣୁ ଯେ ଏହାର ଅନ୍ତରେ

ଗତାଗତ ନାହିଁ ଯେ ପରେ

ଏଣୁ ଏ ଲୋକା ଲୋକ ନାମ

ଏ ସର୍ବ ଈଶ୍ୱର ଭିଆଣ

ଏ ଯେ ଭୂଗୋଳ ଭୋ ରାଜନ

ପଞ୍ଚାଶତ କୋଟି ବିସ୍ତୀର୍ଣ୍ଣ

ପୃଥୁ ଚତୁର୍ଥ ଭାଗ ନାମ

ଏ ଲୋକାଲୋକ ଗିରିସମ

ଅଖିଳ ଜଗତର ଗୁରୁ

ଯେ ଆତ୍ମା ଯୋନି ମହାମେରୁ

ଅଖିଳ ଲୋକଙ୍କର ମତେ

ଏହାର ଉର୍ଦ୍ଧ୍ୱେ ଯଥୋଚିତେ

ଧ୍ରୁବଗତି ଯେ ଯେଉଁଠାରେ

ଅର୍ପିଲେ କର୍କଶ ବେଭାରେ

ଅପରାଜିତା ଯେବା ନାମ

ପୁଷ୍କର ଚୂଡ ଯେ ବାମନ

ଏହାଙ୍କ ବଳ ପରୀକ୍ଷିତ

ଲୋକାଲୋକ ନାମେ ପର୍ବତ

ସେ ଯେ ଅନାଦି ପାଶୋଦରେ

ନାନା ଆୟୁଧ ଧରି କରେ

ହସ୍ତୀର ରକ୍ଷଣର ପାଇଁ

ରଖିଲେ ପ୍ରଭୁ ଭାବଗ୍ରାହୀ

ନାନା ଅଳଙ୍କାରକୁ ଦେଇ

ବିଚିତ୍ର ବେଶକୁ ସେ ବହି

ବରଷ ଦ୍ୱୀପ ନଦୀ ଗିରି

ତୁମ୍ଭରେ କହିଲୁ ବିସ୍ତାରି

ଲୋକାଲୋକ ଗିରି ଅନ୍ତରେ

ଈଶ୍ୱର ସୃଷ୍ଟି ଅଗୋଚରେ

ଅଖଣ୍ତ ମଧ୍ୟ ରବି ଗତି

ଭୁବ ସ୍ୱର୍ଗ ମଧ୍ୟରେ ସ୍ଥିତି

ସୂର୍ଯ୍ୟ ଅସ୍ତ ମଧ୍ୟରେ ମଧ୍ୟ

ପଞ୍ଚାଶକୋଟି ଯେ ପ୍ରସିଦ୍ଧ

ଆତ୍ମା ଚକ୍ଷୁ ସ୍ୱରୂପ ସେହି

ସେ ସୂର୍ଯ୍ୟ ଅଖିଳ ଗୋସାଇଁ

ବିଶ୍ୱ ସ୍ୱରୂପ ଶେଷମତ

କହଇ ବିପ୍ର ଜଗନ୍ନାଥ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ

ବୈୟାସିକ୍ୟାଂ ପଞ୍ଚମସ୍କନ୍ଧେ ସପ୍ତଦ୍ୱୀପ କଥନେ

ନାମ ବିଂଶୋଽଧ୍ୟାୟଃ ।

•••

 

ଏକବିଂଶ ଅଧ୍ୟାୟ

 

ଶ୍ରୀଶୁକ ଉବାଚ

ଭୁବନ କୋଷର ଭିଆଣ

କହିବି ଯେତେକ ଲକ୍ଷଣ

ଯାହାର ନିକଟରେ ରହି

ସୂର୍ଯ୍ୟ ଯେ ତ୍ରୈଲୋକ୍ୟ ତାପଇ

ଅତ୍ୟନ୍ତ ବେନିଭାଗ ହୋଇ

ଉତ୍ତର-ଦକ୍ଷିଣେ ଭ୍ରମଇ

ମାଲକ୍ଷ ପହ ବେନି ନାମ

ବିଷ୍ଣୁ ଭବନ ଭୋ ରାଜନ

ଦିବାକର ସେ ରକ୍ଷ ଯେତେ

ଦୀର୍ଘ-ହ୍ରସ୍ୱ ଯେ ପରିଯନ୍ତେ

ବିଶୁଦ୍ଧ ସମାନକୁ ପାଇ

ପୁଣି ଦୀର୍ଘ-ହ୍ରସ୍ୱ ବଢଇ

ତୁଲ୍ୟ ବିଶୁଦ୍ଧ ପୁଣି ପାଇ

ଅହୋରାତ୍ର ସେ ନାମ ବହି

ନ'କୋଟି ଏକାନବେ ଲକ୍ଷ

ଯୋଜନ ପ୍ରମାଣ ପ୍ରତ୍ୟକ୍ଷ

ମାନସଗିରି ତହିଁ ରହି

ଇନ୍ଦ୍ରର ପୁର ବିରାଜଇ

ପୂର୍ବ ଭାଗରେ ସେ ସୁମେରୁ

ଦେବଧ୍ୟାନ ନାମ ଯହିଁରୁ

ଯମର ପୁର ତା ଦକ୍ଷିଣେ

ବିରାଜେ ସଂଯମନୀ ନାମେ

ପଶ୍ଚିମପୁର ବରୁଣର

ନିମ୍ନୋଚିତ୍ତ ନାମ ତାହାର

ଉତ୍ତରଭାଗେ ସୋମପୁରୀ

ନାମ ତାହାର ବିଭାବରୀ

ତହିଁ ଉଦୟ ମଧ୍ୟେ ଅନ୍ତ

ଏ ତିନିକାଳ ଯେ ବିଦିତ

ପ୍ରାଣୀ ପ୍ରବୃତ୍ତି ନିବୃତ୍ତିରେ

ସୁମେରୁ ଚତୁର ଦିଗରେ

ଅହର୍ନିଶି ଭାବରେ ତହିଁ

ପ୍ରାଣୀଙ୍କ ସୁଖପ୍ରଦ ହୋଇ

ବାମାବର୍ତ୍ତକ ପ୍ରାୟ ତହିଁ

ନିତ୍ୟେ ଆଦିତ୍ୟ ସେ ଭ୍ରମଇ

ଉଦୟ କାଳେ ଯେ ଲକ୍ଷଣ

ଅସ୍ତକାଳରେ ସେହି ପୁଣ

ଦ୍ୱିକୋଟି ଦ୍ୱାଦଶ ଯୋଜନ

ଲକ୍ଷରେ ହରି ପରିମାଣ

ପଞ୍ଚଦଶ ଘଟିକା ବେଳେ

ଇନ୍ଦ୍ରର ପୁରୁ ଅବହେଳେ

ଯମର ପୁରରେ ପ୍ରବେଶ

ସେଠାରେ କରନ୍ତି ପ୍ରକାଶ

ଏଥୁଁ ବରୁଣ ଆଦି ଯେତେ

ଆଦିତ୍ୟ ଭ୍ରମନ୍ତି ଯେ ନିତ୍ୟେ

ଇନ୍ଦ୍ରାଦି ଯେତେ ଗ୍ରହମାନ

ଏହି କ୍ରମରେ ସେ ଭ୍ରମଣ

ଜ୍ୟୋତିଷଚକ୍ର ଯେ ପ୍ରକାରେ

ଭ୍ରମଇ ଚତୁର-ଦ୍ୱୀପରେ

ଆଦିତ୍ୟ ରଥରେ ଗମନ

ମୁହୂର୍ତ୍ତ ଶୁଣ ଭୋ ରାଜନ

ରଜୁ ଚାରି ଲକ୍ଷ ଯୋଜନ

ଅଷ୍ଟଶତ ଅଧିକ ପୁଣ

ଇନ୍ଦ୍ରାଦି ଦେବେ ପୁରମେଳେ

ଏ କ୍ରମେ ଭ୍ରମନ୍ତି ନିଶ୍ଚଳେ

ଦ୍ୱାଦଶର ସଙ୍ଗମ ତାର

ସେ ରଥେ ଏକ ଚକ୍ରଧର

ସୁମେରୁ-ମସ୍ତକ ଉପରେ

କ୍ରମେ ସେ ସମାନସୂତ୍ରରେ

ତ୍ରୈଲୋକ୍ୟ ତୁରୀପ୍ରାୟ ହୋଇ

ରବିର ରଥ ସେ ଭ୍ରମଇ

ରଥର ଗର୍ଭ ପରିମାଣ

ସେ ବିଂଶ ଲକ୍ଷେକ ଯୋଜନ

ଗୁଳ୍ମ ଯେ ବିସ୍ତାର ଅଟଇ

ଚୌବିଂଶ ଲକ୍ଷ ଯେ ହୁଅଇ

ତହିଁ ଯୋଚିତ ଅଶ୍ୱ ହ୍ୱନ୍ତି

ଆଦିତ୍ୟ ଦେବଙ୍କୁ ବହନ୍ତି

ଅରୁଣ ନିଯୁକ୍ତ ତହିଁରେ

ସପ୍ତ ଅଶ୍ୱ ଯେ ଯା ଠାବରେ

ଅଙ୍ଗୁଷ୍ଠି ସବୁ ସାନ ହୋଇ

ଷାଠି ସହସ୍ର ମୁନି ତହିଁ

ବିଦିତ ବାଳଖିଲ୍ୟାଖ୍ୟାରେ

ରବିର ଅଗ୍ର ଯେ ଭାବରେ

ସୁନ୍ଦର ବାକ୍ୟେ ନାନାମତେ

ସ୍ତୁତି କରନ୍ତି ଯଥୋଚିତେ

ଅନ୍ୟ ଯେ ନାନା ଋଷିଗଣ

ଗନ୍ଧର୍ବ ସିଦ୍ଧ ଯେ ଚାରଣ

ସକଳ ନାଗଙ୍କର ବୀରେ

ଅପରଗଣ ଯେଝାପରେ

ଯେ ଯାତୁଧାନ ଶ୍ରେଷ୍ଠଗଣ

ସଙ୍ଗତେ ଘେନି ବିଦ୍ୟମାନ

ଅପସରାଗଣ ନୃତ୍ୟଗୀତେ

ଏମନ୍ତେ ଯେ ଯାହାର ମତେ

ସେ ସୂର୍ଯ୍ୟରୂପ ଭଗବାନ

ଅଖିଳ-ଆତ୍ମାର କାରଣ

ତାହାର ଚରଣାରବିନ୍ଦେ

ସେବନ୍ତି ପରମ ଆନନ୍ଦେ

ଯେ ଯାର କର୍ମ ଅନୁମତେ

ସେବନ୍ତି ତାର ପାଦଗତେ

ସାର୍ଦ୍ଧ ନବକୋଟି ଯୋଜନ

ଅଧିକ ଏକଲକ୍ଷ ପୁଣ

ଏ ବେନି ସହସ୍ର ଯୋଜନା

ଏମନ୍ତେ କୋଷ ଯେ ଭୁବନ

କ୍ଷଣମାତ୍ରକେ ଭଗବାନ

ସେ ସୂର୍ଯ୍ୟ କରନ୍ତି ଭ୍ରମଣ

ଅତ୍ୟନ୍ତ ତାହାଙ୍କ ଚରିତ

କହିଲେ ବିପ୍ର ଜଗନ୍ନାଥ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ
ବୈୟାସିକ୍ୟାଂ ପଞ୍ଚମସ୍କନ୍ଧେ ଭୁବନକୋଷ ବର୍ଣ୍ଣନେ

ନାମ ଏକବିଂଶୋଽଧ୍ୟାୟଃ ।

•••

 

ଦ୍ୱାବିଂଶ ଅଧ୍ୟାୟ

 

ରାଜୋବାଚ

ଭୋ ମୁନି ଏଥିର ତଦନ୍ତ

ଜାଣିଲେ ଯିବଇଁ ପ୍ରତୀତ

ଆଦିତ୍ୟ ଦେବ ଯଥୋଚିତେ

ମେରୁ ପ୍ରଦକ୍ଷିଣ କରନ୍ତେ

ଦ୍ୱାଦଶ ଶଶାଙ୍କ ସମ୍ମୁଖେ

ଭୋଗ କରନ୍ତି ସେ ପ୍ରତ୍ୟକ୍ଷେ

ଆଦିତ୍ୟ ଗତି ବ୍ୟଗ୍ରତରେ

ତହିଁରେ କେମନ୍ତ ସଞ୍ଚରେ

ଏଣୁ ତ ମୋହର ସଂଶୟ

ଭୋ ମୁନି ତଦନ୍ତ ଯେ କହ

ଶ୍ରୀଶୁକ ଉବାଚ

କୁରାଳ ଚକ୍ରର ସହିତେ

କ୍ଷୁଦ୍ର ଜନ୍ତୁଙ୍କ ଗତିମତେ

ସେ କାଳଚକ୍ରର ଆୟତ୍ତେ

ଭ୍ରମନ୍ତି ଯେ ଯାହାର ମତେ

ଧ୍ରୁବର ସମ୍ମୁଖ ପ୍ରତ୍ୟକ୍ଷ

କରି ଭ୍ରମନ୍ତି ଅନ୍ତରୀକ୍ଷ

ଆଦି ପୁରୁଷ ଭଗବାନ

ସାକ୍ଷାତ୍‌ ପ୍ରଭୁ ନାରାୟଣ

ତୃତୀୟ ରୂପ ତାଙ୍କ ମତି

କର୍ମ-ବିଶୁଦ୍ଧରେ କହନ୍ତି

ସେ ମୁକ୍ତିଦେବ ମୁଷାକାର

କରି ସେ ବ୍ରହ୍ମାଣ୍ତ ଠାକୁର

ଷଡ଼ଋତୁ ବସନ୍ତ ଆଦି

ଏଥିରେ ଯେତେକ ପ୍ରସିଦ୍ଧି

ଯେ ଋତୁ କାଳେ ଯେ ହୁଅନ୍ତି

ଆପଣେ ବିହାର କରନ୍ତି

ମହାପୁରୁଷ ବିଦ୍ୟମାନେ

ମାୟା ଯେ ନାନାଦି ବିଧାନେ

ଆଶ୍ରମରୂପେ ନାନାପଥେ

ନାନା କର୍ମରେ ଯଥୋଚିତେ

ନାନାଯୋଗରେ ଶ୍ରଦ୍ଧା ଚିନ୍ତି

ଯେ ତାଙ୍କ ଚରଣେ ସେବନ୍ତି

ସକଳ ପାପୁଁ ସେ ତରନ୍ତି

ପରମ କଲ୍ୟାଣ ଭଜନ୍ତି

ଏମନ୍ତ ଶୁଣ ନୃପବର

ସେ ସ୍ୱାମୀ ଆତ୍ମା ପ୍ରାଣୀଙ୍କର

ପୃଥିବୀ ଆକାଶ ମଧ୍ୟରେ

କାଳଚକ୍ରର ସେ ସୁନ୍ଦରେ

ଦ୍ୱାଦଶ ମାସକୁ ଭଜନ୍ତି

ସମ୍ବତ୍ସର ନାମ ବହନ୍ତି

ମାସ ଯେ ବେନିଭାଗ କରି

ଭୁଞ୍ଜନ୍ତି ଆହୋରାତ୍ର ପୂରି

ସେ ବେନି ମାସେ ଏକଋତୁ

ଛ ଋତୁ ସମ୍ବତ୍ସର କ୍ରତୁ

ଯେ ବେନି ତାର ଅର୍ଦ୍ଧ ଭାଗେ

ରହନ୍ତି କାଳର ସେ ଭୋଗେ

ତାହାଙ୍କୁ କାଳ ବୋଲି ଜାଣି

ଶୁଣ ରାଜନ ପରିମାଣି

ଯେ ଅବା ମହୀର ସହିତେ

ନଭୋମଣ୍ତଳକୁ ଯାଆନ୍ତେ

ରବି ଭୁଞ୍ଜନ୍ତି ଯେତେକାଳେ

ସମ୍ବତ୍ସର ବୋଲି ତାହାରେ

ଏ ଅନନ୍ତରେ ଭୋ ରାଜନ

ଚନ୍ଦ୍ରର ଏହି ଯେ ଗମନ

ଦ୍ୱିଳକ୍ଷ ଯୋଜନ ଉପରେ

ସମୀର ପରି ଯେ ବେଭାରେ

ପବନ ତାର ଅତି ଖରେ

ଚନ୍ଦ୍ର ଭୁଞ୍ଜନ୍ତି ଯେ ସତ୍ୱରେ

ତାହାଙ୍କ ଭୋଗ ବେନି ପକ୍ଷେ

ବେନି ପକ୍ଷକୁ ସାଧି ଋକ୍ଷେ

ଭୋଗ ସେ ଏକୁ ଏକ ଦିନେ

ଭୁଞ୍ଜନ୍ତି କ୍ରତୁପତିମାନେ

ଏଥୁ ଅନ୍ତରେ ନୃପବର

ଅବଧି କଳା ଶଶଧର

ଅହୋରାତ୍ର ସେ ଦେବଙ୍କର

ଯେ ଶୁକ୍ଳ ପକ୍ଷରେ ବେଭାର

ଅହୋରାତ୍ର ହେ ନୃପବର

ସେ ଯେ ସକଳ ପ୍ରାଣୀଙ୍କର

ଏମନ୍ତ ଶୁଣ ନୃପବର

ଜୀବନ ଭୂତ ଶଶଧର

ଭୁଞ୍ଜନ୍ତି ଦ୍ୱିସପ୍ତ ମୁହୂର୍ତ୍ତ

ଏକ ନକ୍ଷତ୍ରେ ଯଥୋଚିତ

ଯେଣୁ ସେ ଅନାଦି ପୁରୁଷ

ଷୋଡ଼ଶ କଳା ସେ ବିଶେଷ

ଅମୃତ ଶରୀରକୁ ଧରି

ପ୍ରାଣୀଙ୍କ ଅଜ୍ଞାନାନ୍ଧ ହରି

ମନୁଷ୍ୟ ପଶୁପକ୍ଷୀ ଆଦି

ସରୀସୃପ ବୃକ୍ଷ ପ୍ରସିଦ୍ଧି

ଏହାଙ୍କୁ ସୁଖ ସେ ଦିଅନ୍ତି

ଏଣୁ ସେ ସବିନୟ ହୋନ୍ତି

ଏହାର ଉର୍ଦ୍ଧ୍ୱେ ଭୋ ରାଜନ

ତୃତୀୟ ଲକ୍ଷ ଯେ ଯୋଜନ

ନକ୍ଷତ୍ର ସପତ ବିଂଶତି

ମେରୁର ଦକ୍ଷିଣେ ବସନ୍ତି

ଦ୍ୱିଲକ୍ଷ ତାହାର ଉପରେ

ଉଷନା ବାସ ଯେ ତାହାରେ

ଆଦିତ୍ୟ ପ୍ରାୟ ଦୀର୍ଘଗତି

ତାପରେ ତାହାକୁ ସେବନ୍ତି

ଏକର କଲ୍ୟାଣ କାରଣ

ପ୍ରଥମେ ନିତ୍ୟ ପରାୟଣ

ଏହାର ଉର୍ଦ୍ଧ୍ୱ ଯେ ଭାଗରେ

ଦ୍ୱିଲକ୍ଷ ଯୋଜନ ଉପରେ

ବୁଧ ନାମେ ଯେ ଚନ୍ଦ୍ର ସୁତ

ତହିଁରେ ତାହାଙ୍କର ସ୍ଥିତ

ପ୍ରାଣୀର ସୁଖେ ସୁଖେ ଥାଇ

ଏଣୁ ସେ ସୂର୍ଯ୍ୟ ବେଗହୋଇ

ଅତିଗମନ ଖରତରେ

ଅନାବୃଷ୍ଟି କି ସେ ଆଚରେ

ତାହାର ପରେ ବେନି ଲକ୍ଷେ

ଯୋଜନ ତେଜ ଯେ ପ୍ରତ୍ୟକ୍ଷେ

ଏକ ରାଶିରେ ତିନିପକ୍ଷ

ମଙ୍ଗଳ ଭୁଞ୍ଜଇ ପ୍ରତ୍ୟକ୍ଷ

ବକ୍ର ଗତିରେ ଭୋଗ କରେ

ଏ କ୍ରମେ ଦ୍ୱାଦଶ ରାଶିରେ

ଏହାର ଊର୍ଦ୍ଧ୍ୱେ ଭୋ ରାଜନ

ଦ୍ୱିତୀୟ ଲକ୍ଷ ଯେ ଯୋଜନ

ତହିଁ ଅଛନ୍ତି ବୃହସ୍ପତି

ଦେବଙ୍କ ପୁରୋହିତ ହ୍ୱନ୍ତି

ଏକ ରାଶିରେ ସେ ବରଷେ

ଭୋଗ ଯେ କରନ୍ତି ସନ୍ତୋଷେ

ଯେ ବୃହସ୍ପତି ଭଗବାନ

ବ୍ରାହ୍ମଣ କୁଳର କଲ୍ୟାଣ

ଯେବେ ସେ ବଜ୍ରଗତି ହୋଇ

କଦର୍ଯ୍ୟ ଫଳକ ଦିଅଇ

ତହୁଁ ଦ୍ୱିଲକ୍ଷ ଯୋଜନରେ

ତହିଁ ଅଛନ୍ତି ଶନିଶ୍ଚରେ

ଏକ ରାଶିରେ ଭୋଗ ତାର

ତିରିଶ ମାସ ନୃପବର

ଆସପ୍ତମତେ ଭୋଗ ହୋଇ

ଅର୍ଦ୍ଧେକ ତେମନ୍ତ ଭୁଞ୍ଜଇ

ଏହାର ଉପରେ ରାଜନ

ଏକାଦଶ ଲକ୍ଷ ଯୋଜନ

ଋଷିଙ୍କ ବାସ ଯେ ସେଠାରେ

ଯେ କୃପା କରନ୍ତି ପ୍ରାଣୀରେ

ଲୋକଭାବନ ସେ ସକଳ

ଅଶେଷ କରୁଣାର ମୂଳ

ଯେ ବିଷ୍ଣୁ ପାଦ ନିତ୍ୟେ ଚିନ୍ତି

ପ୍ରତି କ୍ଷଣରେ ଭ୍ରମୁଛନ୍ତି

ସେ ମୁନିଗଣଙ୍କ ପୟରେ

ସୁଜନେ ସେବା ନିରନ୍ତରେ

କହଇ ବିପ୍ର ଜଗନ୍ନାଥ

ପଞ୍ଚମସ୍କନ୍ଧେ ଭାଗବତ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ପଞ୍ଚମସ୍କନ୍ଧେ ଜ୍ୟୋତିଶ୍ଚକ୍ର ବର୍ଣ୍ଣନେ

ନାମ ଦ୍ୱାବିଂଶୋଽଧ୍ୟାୟଃ ।

•••

 

ତ୍ରୟୋବିଂଶ ଅଧ୍ୟାୟ

 

ଶ୍ରୀଶୁକ ଉବାଚ

ଏଥୁ ଅନ୍ତରେ ଭୋ ରାଜନ

ଊର୍ଦ୍ଧ୍ୱ ତେରଲକ୍ଷ ଯୋଜନ

ଯେ ସ୍ଥାନ ବିରାଜଇ ତହିଁ

ବିଷ୍ଣୁର ସ୍ଥାନ ତାକୁ କହି

ତହିଁ ପରମ ଭାଗବତ

ଧ୍ରୁବ ଉତ୍ତାନପାଦ ସୁତ

ଅଛନ୍ତି କଶ୍ୟପ ସଙ୍ଗତେ

କାଳ ଯେଷ୍ଟିର ସେବାମତେ

କଳ୍ପ ପର୍ଯ୍ୟନ୍ତ ସୁଖ ଭୋଳେ

ପ୍ରଭୁଙ୍କୁ ଭଜଇ ନିଶ୍ଚଳେ

ସେ ଭାଗବତ ଧ୍ରୁବ ବାଣୀ

ପୂର୍ବେ କହିଛି ନୃପମଣି

ଗ୍ରହ ନକ୍ଷତ୍ର-ଜ୍ୟୋତିର୍ଗଣ

ଧ୍ରୁବର ସଙ୍ଗତେ ରାଜନ

କାଳଚକ୍ରରେ ଭ୍ରମମାନ

ବେଗେ ଭ୍ରମନ୍ତି ଅନୁକ୍ଷଣ

ଈଶ୍ୱର ସୃଷ୍ଟି ଅଗୋଚରେ

ଈଷତ ଦିଶଇ ଲୋକରେ

ଶୂନ୍ୟ ମଣ୍ଡଳେ ମେଘମାଳେ

ଯେସନେ ଥାନ୍ତି ବାୟୁବଳେ

ମାୟାରେ ପଶୁଗଣ ଯେହ୍ନେ

ସକଳେ ଭ୍ରମନ୍ତି ତେସନେ

ମଣ୍ତଳ ଆକାରରେ ତହିଁ

ଯେ ଯାହା ସ୍ଥାନେ ସେ ଭ୍ରମଇ

ନକ୍ଷତ୍ର ଗ୍ରହ ଆଦି ଯେତେ

ଏହି ପ୍ରକାରେ ସେ ସମସ୍ତେ

କାଳଚକ୍ରରେ ସେ ଭ୍ରମଣେ

ଭ୍ରମଣ କରଇ ଗହନେ

କଳ୍ପ କଳ୍ପାନ୍ତେ ଏ ପ୍ରକାରେ

ଅତ୍ୟନ୍ତ ବିଷ୍ଣୁର ମାୟାରେ

ଶୂନ୍ୟମଣ୍ତଳେ ମେଘମାଳେ

ଯେସନେ ଥାନ୍ତି ବାୟୁବଳେ

ଖଗାଦି ନାନାପକ୍ଷୀମାନେ

ପବନବଳେ ଥାନ୍ତି ଶୂନ୍ୟେ

କର୍ମ ଅଧୀନେ ଜ୍ୟୋତିର୍ଗଣେ

ଶୂନ୍ୟରେ ଭ୍ରମନ୍ତି ତେସନେ

ପ୍ରକୃତି ପୁରୁଷ ସମ୍ଭୋଗ

ତହିଁରେ ହୁଅନ୍ତି ସଂଯୋଗ

କର୍ମବନ୍ଧନ ନିରନ୍ତରେ

ପତନ ହୁଅନ୍ତି ଭୂମିରେ

ଏଥୁ ଅନ୍ତରେ ପରୀକ୍ଷିତ

ଏ ଜ୍ୟୋତିର୍ଗଣ ବୈବସ୍ୱତ

ଏମନ୍ତ କରି କେ ବର୍ଣ୍ଣଇ

କହିବା ଶୁଣ ମନଦେଇ

ଯେ ପ୍ରଭୁ ଅଖିଳ କାରଣ

ବାସୁଦେବ ଯେ ଭଗବାନ

ତାହାଙ୍କ ଭକ୍ତି ମୁକ୍ତି ସାର

ଶରୀର କୁଣ୍ତଳୀ ଆକାର

ଅଧୋ ବଦନେ ତାହାଙ୍କର

ପୁରରେ ବାସ ଯେ ତାହାର

ଲାଙ୍ଗୁଡ଼େ ପ୍ରଜାପତି ବାସ

ତା ପରେ ଧର୍ମ ଯେ ବିଶ୍ୱାସ

ଧାତା ବିଧାତା ପୁଚ୍ଛମୂଳେ

ସପତ ଋଷି କଟୀସ୍ଥଳେ

ଦକ୍ଷିଣାବର୍ତ୍ତ ପ୍ରାୟ ହୋଇ

କୁଣ୍ତଳୀ ଆକାରେଣ ଦେହୀ

ତାହାର ଦକ୍ଷିଣ ଅଗ୍ରତେ

ନକ୍ଷତ୍ରମାନ ଯେ ସମସ୍ତେ

ଅର୍ଯ୍ୟମା ଆଦି ଏକ ଗୁଣ

ବାମ ପାଖରେ ତାଙ୍କ ସ୍ଥାନ

ପୁନର୍ବସୁ ପୁଷ୍ୟା ଯେ ଦୁଇ

ବାମ-ଦକ୍ଷିଣେ ଥାନ୍ତି ରହି

ଆକାଶ ଗଙ୍ଗା ଯେ ପୃଷ୍ଠରେ

ବିରାଜେ ଅତି ଶୁଭ୍ରତରେ

ବାମ ଦକ୍ଷିଣ ପାଦ ଦେଶେ

ଆରର୍ଦ୍ରା ଅଶ୍ଳେଷା ପ୍ରକାଶେ

ଉତ୍ତରାଷାଢ଼ା ଅଭିଜିତ

ସତ୍ୟ ଦକ୍ଷିଣ ଘ୍ରାଣେସ୍ଥିତ

ଶ୍ରବଣା ପୂର୍ବାଷାଢ଼ା ଦୁଇ

ଦକ୍ଷିଣ ବାମନେତ୍ରେ ରହି

ଧନିଷ୍ଠା ମୂଳା ବେନିଜନେ

ବାମ ଦକ୍ଷିଣ ବେନି କର୍ଣ୍ଣେ

ମଘାଦି ଅଶ୍ୱିନୀ ନକ୍ଷତ୍ର

ବାମ ଅଂଘ୍ରିରେ ସେ ଯେ ସ୍ଥିତ

ମୃଗଶିରା ଦକ୍ଷିଣ ଅଂଘ୍ରି

ଜ୍ୟେଷ୍ଠା ଶତଭିଷାଦି କେନ୍ଦ୍ରି

ଜଗତ ଯାର ଆଶ୍ରୟରେ

ଅଗସ୍ତି ନାସିକା ବିବରେ

ମୁଖରେ ଅଙ୍ଗାରକ ଶୋହେ

ଉପରେ ଶନିଶ୍ଚର ରହେ

ଆଦିତ୍ୟ ବକ୍ଷସ୍ଥଳେ ବସେ

ବୃହସ୍ପତି ଯେ ବକ୍ଷଦେଶେ

ହୃଦରେ ନାରାୟଣ ସ୍ଥିତି

ଚନ୍ଦ୍ରମା ମନରେ ବସନ୍ତି

ନାଭିରେ ଉଷନା ପ୍ରକାଶ

ସ୍ତନରେ ଅଶ୍ୱିନୀର ବାସ

ପ୍ରାଣ ଉପରେ ବୁଧ ବସେ

ଗଳାରେ ରାହୁ ଯେ ପ୍ରକାଶେ

ସର୍ବ ଅଙ୍ଗରେ କେତୁ ସ୍ଥାନ

ଏ ଅନୁକ୍ରମେ ହେ ରାଜନ

ଲୋମମୂଳରେ ତାରାଗଣ

ବିଚିତ୍ରରୂପ ନାରାୟଣ

ଏ ରୂପେ ସର୍ବଦେବ ସେହି

ଯେ ଜନ ଶୁଚିବନ୍ତ ହୋଇ

ସନ୍ଧ୍ୟାକାଳରେ ତା ସୁମରେ

ଅଶେଷ ପାପରୁ ନିସ୍ତରେ

ଯେ ସ୍ତବ ତୁଣ୍ତେ ଉଚ୍ଚାରନ୍ତି

ସାବଧାନେ ଯେ କରେ ସ୍ତୁତି

ନମୋ ଅଶେଷ ଲୋକମୟ

କାଳ ଅଦ୍ଭୁତ ତୋର ଦେହ

ସକଳ ଦେବ-ସ୍ୱାମୀ ତୁହି

ତୋ ପାଦେ ଆନନ୍ଦେ ନମଇ

ଗ୍ରହ ନକ୍ଷତ୍ର ତାରାଗଣ

ସର୍ବବାନ୍ଧବ ନାରାୟଣ

ଯେ ନିତି ସନ୍ଧ୍ୟାବେଳେ ନର

ସ୍ମରଣ କରେ ନମସ୍କାର

କହଇ ବିପ୍ର ଜଗନ୍ନାଥ

ଭାଷା ପ୍ରବନ୍ଧେ ଭାଗବତ

ସେ ଦେବମୟ ଯେ ଈଶ୍ୱର

ଅନାଦି ବ୍ରହ୍ମାଣ୍ତ ଠାକୁର

ତାହାଙ୍କ ଚରଣ କମଳେ

ମୋ ମନ ରହିବ ନିଶ୍ଚଳେ

ସୁଜନେ ନ ଘେନିବ ଦୋଷ

ଗୀତେ କହଇ କୃଷ୍ଣରସ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ପଞ୍ଚମସ୍କନ୍ଧେ ଗ୍ରହଚକ୍ର ବର୍ଣ୍ଣ‌ନେ
ନାମ ତ୍ରୟୋବିଂଶୋଽଧ୍ୟାୟଃ ।

•••

 

ଚତୁର୍ବିଂଶ ଅଧ୍ୟାୟ

 

ଶ୍ରୀଶୁକ ଉବାଚ

ଆଦିତ୍ୟଠାରୁ ଅଧୋମେଳେ

ଅୟୁତ ଯୋଜନର ତଳେ

ଭୂମି ଆକାରେ ଗ୍ରହ ସ୍ଥିତି

କେ ଅବା କେମନ୍ତେ ରହନ୍ତି

ସ୍ୱଭାବେ ସିଂହିକାନନ୍ଦନ

ଏଟି ଅସୁର ଭୋ ରାଜନ

ଯେଣୁ ପ୍ରଭୁର କୃପା ହୋଇ

ଅମର ଗ୍ରହ ସେ ଅଟଇ

ଏହାର ଜନ୍ମ କର୍ମମାନ

ପଛେ କହିବା ହେ ରାଜନ

ଅଧୋଭାଗରେ ଯେ ପଡ଼ଇ

ଧରଣୀ ମଣ୍ତଳେ ବୋଲାଇ

ଅୟୁତେ ଯୋଜନ ବିସ୍ତାର

ଲୋକରେ ଖ୍ୟାତ ନୃପବର

ଦ୍ୱାଦଶ ସହସ୍ରଯୋଜନ

ଚନ୍ଦ୍ର ମଣ୍ତଳ ଯେ ପ୍ରମାଣ

ଏ ତେର ସହସ୍ରର ମତେ

ରାହୁର ମଣ୍ତଳ ଜଗତେ

ବୈରାନୁଭାଗ ବୃଦ୍ଧି ତହିଁ

ଚନ୍ଦ୍ର-ସୂର୍ଯ୍ୟ ଗ୍ରାସିବା ପାଇଁ

ଧାମଇଁ ବେଗବନ୍ତ ହୋଇ

ତା ଦେଖି ବ୍ରହ୍ମାଣ୍ତ ଗୋସାଇଁ

ରକ୍ଷା ନିମନ୍ତେ ଭଗବାନ

ଦେଇଅଛଇ ସୁଦର୍ଶନ

ଚନ୍ଦ୍ରର ଆଦିତ୍ୟର ଛାଇ

ନିକଟୁଁ ନିବୃତ୍ତ ଯେ ହୋଇ

ଚକିତ ହୋଇ ଛନ୍ନ ତାର

ଉଦ୍‌ବେଗ ହୁଅଇ ଶରୀର

ତାହାକୁ ଉପରାଗମାନ

ଏ ଲୋକେ କହନ୍ତି ରାଜନ

ତାହାର ତଳେ ଭୋ ରାଜନ

ପୂରେକ ଅଛଇ ପ୍ରମାଣ

ଅହିଙ୍କ ଶିରେ ମଣିମାନ

ତହିଁ ନାଶଇ ଇନ୍ଦୁତମ

ବ୍ୟାଧିର ପରାଭବ ନାହିଁ

ଦେହରେ ରୋଗ ନ ରହଇ

ସପତ ଗିରିବରେ କରି

ସପ୍ତ ଭୁବନ ଦଣ୍ତଧାରୀ

ଅତଳ ବିତଳ ସୁତଳ

ତଳାତଳ ଯେ ରସାତଳ

ମହାତଳ ଯେ ତଳାତଳ

ସପ୍ତମେ ବିଦିତ ପାତାଳ

କ୍ରମେ ଅୟୁତ ଯେ ଯୋଜନ

ଏକୁ ଏକଇ ଯେ ପ୍ରମାଣ

ବିଳ ସ୍ୱର୍ଗ ନାମ ଏହାର

ସ୍ୱର୍ଗୁ ଅଧିକ ସୁଖକର

କାଳ ଐଶ୍ୱର୍ଯ୍ୟ ନାନାଭୋଗ

ନାନା ଆନନ୍ଦ ସୁଖକର

ନାନା ରତ୍ନରେ ଦିବ୍ୟଘର

ସୌରଭ ଉଦ୍ୟାନ ସୁନ୍ଦର

ସୁସଞ୍ଚ ଜଳ ମନୋହର

ବିବିଧ କ୍ରୀଡ଼ା ଯେ ବିହାର

କହିବା ଶୁଣ ନୃପବର

ବିଳସ୍ୱର୍ଗ ନାମ ଏହାର

ଏଥିରେ କ୍ରୀଡ଼ନ୍ତି ଆନନ୍ଦେ

ସେ ସ୍ଥଳ ବାସୀ ଜୀବବୃନ୍ଦେ

ଗନ୍ଧର୍ବ ବିଦ୍ୟାଧର ଯେତେ

ଅପ୍‌ସରାଗଣଙ୍କ ସହିତେ

ମାୟା ବିମାନ ଶତ ତହିଁ

ନିର୍ମାଣ କରି ଯେ ଅଛଇ

ନାନା ମଣିରେ ଦିବ୍ୟପୁର

ବିବିତ୍ର ବୈଦୂର୍ଯ୍ୟର ଘର

ସୁସଞ୍ଚ ଅତି ମନୋହର

ବିବିଧ ନାନା ମଣିସାର

ମୈଥୁନ ସୁଖ ଯେ ପ୍ରାପତ

କୃତ୍ରିମ-ମଣିରେ ନିର୍ମିତ

ଶାରିକା ଆଦି ପକ୍ଷୀମାନେ

ବିବିଧ ପ୍ରକାର ଭିଆଣେ

ମଣି ଦର୍ଶନ ଉଚ୍ଚସାର

ଶୋହଇ ଅତି ମନୋହର

ବିବିଧ ବିଚିତ୍ର ଉଦ୍ୟାନ

ନାନା ଜାତିରେ ଫଳମାନ

କୁସୁମମାଳ ଅତି ଭରେ

ବିଟପୀ ଲମ୍ୱିଛନ୍ତି ତଳେ

କୋମଳ ପଲ୍ଲବ ସୁରଙ୍ଗ

ପକ୍ଷ ମିଥୁନ ଯହିଁ ସଙ୍ଗ

ବିବିଧ ଜଳାଶୟମାନ

କ୍ରୀଡନ୍ତି ନାନା ବିହଙ୍ଗମ

ଋଷିଙ୍କ ପୁଷ୍ପ ଆଭରଣେ

କ୍ଷୋଭ କରନ୍ତି ବିହଙ୍ଗମେ

ନୀରଜ କୁମୁଦ କହ୍ଲାର

ଏହାର ତଳେ ତାଙ୍କ ଘର

ସେ ପକ୍ଷୀ ଗୁଣ ଦିବ୍ୟସ୍ୱନ

ଶ୍ରବଣେ ହରେ ପ୍ରାଣୀ ମନ

ସ୍ୱର୍ଗହୁଁ ଅତି ମନୋହର

ସେ ସ୍ଥାନମାନ ନୃପବର

ଅହିଙ୍କ ଶିରାମଣିମାନ

ଯହିଁ ନାଶଇ ଅନ୍ଧତମ

ବ୍ୟାଧିର ପରାଭବ ନାହିଁ

ଦେହରେ ରୋଗ ନ ରହଇ

ପୁରୁଷ ଅବଳାଦିଙ୍କର

ଏଣୁ ଯେ ସ୍ୱଭାବ ଶରୀର

ତେଣୁ ସେ ସମୟ ହୁଅଇ

ବଟୁ ବାମନ ରୂପହୋଇ

ଯଶ-ସମ୍ପଦ ତାର ହରି

ପୁଣି ଦୟାକଲେ ମୁରାରି

ଇନ୍ଦ୍ରାଦି ସୁରଗଣମାନ

ସମ୍ପଦ ଦେଲେ ଭଗବାନ

ପୁଣି ଅଖିଳ ପ୍ରାଣୀଙ୍କର

ଅନାଦି ପ୍ରଭୁ ଯେ ଈଶ୍ୱର

ପୁଷ୍କୋକିଳାଦି ପ୍ରାଣୀଙ୍କର

ଯେଣୁ ସ୍ୱଭାବ ଯେ ଶରୀର

ତେଣୁ ସେ ସମ ଏକ ହୋଇ

ଅନ୍ୟଥା ବ୍ୟାଧି ମୃତ ନାହିଁ

ଅନଳେ କରି ମହୀପାଳ

ମୟୂର ପୁତ୍ର ସୁରବଳ

ଯାହାର ମାୟା ଦୃଢ଼ତରେ

ଅଦ୍ୟାପି ସଂସାରେ ପ୍ରଚରେ

ଯେ ରୂପ ଧରିଲେ ଏ ତିନି

ସ୍ୱୈରିଣୀ ବୃଷଳୀ କାମିନୀ

ହଟକାକ୍ଷ ଯେ ମାୟାରସ

ତହିଁରେ ଥାଇଣ ପୁରୁଷ

ବିଳାସ ଅବଲୋକନରେ

ନାନା ପ୍ରକାରେ କ୍ରୀଡକରେ

ଅୟୁତେ ମହା ନାଗବଳ

ଯାର ମାୟାରେ ମହୀପାଳ

ବିତଳେ ଶମ୍ଭୁ ଭଗବାନ

ହଟକେଶ୍ୱର ଯାର ନାମ

ପ୍ରଜାପତି ସୁର ନିମନ୍ତେ

ଅତ୍ୟନ୍ତ ଭବାନୀ ସହିତେ

ଏହାଙ୍କ ବୀର୍ଯ୍ୟୁ ଜାତହୋଇ

ହଟକ ନାମେ ନଦୀ ବହି

ତାର ସଂସର୍ଗୁ ଜାତ ହୋଇ

ସୁବଳ ହଟକ ବୋଲାଇ

ଏହାର ସର୍ବ ପୁଣ୍ୟ ଶ୍ଳୋକ

ଯାହାକୁ କହି ସୁରଲୋକ

ଇନ୍ଦ୍ରର ପ୍ରିୟଭାବ ବହି

ଅଛନ୍ତି ଅଖିଳ ଗୋସାଇଁ

ଅସୁରଙ୍କର ବନ୍ଧୁପଣ

ତାହାକୁ କରନ୍ତି ଭୂଷଣ

ସୁତଳେ ବଳୀୟାର ନାମ

ତାହାର ଗୃହ ଭୋ ରାଜନ

ଅଦିତି ତହୁଁ ଜାତ ହୋଇ

ବଟୁ ବାମନ ରୂପ ବହି

ସମ୍ପଦ ନାଶ ତାର କରି

ପୁଣି ଦୟାକଲେ ମୁରାରି

ଇନ୍ଦ୍ରାଦି ସୁରଗଣମାନ

ସମ୍ପଦବଳେ ଭଗବାନ

ପୁଣି ଅଖିଳ ଦେବଙ୍କର

ଅନାଦି-ପ୍ରଭୁ ଯେ ଈଶ୍ୱର

ସ୍ୱଧର୍ମେ ତାଙ୍କୁ ଆରାଧନ

ସୁସ୍ଥେ ଯେ ଅଛି ଭୋ ରାଜନ

ସେ ସର୍ବ ଦେବ ଭଗବାନ

ପରମ ଆତ୍ମା ସୂକ୍ଷ୍ମ ବ୍ରହ୍ମ

ଯେ ତୀର୍ଥମୟ ଜଗନ୍ନାଥ

ସକଳ-ଦେଶ କାଳ-ପାତ୍ର

ତହିଁରେ ଶ୍ରଦ୍ଧାଯୁକ୍ତ ହୋଇ

ସ୍ଥିର ମନରେ ସ୍ତୁତି ଗାଇ

ବିଳା ସ୍ୱର୍ଗକୁ ଭୋଗ କଲେ

ନାନା-ଐଶ୍ୱର୍ଯ୍ୟ ସେ ବେଭାରେ

ଜୀବ ରକ୍ଷଣେ ଯେ ଉପାୟ

ତହିଁରେ କରି ଦେବରାୟ

ତ୍ରୈଲୋକ୍ୟ ବ୍ୟାପୀ ସେ ଈଶ୍ୱର

ଶେଷ ନ ରହିଲା ଯହିଁର

ସେ ଇନ୍ଦ୍ର ତପୋବଳେ କରି

ଇନ୍ଦ୍ରର ଭ୍ରାତୃଭାବ ଧରି

ଜନ୍ମିଲେ ବ୍ରହ୍ମାଣ୍ତ ଠାକୁର

ଯାହା ନିମନ୍ତେ ନୃପବର

ସେ ସର୍ବ ଜୀବ ଭଗବାନ

ଅଖିଳ-ଗୁରୁ ନାରାୟଣ

ଯାହାର ଦ୍ୱାରେ ଗଦା ଧରି

ଅଛନ୍ତି ପ୍ରଭୁ ଯେ ଉଭାରି

ଏହାର ଅଧୋଦେଶେ ଯାଇ

ତଳାତଳ ନାମ ବୋଲାଇ

ମୟନାମେ ଦାନବ ବରେ

ଦ୍ରୋହ ଯେ କଲା ଚକ୍ରଧରେ

ଅସୁର କାୟା ଦଗ୍‌ଧ କଲା

ତେଣୁ ସେ ବରକୁ ଲଭିଲା

ମାୟାବୀମାନଙ୍କର ବର

ଆଶ୍ଚର୍ଯ୍ୟ ହୋଇ ଅସୁର

ଏମନ୍ତ ବରକୁ ସେ ପାଇ

ତଳାତଳରେ ସେ ଅଛଇ

ସୁଦର୍ଶନ ଚକ୍ରର ଡରେ

ଶରଣ ପଶିଲା ଶମ୍ଭୁରେ

ସେ ଭୟ ତାର ଦୂର କରି

ରଖିଲେ ଶିବ ଶୂଳଧାରୀ

ନିର୍ଭୟ ହୋଇ ସେ ଦାନବ

ସ୍ୱଚ୍ଛନ୍ଦେ ଭୁଞ୍ଜଇ ସମ୍ପଦ

ତାହାର ଅଧୋଭାଗ ଦେଶେ

ମହାତଳ ପୁର ପ୍ରକାଶେ

ତହିଁରେ କାଦମ୍ୱର ଆଦି

କ୍ରୋଧବଶ ନାମ ପ୍ରସିଦ୍ଧି

କୁହୁନାକ ଯେ ଅଶ୍ୱସେନ

ତକ୍ଷକ ଇନ୍ଦ୍ରାୟନ ନାମ

ମହାପୁରୁଷ ବଳବନ୍ତ

ତହିଁ ଅଛନ୍ତି ପରୀକ୍ଷିତ

ନିତ୍ୟ ସେବଇ ନେତ୍ରଭୟେ

ଉଦ୍‌ବେଗ ହୋଇ ତାଙ୍କକାୟେ

ଦାରାତନୟ ବନ୍ଧୁ ସଙ୍ଗେ

ମତି ବିହିତ ଅତିରଙ୍ଗେ

ତାହାର ତଳେ ମହୀପାଳ

ଯେ ପୁର ନାମେ ରସାତଳ

ଦାନବ ଦୈତ୍ୟ ପତି ମାନ

କବଚ କାଳ ଏ ହିରଣ୍ୟ

ଅତ୍ୟନ୍ତ-ବଳବନ୍ତ ହୋଇ

ଦେବଙ୍କୁ ଦ୍ରୋହ ସେ ଚିନ୍ତଇ

ସକଳ ଲୋକର କାରଣ

ମହାପୁରୁଷ ନାରାୟଣ

ମହାନୁଭାବ ସେହି ହରି

ତାହାଙ୍କ ଅତି ତେଜୁଁ କରି

ପ୍ରହତ ତେଜ ସେ ଦାନବ

ସେ ସ୍ଥାନେ ହୁଅଇ ଉଭବ

ଯେ ଇନ୍ଦ୍ର ବାକ୍ୟେ ମନ୍ଦ ଶୁଣି

ନିତ୍ୟେ ଡରଇ ନୃପମଣି

ଏହାର ତଳେ ଯେ ପାତାଳ

ତହିଁ ଅଛନ୍ତି ନାଗବଳ

ବାସୁକି ଆଦି ନାଗବଳ

ଶଙ୍ଖ କୁଳିକ ଯେ ଅପାର

ଧନଞ୍ଜୟ ଯେ ଦେବଦତ୍ତ

ଧୃତରାଷ୍ଟ୍ରାଦି ଶଙ୍ଖଶ୍ୱେତ

ଏ ଯେତେ ମହାଭୋଗୀମାନେ

ବସନ୍ତି ପାତାଳ ଭୁବନେ

ଏ ପଞ୍ଚଶତ ବିଷଧର

ଅନେକ-ଫଣା ବା କାହାର

ଏହାଙ୍କ ମଥାମଣିମାନ

ପ୍ରକାଶ ଆଦିତ୍ୟ ଯେସନ

ପାତାଳ ବିବର ତିମିର

ସ୍ୱତେଜେ କରନ୍ତି ଯେ ଦୂର

ପଞ୍ଚମସ୍କନ୍ଧେ ଏ ବର୍ଣ୍ଣ‌ନ

ସୁଜନେ ସାବଧାନେ ଶୁଣ

କହଇ ବିପ୍ର ଜଗନ୍ନାଥ

ଭାଷା ପ୍ରବନ୍ଧେ ଭାଗବତ

କୃଷ୍ଣ ଚରଣେ ମନ ଦିଅ

ସୁଜନେ ନିତ୍ୟ ଏହା ପିଅ

କୃଷ୍ଣ ପାଦର ସୁଧାରସ

ମୋ ଜିହ୍ୱା ନିତ୍ୟ କରୁ ଗ୍ରାସ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ପଞ୍ଚମସ୍କନ୍ଧେ ଭୂଗୋଳ ବର୍ଣ୍ଣନେ

ନାମ ଚତୁର୍ବିଂଶୋଽଧ୍ୟାୟଃ ।

•••

 

ପଞ୍ଚବିଂଶ ଅଧ୍ୟାୟ

 

ଶ୍ରୀଶୁକ ଉବାଚ

ତାହାର ତଳେ ହେ ରାଜନ

ତିରିଶ-ସହସ୍ର-ଯୋଜନ

ତାମସ କଳା ଯେ ବିଶେଷ

ଅନନ୍ତ ପ୍ରଭୁ ଯେ ପ୍ରକାଶ

ଯେ ବିଷ୍ଣୁ ଅଂଶେ ଜନ୍ମ ହୋଇ

ଯେ ସଂକର୍ଷଣ ନାମ ବହି

ଅନନ୍ତ ନାମେ ଯେ ଈଶ୍ୱର

ତାଙ୍କର ସହସ୍ର ଯେ ଶିର

ଯାହାର ଏକଇ ଶିରରେ

ମହୀମଣ୍ତଳ ଯେ ନିଶ୍ଚଳେ

ସେ ସୃଷ୍ଟି କରଇ ସଂହାର

ଭ୍ରୂକୁଟି କରିଣ ସଞ୍ଚାର

ଏକାଦଶ ଯେ ରୁଦ୍ର ହୋଇ

ସଂକର୍ଷଣ ଯେ ନାମ ବହି

ତିନି ଲୋଚନ ପଞ୍ଚଶିର

ପ୍ରଚଣ୍ତ ଶୂଳ ଯାର କର

ଯାହାର ଚରଣ କମଳ

ବିରାଜେ ନଭ ଯେ ମଣ୍ଡଳ

ଭକ୍ତିରେ ଅହିପତିମାନ

ଯହିଁରେ କରନ୍ତି ବନ୍ଦନ

ଶିରୋମଣିରେ ନଖପନ୍ତି

ଚନ୍ଦ୍ରକୁ ଜିଣିଦିଶେ ଜ୍ୟୋତି

ଯାହାର ବଦନାରବିନ୍ଦେ

ଚକ୍ଷୁ ନିବେଶିଣ ଆନନ୍ଦେ

ପରମ ଭକ୍ତି ଯୋଗମତେ

ମୁଣ୍ଡ ପ୍ରଭାବ ଯେ ମଣ୍ଡିତେ

ଗଣ୍ଡ ଯୁଗଳ ହୃଷ୍ଟଚିତ୍ତ

ସେ ସଙ୍କର୍ଷଣ ହୃଦଗତ

ଯାହାଙ୍କୁ ବିବିଧ-ବିଧାନେ

ସେବନ୍ତି ନାଗପତ୍ନୀମାନେ

ଏମନ୍ତ ରୂପ ମନୋହର

ବୃଷଭ ଧବଳ ଶରୀର

ବିପୁଳ ବକ୍ଷସ୍ଥଳ ଯାର

କୁଙ୍କୁମ ଚନ୍ଦନ ରୁଚିର

ହଳ ମୂଷଳ କରେ ଯାର

କି ଅବା ଦେବା ପଟ୍ଟାନ୍ତର

ରତନସ୍ତମ୍ଭ ଭୂଜ ଦୁଇ

ମନ ମନ୍ଥନେ ଯେ ଶୋହଇ

ମଦେ ମୁଦ୍ରିତ ଯେ ଲୋଚନ

ସେ ଯେ ଅନନ୍ତ ଭଗବାନ

କ୍ରୋଧ କୁଟିଳ କୁସଙ୍ଗରେ

ତହିଁରେ ଅଛନ୍ତି ଠାକୁରେ

ଉରଗେଶ୍ୱର ଯେ ଠାକୁର

ସିଦ୍ଧ ଗନ୍ଧର୍ବ ବିଦ୍ୟାଧର

ଅଶେଷ ମୁନିଗଣ ଯେତେ

ଆନନ୍ଦ ଯେ ଯାହାର ମତେ

ଅନ୍ତରେ ପାରିଷଦଗଣେ

ସେବନ୍ତି ଯାହାର ମତେ

ନବ ତୁଳସୀପୁଷ୍ପ ଶରେ

ଗନ୍ଧ ଆମୋଦ ସେ ପ୍ରକାରେ

ଗନ୍ଧେ ମଧୁକର ନିକର

ଧ୍ୱନି କରନ୍ତି ନିରନ୍ତର

ସୁନନ୍ଦ ଭୁଜ ଲମ୍ବମାନ

ମହୀନ୍ଦ୍ର ବାରଣ ଯେସନ

ଧନ୍ୟ ଶ୍ରବଣ ଯୋଗସାରେ

କଳି କଳ୍ମଷ ପାପ ହରେ

ଶ୍ରଦ୍ଧା ଆରତେ ଯେତେ ଜନ

ଯେବା କରଇ ସୁମରଣ

ତାହାର ଅନୁଭବମାନ

ନାରଦ ମୁନି ଭୋ ରାଜନ

ବ୍ରହ୍ମା-ସଭାରେ ବିସ୍ତାରିଲେ

ସକଳ ପୁଣ ନିସ୍ତରିଲେ

ଯାହାର କଟାକ୍ଷକୁ ପାଇ

ଉତ୍ପତ୍ତି ସ୍ଥିତି ଲୟ ହୋଇ

ଯାହାର ନାମ ସୁମରଣ

ଶ୍ରବଣ କୀର୍ତ୍ତନ ରାଜନ

ଘୋର-ଦୁର୍ଗମେ ନର ଥାଇ

ଯେବେ ଆରତେ ସୁମରଇ

ଆପଦ ହୋଇ ତାର ଦୂର

ସକଳ-ପାପୁଁ ହୋଏ ପାର

ଆଶ୍ରୟ ହୋଇ ଈଶ୍ୱରରେ

ମୋକ୍ଷ ପାଇବେ ସେହୁ ନରେ

ଭୁଗୋଳ ନାନା ନଦୀ ଗିରି

ଦିଗ ସମୁଦ୍ର ଆଦିକରି

ଯାହାର ମସ୍ତକେ ଜଗତ

ସ୍ଥିରେ ଅଛଇ ପରୀକ୍ଷିତ

ଅତି ବିକ୍ରମ ଯେ ପୁରୁଷ

କେ କହୁ ତାହାର ବିଶେଷ

ଯେ ଆତ୍ମତନ୍ତ୍ରେ ଭଗବାନ

କେ କହୁ ତାଙ୍କ ଗୁଣମାନ

ଲୀଳା ମାତ୍ରକେ ଯେ ସଂସାର

ଯେ ଧରିଅଛି ବିଶ୍ୱଭାର

ଏମନ୍ତ ପ୍ରଭାବ ଯାହାର

ଦୁରିତହାର ସେ ଠାକୁର

ସେବକ ହେବା ଜୀବଗତି

କର୍ମରୁ ଯେ ଯାହା ଭୁଞ୍ଜନ୍ତି

ଯାହାର ସ୍ଥଳଟି ଏମନ୍ତ

ସକଳ କହିଲୁ ବିଦିତ

ଯାହାର ଯେମନ୍ତ ଲକ୍ଷଣ

ଯେ ଧର୍ମ ଯାର ଆଚରଣ

ଯେଉଁ ସମସ୍ତ ଜୀବଜନ୍ତୁ

ଯାହାର ଯେ କର୍ମ ଯେହେତୁ

ତୁମ୍ଭ ପ୍ରସାଦ ଅନୁସାରେ

ସକଳ କହିଲୁ ତୁମ୍ଭରେ

ଏବେ କି ତୁମ୍ଭ ଅଭିଳାଷ

ଅପରେ କହିବୁ ବିଶେଷ

କହଇ ବିପ୍ର ଜଗନ୍ନାଥ

ହରିଚରିତ ଭାଗବତ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ପଞ୍ଚମସ୍କନ୍ଧେ ଭୂଗୋଳ ବର୍ଣ୍ଣ‌ନେ
ନାମ ପଞ୍ଚବିଂଶୋଽଧ୍ୟାୟଃ ।

•••

 

ଷଡ଼ବିଂଶ ଅଧ୍ୟାୟ

 

ପରୀକ୍ଷିତ ଉବାଚ

ବିଚିତ୍ର ଗତି ଲୋକଙ୍କର

ତୁମ୍ଭେ କହିଲ ମୁନିବର

ଏ କଥା ସଂଶୟ ମୋ ମନେ

ଏବେ କହିବା ବିଦ୍ୟମାନେ

ଶ୍ରୀଶୁକ ଉବାଚ

ତ୍ରିଗୁଣେ ପବିତ୍ର ହୁଅଇ

କେବେହେଁ କେହି ନ ଭଜଇ

ଏ ଅନନ୍ତରେ ଏବେ ଶୁଣ

ନିଷିଦ୍ଧ ଅଧର୍ମ ଲକ୍ଷଣ

ଅଧର୍ମ ଧର୍ମ ବେନି ମତ

ଶ୍ରଦ୍ଧା-ଅଶ୍ରଦ୍ଧା ଯେ ବିଦିତ

ସମାନ କର୍ମଫଳମାନ

କାହାର ନୋହେ ଭୋ ରାଜନ

ଯେତେ ଅବିଦ୍ୟା କାମ କର୍ମ

ଏହି ଲକ୍ଷଣ ଅନୁମାନ

ଶ୍ରୁତି ଚରଣେ ଦେଇ ମତ

ପ୍ରକୃତ ହୋଏ ପରୀକ୍ଷିତ

ଏହାର ଗତି ଅମୋକ୍ଷରେ

ବିସ୍ତାରି ବର୍ଣ୍ଣିବି ଆଗରେ

ଭୋ ମୁନି ତ୍ରୈଲୋକ୍ୟ ବାହାରେ

ନରକ କିବା ଅନ୍ତରାଳେ

କି ଅବା ଭୁବନ ମଧ୍ୟରେ

କହିବା ତା ସାବଧାନେରେ

ଶ୍ରୀଶୁକ ଉବାଚ

ତ୍ରିଜଗତର ଅନ୍ତରାଳ

ଦକ୍ଷିଣଦିଗ ମହୀପାଳ

ଅର୍ଦ୍ଧଦେଶ ଭୂମି ଉପରେ

ଅଗ୍ନି ସମ୍ଭାର ସେ ଉଦରେ

ସକଳ ପିତୃଗଣ ଯେତେ

ସ୍ୱଗୋତ୍ର କଲ୍ୟାଣ ନିମନ୍ତେ

ଯହିଁ ବସନ୍ତି ହେ ରାଜନ

ଯହୁଁ ଅନ୍ତର ଭଗବାନ

ଅନ୍ତେ ଜୀବକୁ ଯହିଁ ନ୍ୟନ୍ତି

ଯମର ପୁରେ ଦଣ୍ତ ଦ୍ୟନ୍ତି

ଦୋଷ ଯେ କର୍ମ ଅନୁସାରେ

ଯେ ପ୍ରାଣୀ ଯେ କର୍ମ ଆଚରେ

ଭଗବାନ ଆଜ୍ଞା ଲଘଂନ

କହିବି ଶୁଣ ହେ ରାଜନ

ତାହାକୁ ଚାହିଁ ଦଣ୍ତଧର

ଶାସ୍ତି ଯେ ଦିଅଇ ଅପାର

ବସନ୍ତି ଯେ ଯାହା ବେଭାରେ

ନରକ ଅଛନ୍ତି ତହିଁରେ

ଏହା ରୂପ ନାମ ଲକ୍ଷଣ

କହିବା ଶୁଣ ହେ ରାଜନ

ଅନ୍ଧକୂପ ଯେ ଅସିପତ୍ର

ଶୂକର ମୁଖ କାଳସ୍ମିତ

ଗୌରବ ଯେ ମହାନରକ

ଅନ୍ଧ ତାମିସ୍ର କୁମ୍ଭୀପାକ

ତାମିସ୍ର ଯେ କୃମିଭୋଜନ

ସଦଂଶ ତପ୍ତଶୂର୍ମି ନାମ

ବଜ୍ରକଣ୍ଟକ ଅୟଃପାନ

ବଇତରଣୀ ବିଶନନ

ଶାଳମଳୀ ଯେ ପ୍ରାଣରୋଧ

ଅବୀତି ଆଉ ଲାଳାଭକ୍ଷ

ନାନା ଭ୍ରମୟ ବିଭ୍ର ନାମ

ଅପରେ ଆୟଃ ଯେ ପତନ

ଶୂଳ ପ୍ରୋତକ୍ଷାର କର୍ଦ୍ଦମ

ପରରୋଧ କ୍ଷୀଣ ଭୋଜନ

ଅବଟ ନିରୋଧନ ଆର

ବନ୍ଦଶୂକ ନାମ ଅପାର

ସୂଚିମୁଖୋଚ୍ଚାର୍ଯ୍ୟ କୀର୍ତ୍ତନ

ଅଷ୍ଟବିଂଶତି ହୁଏ ନାମ

ଏତେ ନରକ ମହୀପାଳ

ବିବିଧ ଯାତନାର ଫଳ

ପରର ସ୍ତ୍ରୀ ଅପତ୍ୟ ଧନ

ଯେ ପ୍ରାଣୀ କରଇ ହରଣ

ସେ କାଳ ପାଶେ ବନ୍ଦୀହୋଇ

ସତତ ନରକେ ପଡ଼ଇ

ନାନା ଯାତନା ସେ ଭୁଞ୍ଜଇ

କର୍ମ ବନ୍ଧନେ ସେ ପଡ଼ଇ

କ୍ଷୁଧା-ପିପାସାରେ ପୀଡ଼ିତ

ହୋଇ ସେ ଦଣ୍ତରେ ତାଡ଼ିତ

ନାନା ତର୍ଜ୍ଜନ ଯେ ତାହାର

ଯେତେ ଯତନ ଭୟଙ୍କର

ପରମ କଷ୍ଟ ତହିଁ ପାଇ

କ୍ଷଣ କ୍ଷଣକେ ମୋହ ଯାଇ

ଅନ୍ଧତାମିସ୍ରେ ନରକରେ

ଯାତନା ଭୋଗ ପ୍ରାଣୀ କରେ

ପର ଦାରାରେ ପାପ କରି

ଯେବେ ତାମସ ରୂପ ଧରି

ତେବେ ପଡ଼ଇ ସେ ଯେ ତହିଁ

ଯାତନା ନରକ ଭୁଞ୍ଜଇ

ନଷ୍ଟ ହୁଅଇ ମତି ତାର

ଦୃଷ୍ଟି ନାଶଇ ନୃପବର

ମୋହେଣ ଗତଭାବ ହୋଇ

ଭୃତ୍ୟ ଦ୍ରୋହକୁ ସେ ଚିନ୍ତଇ

କୁମ୍ଭାପାକହିଁ ହିଂସାବହି

ସେ ପ୍ରାଣୀ ରୌରବେ ପଡଇ

ଯେ ଜୀବ ହିଂସନ୍ତି ସଂସାରେ

ତାହାଙ୍କୁ ପରୋକ୍ଷ ଲୋକରେ

ରୌରବେ ମୃତ୍ୟୁଜୀବ ହୋଇ

ସେଠାରେ ତାହାଙ୍କୁ ହିଂସଇ

ମହାରୌରବ ଏହିମତେ

ଯେବା ଆତୁର ଯେ ବିଦିତେ

ତହିଁରେ ସେ ପାପୀ ପଡ଼ଇ

ରୌରବ ନରକ ଭୁଞ୍ଜଇ

ଯେ ନର ପଶୁ ପକ୍ଷୀମାନ

ପ୍ରାଣେ ବଧ କରେ ସେ ଜନ

ରକ୍ଷ ଶୁକର ହିତ ସେହି

କୁମ୍ଭୀପାକରେ ସେ ପଡଇ

ତପତ ତୈଳରେ ତାହାର

ବନ୍ଧନ ହୁଅଇ ଶରୀର

କାଳ ମୂରତି ନର୍କମାନ

ବିସ୍ତାର ଅୟୁତ ଯୋଜନ

ତାମସାୟତା ନାମ ତାର

ଅପରେ ଥାଇ ସେ ଭାସ୍କର

ଅଧୋ ଭାଗରେ ଅଗ୍ନି ଥାଇ

ଏମନ୍ତ ନରକ ଅଟଇ

ଯେ ନର ବ୍ରହ୍ମହତ୍ୟା କରେ

ସେ ତହିଁ ପଡଇ ନିର୍ଭରେ

ତପତ-ସୁବର୍ଣ୍ଣ ଫୁଟଇ

ତହିଁ ଯେ ହତଜ୍ଞାନ ହୋଇ

କ୍ଷଣକେ ଉଠଇ ଶୁଅଇ

ବସଇ ବ୍ୟାକୁଳେ ଧାମଇ

କ୍ଷୁଧା ପିପାସା ପୀଡାମାନ

ତକ୍ଷଣେ ହୁଏ ଅଚେତନ

ପଶୁର ଦେହେ ଲୋମ ଯେତେ

ବର୍ଷ ତାବତ ସେହିମତେ

ଉଗ୍ର ଯାତନା ଭୋଗପାଇ

ସେ ପ୍ରାଣୀ ପଡିଥାଇ ତହିଁ

ଯେ ନିଜ ଧର୍ମପଥ ଛାଡି

ବେଦ ବଚନ ନିନ୍ଦେ ହୁଡି

ପାଷାଣ୍ତ ବୋଲି ତାକୁ କହି

ଅସିପତ୍ରରେ ସେ ପଡଇ

ଲୌହ ମୁଦ୍‌ଗର ତା ଉପରେ

ପ୍ରହାର କରନ୍ତି ନିର୍ଭରେ

ଯେ ରାଜା ପ୍ରଜାଙ୍କୁ କିଙ୍କରେ

ଅଦୋଷେ ଦଣ୍ଡ ଦିଏ ନରେ

ଅତ୍ୟନ୍ତ ପାପିଷ୍ଠଟି ସେହି

କୁକୁର ମୁଖେ ସେ ପଡ଼ଇ

ତହିଁ ପଶନ୍ତି ଯେ ନିର୍ଭରେ

ନାନା ପ୍ରକାର ଶସ୍ତ୍ର ଧରେ

ଇକ୍ଷୁଦଣ୍ତର ପ୍ରାୟ କରି

ତାକୁ ପେଷନ୍ତି ଦଣ୍ତଧାରୀ

ପରମ କଷ୍ଟକୁ ସେ ପାଇ

କ୍ଷଣ କ୍ଷଣକେ ମୋହଯାଇ

ଯେ ଏ ସଂସାରେ ନରଦେହୀ

ହିଂସାରେ ପ୍ରାଣୀଙ୍କୁ ପୀଡ଼ଇ

ଦ୍ରବ୍ୟାଦି ହାନିରେ ଯେସନ

ସନ୍ତାପ ହୁଅଇଟି ମନ

ଯେ ଆଶା ରଖାଇ ଭାଙ୍ଗଇ

ବାୟସ ତୁଲ୍ୟ ତାକୁ କହି

ଯେ ନର୍କ କୃମିର ଭୋଜନ

ନରକମାନଙ୍କ ଅଧମ

ଶତ ସହସ୍ର ଯେ ଯୋଜନ

ସେ କୁମ୍ଭୀପାକ ପରିମାଣ

ତହୁଁ ପଡ଼ଇ ସେହୁ ନର

ଉଗ୍ର-ଯାତନା ଯେ ତାହାର

କୃମିକି ଭକ୍ଷଇ ଯେସନେ

ତାକୁ ଭକ୍ଷନ୍ତି କୃମିମାନେ

ଯାବତ କର୍ମ କ୍ଷୟ ନୋହେ

ତାବତ ହିଂସା ଦୂର ନୋହେ

ସ୍ଥାପିତ ଦ୍ରବ୍ୟ ଯେ ହରଇ

ସ୍ୱଦେହେ ପିଶାଚେ ପଡ଼ଇ

ଅଗମ୍ୟା ନାରୀ ଯେ ହରଇ

ତପତ କୁମ୍ଭୀରେ ପଡ଼ଇ

ନାରୀଟି ଅଗମ୍ୟ ପୁରୁଷେ

ଯେବେ ହରେ ରତି ଲାଳସେ

ତପତ ଲୌହ ମଦ ନାମ

ତାକୁ କରାନ୍ତି ଆଲିଙ୍ଗନ

ପୁରୁଷରୂପେ ନାରୀଠାରେ

ପୁରୁଷ ନାରୀକୁ ବେଭାରେ

ଆଗମ ନିଗମ ବଚନେ

ନ ମାନେ ଯେ ପାଷାଣ୍ଡ ମନେ

ବଜ୍ର କଣ୍ଟକ ଶାଳ୍ମଳୀରେ

ଆରୋହଣ କରନ୍ତି ତାରେ

ସଭାରେ ମିଥ୍ୟା ଯେ କହନ୍ତି

ଅବନା ନରକେ ପଡ଼ନ୍ତି

ସେ ସ୍ତିରୀ ଶିଶୁ ପଶୁ ମାରେ

ଡ଼ାକିନୀ ରୂପେ ସେ ସଞ୍ଚରେ

ସେ ଯେ ବାଳକ ପଶୁମାନେ

ପରଶେ ଯମର ସଦନେ

ରାକ୍ଷସ ରୂପକୁ ଆଚରି

ଶୋଣିତ ପିବନ୍ତି ତାହାରି

ସେ ନାରୀ ପୁରୁଷଙ୍କ ରେତ

ଖାଇ ହୋଇଣ ମହାମତ୍ତ

ନାଚନ୍ତି ଗାୟନ୍ତି ହରଷେ

ଯେସନେ ରାକ୍ଷସ-ପୁରୁଷେ

ବିବିଧ ଜନ୍ତୁର ପ୍ରକାର

ଯେ ନର ଗ୍ରାମ ଅଧିକାର

ବିଶ୍ୱାସୀ-ପଶୁକୁ ମାରଇ

ଯମ ସଦନେ ସେହୁ ଯାଇ

ପାଶରେ ତାର ବାନ୍ଧି ଦେହ

କ୍ଷୁଧା-ତୃଷାରେ ସେ ବିମୋହ

କୁକୁର ନାମେ ଯମଗଣ

ମୁଖରେ କରନ୍ତି ଦଂଶନ

ବିବିଧ କଳ୍ମଷ ଲଭଇ

ଆପଣା କର୍ମ ସେ ବହଇ

ଉଗ୍ର ସ୍ୱଭାବେ ଯେବା ନରେ

ପ୍ରାଣୀର ଉଦ୍‌ବେଗକୁ କରେ

ଦ୍ୱନ୍ଦଶୂକର ଯେ ନରକେ

ପଡ଼ନ୍ତି ଯାଇ ନରଲୋକେ

ଯେ ଅବା ଗର୍ଭାଧିକ ଛଳେ

ପ୍ରାଣୀକୁ ଥୋଇ ଅବହେଳେ

ଦ୍ୱାର ରୁନ୍ଧଇ ମୁଢ଼ନର

ଏମନ୍ତେ ଭୁଞ୍ଜେ ସେ ପାମର

ଗର୍ତ୍ତେ ପାମରକୁ ଥୁଅନ୍ତି

ନିର୍ଧୂମ ଅଗ୍ନିଦ୍ୱାରେ ଦ୍ୟନ୍ତି

ପୂର୍ବେ ସେ ଆସିଥାଇ ତହିଁ

ଅତିଥି ରୂପରେ ଆସଇ

ଗୃହର ପତି ତାକୁ ଯେବେ

ଅବଲୋକଇ କ୍ରୋଧଭାବେ

କୁବୃତ୍ତି କୁବାକ୍ୟ କହଇ

ଅନ୍ତେ ସେ ନରକେ ପଡଇ

କହଇ ଦାସ ଜଗନ୍ନାଥ

ପଞ୍ଚମସ୍କନ୍ଧେ ଭାଗବତ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ପଞ୍ଚମସ୍କନ୍ଧେ ନରକ ବର୍ଣ୍ଣ‌ନେ

ନାମ ଷଡବିଂଶୋଽଧ୍ୟାୟଃ ।

Image